ଆପ୍ରୋଚ ରୋଡ଼ ପାଇଁ ଅନୁପଯୋଗୀ ବିଜୁ ସେତୁ – Fast News Network

Odisha Hot News
2 Min Read

ଭଦ୍ରକ: ନିର୍ମାଣକୁ ୬ବର୍ଷ ପୂରି ଯାଇଥିଲେ ସୁଦ୍ଧା ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଆଗରପଡ଼ା ସ୍ଥିତ ଟିକିରା-ଶ୍ରୀରାମପୁର ଗ୍ରାମକୁ ସଂଯୋଗୀକରଣ ନିମନ୍ତେ ସାଳନ୍ଦୀ ନଦୀ ଉପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନିର୍ମାଣ ହେଉଥିବା ବିଜୁ ସେତୁ କାର୍ଯ୍ୟ ସଂପୂର୍ଣ୍ଣ ହୋଇ ପାରିଲା ନାହିଁ ଯଦ୍ୱାରା ବର୍ତ୍ତମାନ ବିପଦ ସଙ୍ଗୁଳ ପରିସ୍ଥିତିରେ ଗ୍ରାମବାସୀଙ୍କ ସମେତ ଛାତ୍ରଛାତ୍ରୀ ନଦୀ ପାର ହେଉଥିବା ଦେଖିବାକୁ ମିଳୁଛି । ଟିକିରା-ଶ୍ରୀରାମପୁର ଅଂଚଳର ପ୍ରମୁଖ ବ୍ୟବସାୟୀକ କେନ୍ଦ୍ର ଆଗରପଡ଼ା କିନ୍ତୁ ସାଳନ୍ଦୀ ନଦୀ ଏଥି ପାଇଁ ବାଧକ ସୃଷ୍ଟି ହେଉଥିବାରୁ ସ୍ଥାନୀୟ ଜନସାଧାରଣଙ୍କ ଦାବି ଫଳରେ ସ୍ୱର୍ଗତ ତତ୍କାଳିନ ସାଂସଦ ଅର୍ଜ୍ଜୁନ ଚରଣ ସେଠୀ ଓ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ସହଯୋଗରେ ବିଜୁ ସେତୁ ନିର୍ମାଣ ପାଇଁ ୪ କୋଟି ୨୧ ଲକ୍ଷ ୯୨ ହଜାର ୪୨୦ ଟଙ୍କାର ପ୍ରକଳ୍ପ ମଂଜୁର ହୋଇଥିଲା । ୨୦୧୬ ଫେବୃୟାରୀ ୪ ତାରିଖରେ ନିର୍ମାଣ ହୋଇ ୨୦୧୭ ଅକ୍ଟୋବର ୩ରେ କାର୍ଯ୍ୟ ଶେଷ ହେବାର ଥିଲା । ମାତ୍ର ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରୁ ଅବଧି ସରିବାର ବହୁ ବିଳମ୍ବରେ ସେତୁ କାର୍ଯ୍ୟ ସମାପ୍ତି ହୋଇଥିଲେ ସୁଦ୍ଧା ବର୍ତ୍ତମାନ ରାସ୍ତା ସଂଯୋଗୀକରଣ(ଆପ୍ରୋଚ ରୋଡ଼) ନିର୍ମାଣ ଆଉ ଏକ ସମସ୍ୟା ରୂପେ ଠିଆ ହୋଇଛି । ଶ୍ରୀରାମପୁର ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାର ସମସ୍ୟା ସମାଧାନ ହୋଇ ଏହା ନିର୍ମାଣାଧିନ ଥିବାବେଳେ । ଟିକିରା ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାକୁ ନେଇ ଦେଖା ଦେଇଥିବା ସମସ୍ୟାର ସମାଧାନ ଆଜି ପର୍ଯ୍ୟନ୍ତ ହୋଇପାରିନାହିଁ ।
ଯଦ୍ୱାରା ଏହା ସର୍ବସାଧାରଣ ରାସ୍ତା ସହିତ ସଂଯୋଗ କରାଯାଇ ପାରୁନାହିଁ । ଇତି ମଧ୍ୟରେ ବିଜୁ ସେତୁ ନିର୍ମାଣକୁ ୬ବର୍ଷ ପୂରିଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ବିଜୁ ସେତୁ ସଂପୂର୍ଣ୍ଣ ହେବାକୁ ନେଇ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷଭାବ ପ୍ରକାଶ ପାଇଛି । ଶ୍ରୀରାମପୁର, ସାହୁପଡ଼ା, ଗୋପୀନାଥପୁର, ମାର୍କଣ୍ଡପୁର ଆଦି ଗ୍ରାମବାସୀମାନେ ସେତୁ ନିର୍ମାଣ ହୋଇନଥିବାରୁ ଯାତାୟାତ କରିବାରେ ନାନାଦି ଦୂର୍ଦ୍ଦଶାଦେଇ ଗତି କରୁଛନ୍ତି । ଅଧିକ ରାସ୍ତା କାଣ୍ଡବା ସେତୁ ଦେଇ ଦୈନ୍ୟଦିନ ଯାତାୟାତ କରୁଛନ୍ତି ନ ହେଲେ ବିପଦ ସଙ୍ଗୁଳ ପରିସ୍ଥିତିରେ ସେତୁ ଉପରୁ ସଂଯୋଗୀକରଣ ରାସ୍ତାକୁ ଅସ୍ଥାୟୀ ବାଉଁଶ ଚାରରେ ଯାତାୟତ କରୁଛନ୍ତି । ଲୋକମାନଙ୍କ ସମେତ ରୋଗୀମାନେ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସରକାରୀ ସ୍ତରରେ ଯୋଜନା ପରେ ଯୋଜନା କରାଯାଉଛି କିନ୍ତୁ ଦୂର ଦୃଷ୍ଟିର ଅଭାବ ଯୋଗୁଁ ଯୋଜନା ଗୁଡ଼ିକ ସଫଳ ହେବା ପରିବର୍ତ୍ତେ ବିଫଳ ହେବା ସହ ନିମ୍ନମାନର କାର୍ଯ୍ୟ ଓ କାର୍ଯ୍ୟରେ ଅହେତୁକ ବିଳମ୍ବ ଯୋଗୁଁ ସାଧାରଣ ଜନତା କେବଳ ହନ୍ତସନ୍ତ ହେବା ସାର ହେଉଛି । ସ୍ଥାନୀୟ ନେତା, ଯନ୍ତ୍ରୀ ଓ ଠିକାଦାରଙ୍କ ସଲାସୁତରାରେ ପ୍ରାୟ ସମସ୍ତ ଉନ୍ନୟନ କାର୍ଯ୍ୟ ଚାଲୁଥିବାରୁ ଅବଧି ଶେଷ ପରେ ବର୍ଷାଧିକ କାଳ ଅତିକ୍ରମ କରିବା ହେତୁ ଉକ୍ତ କାର୍ଯ୍ୟ ସମ୍ପୁର୍ଣ୍ଣ କୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

Share This Article