ଡାକ୍ତର ହରେକୃଷ୍ଣ ନାୟକଙ୍କୁ ମିଳିବ ଆଇଏମ୍‌ଏ ସର୍ବୋଚ୍ଚ ସମ୍ମାନ

Odisha Hot News
1 Min Read

ଭଦ୍ରକ: ଭଦ୍ରକ ଜିଲାର ଜଣେ ଜଣାଶୁଣା ପ୍ରତିଷ୍ଠିତ ଡାକ୍ତର ହରେକୃଷ୍ଣ ନାୟକଙ୍କୁ ଭାରତୀୟ ଚିକିତ୍ସକ ସଂଘ (ଆଇଏମ୍‌ଏ) ରାଜ୍ୟ ଶାଖାର ସର୍ବୋଚ୍ଚ ସମ୍ମାନ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ ପାଇଁ ମନୋନୀତ କରାଯାଇଛି । କଟକସ୍ଥିତ ଆଇଏମ୍‌ଏ ହାଉସ୍ ଠାରେ ରାଜ୍ୟ କାର୍ଯ୍ୟକାରୀ କମିଟି ବୈଠକରେ ଡାକ୍ତର ନାୟକଙ୍କୁ ଏହି ପୁରସ୍କାର ପାଇଁ ମନୋନୀତ କରାଯାଇଥିବା ଜଣାପଡିଛି । ଡା. ନାୟକ ଆଇଏମ୍‌ଏର ଜିଲା ସଂପାଦକ ଥିବାବେଳେ ସଂଗଠନକୁ ସୁଦୃଢ କରିବା ସହ ନିୟମିତ ବ୍ୟବଧାନରେ ଏକାଡେମିକ ଆକ୍ଟିଭିଟ୍‌, ଜିଲାସ୍ତରରେ ରାଜ୍ୟ ସମ୍ମିଳନୀ ଆୟୋଜନ କରିବା, ଜିଲାରେ ବିଭିନ୍ନ ସାମାଜିକ କାର୍ଯ୍ୟ କରିବା, କୋଭିଡ୍ କାଳରେ ବିଭିନ୍ନ ଶିବିର ଆୟୋଜନ କରି ସାଧାରଣ ଲୋକଙ୍କୁ ସଚେତନ କରି ସାହାଯ୍ୟ ଯୋଗାଇ ଆସିଛନ୍ତି ।
ଏହାବ୍ୟତୀତ ଏକ ଜରାଶ୍ରମ ସ୍ଥାପନ କରି ବହୁ ନିରାଶ୍ରୟଙ୍କୁ ସାହାରା ଦେଇଛନ୍ତି । ସାମଗ୍ରିକ କୃତିତ୍ୱ ପାଇଁ ଡାକ୍ତର ନାୟକଙ୍କୁ ଏହି ସମ୍ମାନ ନିମନ୍ତେ ମନୋନୀତ କରାଯାଇଛି । ଏଠାରେ ସୂଚନାଯୋଗ୍ୟ, ଡାକ୍ତର ନାୟକ ଆଇଏମ୍‌ଏର ଜିଲା ସଂପାଦକ ରହିବା ସହ ୨ ଥର ପ୍ରାଦେଶିକ ଉପସଭାପତି ଓ ସହ ସଂପାଦକ ଦାୟିତ୍ୱ ବହନ କରି ସୂଚାରୁ ରୂପେ ତୁଲାଇଥିଲେ । ଏହି ଅବସରରେ ଡାକ୍ତର ସଂଘ ପକ୍ଷରୁ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା । ଡା. ନାୟକ ସମସ୍ତ ଆଇଏମ୍‌ଏ ସଦସ୍ୟଙ୍କ ନିକଟରେ ନିଜର କୃତଜ୍ଞତା ଜ୍ଞାପନ କରିଛନ୍ତି । ଭଦ୍ରକ ଜିଲା ପାଇଁ ଏହି ବିରଳ ଗୌରବ ଆଣିଥିବା ଡାକ୍ତର ନାୟକଙ୍କୁ କଟକ ଠାରେ ଏକ ସ୍ୱତନ୍ତ୍ର ଉତ୍ସବରେ ସମ୍ମାନିତ କରାଯିବ ବୋଲି ସୂଚନା ମିଳିଛି ।

Share This Article