ଧାମନଗର ବ୍ଲକ୍ ଉପରେ ଶାସକ ଦଳର ଫୋକସ୍ – Fast News Network

Odisha Hot News
2 Min Read

ଭଦ୍ରକ: ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ୫ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେଉଛି । ଚଳିତ ମାସ ୧୮ ତାରିଖ ଦ୍ୱିତୀୟ ପର୍ଯ୍ୟାୟ ଏବଂ ଗତକାଲି ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଭଦ୍ରକ ଓ ବନ୍ତ ବ୍ଲକ୍‌ର ମୋଟ ୫୮ ଟି ପଞ୍ଚାୟତ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଭଣ୍ଡାରିପୋଖରୀର ୨୩ ଓ ଚାନ୍ଦବାଲିର ୩୬ ଏହିପରି ମୋଟ ୫୯ଟି ପଞ୍ଚାୟତ ପାଇଁ ମତଦାନ ହୋଇସାରିଛି । ୨୨ ତାରିଖ ବାସୁଦେବପୁର ବ୍ଲକ୍‌ର ୩୬ ଟି ଓ ୨୪ ତାରିଖ ଦାମନଗର ବ୍ଲକ୍‌ର ୩୧ ଟି ପଞ୍ଚାୟତ ପାଇଁ ମତଦାନ ହେବ । ତେବେ ପ୍ରଥମ, ଦ୍ୱିତୀୟ, ତୃତୀୟ ପର୍ଯ୍ୟାୟ ମତଦାନ ପରେ ଏବେ ଭଦ୍ରକ ସଦର ମହକୁମା ଓ ନିର୍ବାଚନ ସରିଥିବା ବ୍ଲକ୍‌ର ସମସ୍ତ ରାଜନୈତିକ ଦଳର ନେତାମାନେ ଏବେ ଗ୍ରାମାଞ୍ଚଳ ମୁହାଁ ହୋଇଛନ୍ତି । ସେମାନଙ୍କୁ ଏବେ ନିର୍ବାଚନ ପାଇଁ ଅଳ୍ପ କିଛିଦିନ ବାକିଥିବା ବ୍ଲକ୍ ସଦର ମହକୁମା ସମେତ ସଂପୃକ୍ତ ବ୍ଲକ୍ ଅଧୀନରେ ଥିବା ପଞ୍ଚାୟତରେ ଦେଖିବାକୁ ମିଳୁଛି । ତଥ୍ୟ ଅନୁଯାୟୀ ଗତ ପଞ୍ଚାୟତ ନିର୍ବାଚନରେ ଜିଲାର ମୋଟ ୨୮ ଜିଲା ପରିଷଦ ଆସନ ମଧ୍ୟରୁ ୨୪ ଟିରେ ବିଜେଡି ବିଜୟୀ ହୋଇଥିବାବେଳେ ଧାମନଗର ବ୍ଲକ୍‌ରେ ଥିବା ସମସ୍ତ ୪ଟି ଆସନରେ ବିଜେପି ବିଜୟୀ ହୋଇଥିଲା । ଏପରିକି ପରବର୍ତ୍ତୀ ବିଧାନସଭା ନିର୍ବାଚନରେ ମଧ୍ୟ ବିଜେପି ଏହି ଆସନରୁ ବିଜୟୀ ହୋଇଥିଲା ।
ଏହାର କାରଣ ବିଜେଡିରେ ଥିବା ଆଭ୍ୟନ୍ତରୀଣ ଗୋଷ୍ଠୀ କନ୍ଦଳ ସଂପୂର୍ଣ୍ଣ ଭାବରେ ଦାୟୀ ବୋଲି କୁହାଯାଇଥିଲା । ତେବେ ଏହି ପରିସ୍ଥିତି ବଦଳିଛି । ଶାସକ ଦଳରେ ଥିବା ଗୋଷ୍ଠୀ କନ୍ଦଳ ଆଉ ଦେଖିବାକୁ ମିଳୁନାହିଁ । ସମସ୍ତଙ୍କ ଟାର୍ଗେଟ୍ ଧାମନଗର ପଞ୍ଚାୟତ ସମିତି । ଏହି ପରିପ୍ରେକ୍ଷୀରେ ଯେଉଁ ସମସ୍ତ ବ୍ଲକ୍‌ରେ ନିର୍ବାଚନ ସରିଛି, ସେଠିକାର ବିଧାୟକ ପ୍ରାର୍ଥୀଙ୍କ ସମେତ ସମସ୍ତ ଛାମୁଆ ନେତା ଏବେ ଧାମନଗରରେ । ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ଏବେ ଧାମନଗର ବ୍ଲକ୍‌ରେ ଡେରା ପକାଇଛନ୍ତି । ଏହି ବ୍ଲକ୍ ଅଧୀନରେ ଥିବା ବିଭିନ୍ନ ପଞ୍ଚାୟତରେ ଶ୍ରୀ ମଲ୍ଲିକଙ୍କୁ ଦେଖିବାକୁ ମିଳୁଛି । ସେହିପରି ବିଜେଡି ଜିଲା ସଭାପତି ଜଗନ୍ନାଥ ସ୍ୱାଇଁ ମଧ୍ୟ ଧାମନଗରରେ ଡେରା ପକାଇଛନ୍ତି । ଏପରିକି ଭଦ୍ରକ ପୌରାଞ୍ଚଳର ବହୁ ୱାର୍ଡସ୍ତରୀୟ ନେତା ମଧ୍ୟ ଧାମନଗର ବ୍ଲକ୍‌ର ବିଭିନ୍ନ ପଞ୍ଚାୟତରେ ନିର୍ବାଚନ ପ୍ରଚାରରେ ବ୍ୟସ୍ତ ଅଛନ୍ତି । ଜିଲା ପର୍ଯ୍ୟବେକ୍ଷକ ପ୍ରଣବ ବଳବନ୍ତରାୟଙ୍କ ଠାରୁ ଆରମ୍ଭ କରି ବହୁ ନେତୃମଣ୍ଡଳୀଙ୍କ ଅସ୍ଥାୟୀ ଠିକଣା ପାଲଟିଛି ଧାମନଗର ବ୍ଲକ୍ । କେବଳ ବିଜେଡି ନୁହେଁ; ବିଜେପିର ବହୁ ନେତୃମଣ୍ଡଳୀ ମଧ୍ୟ ଏବେ ଧାମନଗରରେ ଡେରା ପକାଇଛନ୍ତି । ତେଣୁ ସେଠାରେ ଚାଲିଛି ହାଇଭୋଲଟେଜ୍ ପ୍ରଚାର । ଦେଖିବାକୁ ବାକି ରହିଲା ଏହି ହାଇଭୋଲେଟେଜ୍ ପ୍ରଚାରର ଦମ୍ କାହାର କେତେ ।

Share This Article