ଓଭରବ୍ରିଜ ତଳେ ଯାଉଥିବା ଯାତ୍ରୀବାହୀ ବସ୍ ଉପରେ ଖସିଲା ଲୁହାପଥର ବୋଝେଇ ଟ୍ରକ୍

Odisha Hot News
1 Min Read

ଆନନ୍ଦପୁର: କେନ୍ଦୁଝର ଜିଲ୍ଲାର ଶାଳପଡ଼ା ଓଭରବ୍ରିଜ ତଳେ ଯାଉଥିବା ଏକ ଯାତ୍ରୀବାହୀ ବସ୍ ଉପରେ ଲୁହା ପଥର ବୋଝେଇ ଟ୍ରକ ଖସି ପଡ଼ିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ତେବେ ଏହି ଦୁର୍ଘଟଣାରୁ ବସରେ ଥିବା ୫୦ ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି। ବସ ଡ୍ରାଇଭରଙ୍କ ସତର୍କତା ହେତୁ ଏକ ନିଶ୍ଚିତ ବଡ଼ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇ ପାରିଛି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ଦିନ ପ୍ରାୟ ସାଢ଼େ ୧୧ଟା ସମୟରେ କରଞ୍ଜିଆରୁ ଭୁବନେଶ୍ଵର ଅଭିମୁଖେ ଯାଉଥିବା ପଦ୍ମାବତୀ ନାମକ ଏକ ଯାତ୍ରୀବାହୀ ବସ୍ ଶାଳପଡ଼ା ନିକଟରେ ଓଭରବ୍ରିଜ ତଳେ ଯାଉଥିଲା। ଏହି ସମୟରେ କେନ୍ଦୁଝରରୁ ଲୁହାପଥର ବୋଝେଇ କରି ପାରାଦୀପ ଅଭିମୁଖେ ଯାଉଥିବା ଏକ ବାରଚକିଆ ଟ୍ରକ ଭାରସାମ୍ୟ ହରାଇ ଓଭରବ୍ରିଜ ଉପରୁ ତଳକୁ ଖସି ପଡ଼ିଥିଲା। ଟ୍ରକ୍ ଖସୁଥିବା ଦେଖିପାରି ବସ ଚାଳକ ଗାଡ଼ିକୁ ତୁରନ୍ତ ଅଟକାଇ ଦେଇଥିଲେ। ଫଳରେ ବସର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଥିଲେ ହେଁ ଯାତ୍ରୀମାନେ ମୃତାହତ ହୋଇ ନଥିଲେ । ଏହା ପରେ ଯାତ୍ରୀମାନେ ବସର ଜରୁରୀକାଳୀନ ଫାଟକ ଦେଇ ବାହାରି ଆସିଥିଲେ। ଏଥିରେ ବସର କଣ୍ଡକ୍ଟର୍ ଓ ଟ୍ରକ୍ ଡ୍ରାଇଭର୍ ଆହତ ହୋଇଥିବା ସୂଚନା ମିଳିଛି।

Share This Article