ଏସ୍‌ଟିଏଫ୍ ପଞ୍ଝାରେ ୨ ହାତୀଦାନ୍ତ ବେପାରୀ

Odisha Hot News
1 Min Read

ଭୁବନେଶ୍ବର : କ୍ରାଇମ୍‌ବ୍ରାଞ୍ଚର ଏସ୍‌ଟିଏଫ୍‌(ସ୍ପେଶାଲ ଟାସ୍କ ଫୋର୍ସ) ପଞ୍ଝାରେ ପଡ଼ିଛନ୍ତି ଦୁଇ ହାତୀ ଦାନ୍ତ ବେପାରୀ। ସମ୍ବଲପୁର ଅଇଁଠାପାଲି ବରେଇପାଲିରେ ଚଢ଼ଉ କରି ଟିମ୍‌ ଦୁଇ ବେପାରୀଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ଦୁଇଟି ହାତୀ ଦାନ୍ତ ଜବତ କରିଛି। ଅଭିଯୁକ୍ତମାନେ ହେଲେ ସୁବର୍ଣ୍ଣପୁର ଉଲୁଣ୍ଡା ଥାନା ଦୀପାପାଲି ଚଢ଼େଇପାଙ୍କ ଗାଁର ହୃଷୀକେଶ ବାରିକ ଓ ସମ୍ବଲପୁର ଚାରମାଲ ଥାନା କେଉଟିବାହାଲ ଗାଁର ଗୋପାଳକୃଷ୍ଣ ବୁଡ଼ାକ। ଜବତ ହାତୀ ଦାନ୍ତ ଦୁଇଟିର ମୂଲ୍ୟ ପ୍ରାୟ ଅଢ଼େଇ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଉଛି। ବିକିବା ପାଇଁ ମୂଲଚାଲ୍‌ କଲାବେଳେ ଏସ୍‌ଟିଏଫ୍‌ର ଦୁଇଟି ସ୍ବତନ୍ତ୍ର ଟିମ୍‌ ଉଭୟଙ୍କୁ ଗିରଫ କରିଛି। ଆସନ୍ତାକାଲି ଉଭୟ ଅଭିଯୁକ୍ତଙ୍କୁ ଭୁବନେଶ୍ବରରେ କୋର୍ଟ ଚାଲାଣ କରାଯିବ‌ ବୋଲି ଜଣାପଡ଼ିଛି। ତେବେ ଅଭିଯୁକ୍ତ ଦ୍ବୟ କେବଳ ବେପାରୀ ନା ନିଜେ ହାତୀ ଶିକାର କରନ୍ତି, ତାହା ସ୍ପଷ୍ଟ ହୋଇନାହିଁ। ଏ ନେଇ ତଦନ୍ତ ଜାରି ରହିଛି ବୋଲି କୁହାଯାଉଛି।

ଏହି ହାତୀ ଦାନ୍ତ କେତେ ଦିନର? ହତ୍ୟା କରାଯାଇଥିବା ହାତୀର ବୟସ କେତେ? ଏ ସବୁ ଜାଣିବା ପାଇଁ ଜବତ ଦାନ୍ତକୁ ୱାଇଲ୍ଡ ଲାଇଫ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆକୁ ପଠାଯିବ। ସେଠାରେ ପରୀକ୍ଷା ହେବା ପରେ ଦାନ୍ତ ଓ ଶିକାର ହୋଇଥିବା ହାତୀ ସମ୍ବନ୍ଧରେ ସବିଶେଷ ବିବରଣୀ ମିଳିବ ବୋଲି ଏସ୍‌ଟିଏଫ୍‌ କହିଛି। ଧରା ପଡ଼ିଥିବା ବେପାରୀ ଦ୍ବୟ ଶିକାରୀ ନୁହନ୍ତି, କେବଳ ବେପାରୀ ବୋଲି କହୁଛନ୍ତି। ତେଣୁ ଏମାନଙ୍କୁ ପଚରାଉଚରା କରାଯିବା ସହିତ ଏ ନେଇ ଅଧିକ ‌ଖୋଳତାଡ଼ ଚାଲୁରହିଛି। ସେମାନେ ପ୍ରକୃତ ଶିକାରୀ ବାବଦରେ ସୂଚନା ଦେଇଥିବାରୁ ଖୁବ୍‌ ଶୀଘ୍ର ଏସ୍‌ଟିଏଫ୍ ଟିମ୍‌ ହାତୀ ଶିକାରୀକୁ ଧରିବା ପାଇଁ ଜାଲ ବିଛାଇବ ବୋଲି ଜଣାପଡ଼ିଛି।

Share This Article