ପୁରୀ ହାଜତ ମୃତ୍ୟୁ ମାମଲା: ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ରାଜ୍ୟ ସରକାରଙ୍କ ସତ୍ୟପାଠ

Odisha Hot News
2 Min Read

କଟକ: ପୁରୀ ହାଜତ ମୃତ୍ୟୁ ମାମଲାରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ରାଜ୍ୟ ସରକାର ଆଜି ସତ୍ୟପାଠ ଦାଖଲ କରିଛନ୍ତି। ଏହା ହାଜତ ମୃତ୍ୟୁ ନୁହେଁ ବୋଲି ପୁଣି ଥରେ ସତ୍ୟପାଠରେ ଉଲ୍ଲେଖ କରାଯାଇଛି। ଏଥିସହିତ ଶବ ବ୍ୟବଚ୍ଛେଦ ରିପୋର୍ଟ ମଧ୍ୟ ଦାଖଲ କରାଯାଇଛି। ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ୍ ଏସ୍ ମୁରଲୀଧର ଓ ବିଚାରପତି ଜଷ୍ଟିସ୍ ସଞ୍ଜୁ ପଣ୍ଡାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ମାମଲାର ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଜାନୁଆରି ୨୨ ତାରିଖ ପରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାଯାଇଛି।

ସୂଚନାଯୋଗ୍ୟ, ଏହି ମାମଲାରେ ପୂର୍ବରୁ ପୁରୀ ଏସ୍‌ପି ଡକ୍ଟର କେ.ଭି. ସିଂହ ହାଇକୋର୍ଟରେ ଏକ ସତ୍ୟପାଠ ଦାଖଲ କରିଥିଲେ। ଦର୍ଶାଇଥିଲେ ଯେ ଏହି ଘଟଣାକୁ ନେଇ ରାଜ୍ୟ ମାନବାଧିକାର କମିସନ୍ ଓ ଜାତୀୟ ମାନବାଧିକାର କମିସନଙ୍କ ନିକଟରେ କେତେକ ବ୍ୟକ୍ତି ଅଭିଯୋଗ କରିଛନ୍ତି। ଏନ୍‌ଏଚ୍‌ଆର୍‌ସି ଏକ ମାମଲା ରୁଜୁ କରି ପୂର୍ବ‌ ଜୋନ୍ ସ୍ପେସାଲ ରାପୋର୍ଟିଅର ଅବସରପ୍ରାପ୍ତ ଆଇଏଏସ୍ ଡକ୍ଟର ବିନୋଦ ଅଗ୍ରୱାଲଙ୍କୁ ୪ ସପ୍ତାହ ଭିତରେ ତଦନ୍ତ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଡକ୍ଟର ଅଗ୍ରୱାଲ ଘଟଣାସ୍ଥଳ ପରିଦର୍ଶନ କରିବା ସହିତ ତଦନ୍ତ କରି ‌ରିପୋର୍ଟ ଦାଖଲ କରିବେ। ସେହିଭଳି ଏନ୍‌ଏଚ୍‌ଆର୍‌ସି ନିୟମାବଳୀ ଅନୁସାରେ ଘଟଣାର ବିଚାର ବିଭାଗୀୟ ତଦନ୍ତ ପ୍ରସଂଗ ନେଇ ପୁରୀ ଜିଲ୍ଲା ଓ ଦୌରାଜଜଙ୍କ ନିକଟରେ ଏସ୍‌ପି ଆବେଦନ କରିଥିଲେ। ଜିଲ୍ଲା ଜଜ୍ ପୁରୀ ଜେଏମଏଫସିଙ୍କୁ ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ଏନ୍‌ଏଚ୍‌ଆର୍‌ସି ନିୟମାବଳୀ ଅନୁସାରେ ଏଚ୍‌ଆର୍‌ପିସି ‌ଡିଏସପିଙ୍କୁ ମଧ୍ୟ ଘଟଣାର ତଦନ୍ତ ଦାୟିତ୍ବ ଦିଆଯାଇଛି। ବର୍ତ୍ତମାନ ସମୟରେ ଘଟଣାର ତିନୋଟି ସ୍ବାଧୀନ ଓ ନିର‌ପେକ୍ଷ ତଦନ୍ତ ଚାଲିଛି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପୀଡ଼ିତ ପରିବାରର ସ୍ଥିତିକୁ ଦୃଷ୍ଟିରେ ରଖି ୫ ଲକ୍ଷ ଟଙ୍କା ଅନ୍ତରୀଣ କ୍ଷତିପୂରଣ ମଞ୍ଜୁର କରାଯାଇଛି। ମୃତକଙ୍କ ଅଭିଭାବକ ପୁଲିସ ହେପାଜତରେ ନାହାନ୍ତି। ସେମାନଙ୍କ ପ୍ରତି କୌଣସି ଦୁର୍ବ୍ୟବହାର ବା ଧମକ ନେଇ କିଛି ଅଭିଯୋଗ ନାହିଁ ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା।

ପୂର୍ବରୁ ଆବେଦନକାରୀଙ୍କ ପକ୍ଷରୁ ଦାଖଲ ପ୍ରତିଜବାବରେ ଉଲ୍ଲେଖ କରାଯାଇଥିଲା ଯେ ବାସେଳିସାହି ଥାନା ହାଜତରେ କେ. ରମେଶଙ୍କ ମୃତ୍ୟୁ ହୋଇଥିବା ବେଳେ ପୁରୀ ପୁଲିସ ଏହି ଘଟଣାକୁ ଲୁଚାଇବାକୁ ଉଦ୍ୟମ କରୁଛି। ଏହା ଏକ ହାଜତ ମୃତ୍ୟୁ ଘଟଣା ବୋଲି ସ୍ପଷ୍ଟ ହୋଇଥିବା ବେଳେ ପୁଲିସ ବିରୋଧରେ ଗୁରୁତର ଅଭିଯୋଗ ରହିଛି। ତେଣୁ ପୁଲିସ ଛଡ଼ା ଅନ୍ୟ ସ୍ବାଧୀନ ଏଜେନ୍ସି ଦ୍ବାରା ଘଟଣାର ତଦନ୍ତ କରାଯିବା ଆବଶ୍ୟକ ବୋଲି ଆବେଦନକାରୀ ଦର୍ଶାଇଥିଲେ। ଅନ୍ୟପଟେ ଏହି ଘଟଣାର ତଦନ୍ତ ଅଦାଲତ ନିଜେ ତଦାରଖ କରନ୍ତୁ ବୋଲି ଦର୍ଶାଇ ହାଇକୋର୍ଟରେ ଏହି ଜନସ୍ବାର୍ଥ ମାମଲା ଦାୟର ହୋଇଛି। ମାମଲାରେ ରାଜ୍ୟ ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ପୁଲିସ ଡିଜି, ପୁରୀ ଜିଲ୍ଲାପାଳ, ଏସପି ଓ ବାସେଳିସାହି ଥାନା ଆଇଆଇସିଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀ ଶରତ କୁମାର ରାୟଗୁରୁଙ୍କ ପକ୍ଷରୁ ଆଇନଜୀବୀ ଦୀପକ ମହାପାତ୍ର, କବିରାଜ ପ୍ରଧାନ ଓ ପଦ୍ମାଳୟା ମହାପାତ୍ର ମାମଲା ପରିଚାଳନା କରୁଛନ୍ତି।

Share This Article