‘ରାକେଟ ‘ର ଟ୍ରେଲର ରିଲିଜ: ଏପ୍ରିଲ ୨୫ ରେ ହେବ ମୁକ୍ତିଲାଭ

Odisha Hot News
2 Min Read

ଭୁବନେଶ୍ଵର: ମୁକ୍ତିଲାଭ କରିବାକୁ ଯାଉଛି ବହୁ ଚର୍ଚ୍ଚିତ ଓଡ଼ିଆ ସିନେମା ‘ରାକେଟ’। ଭୁବନେଶ୍ୱର ପ୍ରେସ କ୍ଲବ ଠାରେ ଏହାର ଟ୍ରେଲର ରିଲିଜ ହୋଇଯାଇଛି। ଏଥିରେ ଚଳଚ୍ଚିତ୍ରର କଳାକାର ଓ ଟେକନିସିଆନଙ୍କ ସମେତ ଓଲିଉଡ଼ର ଅନେକ ଖ୍ୟାତନାମା ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ।

ଶ୍ରୀ ମୋସନ ପିକ୍ଚର୍ସ ନିବେଦିତ ଏହି ଚଳଚ୍ଚିତ୍ରର ପ୍ରଯୋଜକ ଅଛନ୍ତି ଶ୍ରୀଲେଖା ପଣ୍ଡା। ନିର୍ଦ୍ଦେଶନା ଦେଇଛନ୍ତି ଜଣାଶୁଣା ଯୁବ ନିର୍ଦ୍ଦେଶକ ସଂଗ୍ରାମ ମହାନ୍ତି। କାହାଣୀ ରଚନା କରିଛନ୍ତି ହେମନ୍ତ ପାତ୍ର। ସଂଳାପରେ ଅଛନ୍ତି ବିଜୟ ମଲ୍ଲ। କ୍ୟାମେରାରେ ଆର. ଭଗତ ସିଂ ଥିବା ବେଳେ ସମ୍ପାଦନା କରିଛନ୍ତି ସୁକୁମାର ମଣି। ବିଜୟ ମଲ୍ଲ, ଅରୁଣ ମନ୍ତ୍ରୀ ଓ ବସନ୍ତରାଜ ସାମଲଙ୍କ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ମ୍ୟୁଜିକ ସାଇଣ୍ଟିଷ୍ଟ ପ୍ରେମ ଆନନ୍ଦ।

ଗୀତଗୁଡିକରେ କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର, ଦିପ୍ତୀରେଖା ପାଢ଼ୀ, ଶିବାଶିଷ ମିଶ୍ର, ଶ୍ରୀଚରଣ, ଅନନ୍ୟା ଶ୍ରୀତମ ନନ୍ଦ, ପ୍ରଜ୍ଞା ଓ ନିଶାନ୍ତ ମିଶ୍ର। କିଛି ଦିନର ବ୍ୟବଧାନ ପରେ ଏହି ଚଳଚ୍ଚିତ୍ର ଜରିଆରେ ପ୍ରତ୍ୟାବର୍ତନ କରୁଛନ୍ତି ନୃତ୍ୟ ନିର୍ଦ୍ଦେଶକ ଏସ. କେ ମୁରଲୀଧରନ।

ଚଳଚ୍ଚିତ୍ରର ପ୍ରମୁଖ ଭୂମିକାରେ ନଜର ଆସିବେ ନମ୍ରତା ଥାପ୍ପା, ଦୁଷ୍ମନ୍ତ ପଣ୍ଡା, ପୃଥ୍ବୀରାଜ ନାୟକ, ଅର୍ଲିନ ଅଙ୍କିତା, ହେମନ୍ତ ପାତ୍ର, ଡିସ୍କୋ ରେଡ୍ଡୀ, ସ୍ମୃତି ରଞ୍ଜନ ମହାନ୍ତି (ନଟିଆ), ଧର୍ମାନନ୍ଦ ମହାକୁଡ଼ ଏବଂ ଶିଶୁ କଳାକାର ଶୀତୁଲ ଓ ବବୁଲ। ଏକ ସ୍ୱତନ୍ତ୍ର ଗୀତ ଦୃଶ୍ୟରେ ଅତିଥି କଳାକାର ଭାବେ ଅଭିନୟ କରିଛନ୍ତି ଜଣାଶୁଣା ଅଭିନେତ୍ରୀ ଅଙ୍କିତା ଦାଶ। ରାଜ୍ୟର ଅଗ୍ରଣୀ ବିତରଣକାରୀ ସଂସ୍ଥା ପ୍ରକାଶ ଫିଲ୍ମସ ଏହାର ବିତରଣ ଦାୟିତ୍ୱ ନେଇଛନ୍ତି। କ୍ରି୍ଏଟିଭ ହେଡ ଅଛନ୍ତି ସମ୍ବିତ ଜେନା। ପ୍ରଚାର ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି ହରପ୍ରସାଦ ମହାପାତ୍ର।

ସାମ୍ପ୍ରତିକ ସମୟକୁ ଆଖିରେ ରଖି କାହାଣୀ ରଚନା କରାଯାଇଛି। ବଳିଷ୍ଠ କାହାଣୀ ସାଙ୍ଗକୁ କାହାଣୀରେ ସସ୍ପେନ୍ସ ଓ ଇମୋସନକୁ ବିଶେଷ ଗୁରୁତ୍ୱ ଦିଆଯାଇଛି। ଏହାର ଟ୍ରେଲରକୁ ସମସ୍ତେ ପ୍ରଶଂସା କରିବା ସହିତ ଚଳଚ୍ଚିତ୍ରକୁ ନେଇ ସମସ୍ତେ ଆଶାବାଦୀ ଅଛନ୍ତି। ଏପ୍ରିଲ ୨୫ ତାରିଖରେ ଏହା ସାରା ଓଡିଶାରେ ମୁକ୍ତିଲାଭ କରିବାକୁ ଯାଉଛି।

Share This Article