ଏପ୍ରିଲ ଶେଷସୁଦ୍ଧା ଦୈନିକ ୩ହଜାର ନମୁନା ପରୀକ୍ଷା ଲକ୍ଷ୍ୟ

Odisha Hot News
2 Min Read

ଭୁବନେଶ୍ୱର : ଚଳିତମାସ ଶେଷ ସୁଦ୍ଧା ରାଜ୍ୟରେ ଦୈନିକ ୩ ହଜାର କରୋନା ନମୁନା ପରୀକ୍ଷା କରାଯିବ। ଏଥିପାଇଁ ବଲାଙ୍ଗୀର, ବାଲେଶ୍ୱର, ବାରିପଦା ଓ କୋରାପୁଟଠାରେ ଥିବା ମେଡିକାଲ କଲେଜ ହସ୍ପିଟାଲଗୁଡିକରେ ନମୁନା ପରୀକ୍ଷା ପାଇଁ ଲାବୋରେଟୋରି ଖୋଲାଯିବ। ଗୁରୁବାର ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଆନ୍ତଃମନ୍ତ୍ରୀସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକ ଶେଷରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ବର୍ତ୍ତମାନ ରାଜ୍ୟରେ ଦୈନିକ ୨ହଜାର ନମୁନା ପରୀକ୍ଷା ହେଉଛି। ଏହାକୁ ୩ ହଜାରକୁ ବୃଦ୍ଧି କରାଯିବ। କେବଳ ୪ଟି ମେଡିକାଲ କଲେଜ ନୁହେଁ ଭୁବନେଶ୍ୱରରେ ଥିବା ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରେ କରୋନା ପରୀକ୍ଷା ଆରମ୍ଭ ହୋଇଥିବାବେଳେ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଲାଇଫ ସାଇନ୍ସ(ଆଇଏଲ୍‌ଏସ୍‌)ର ପରୀକ୍ଷା କ୍ଷମତାକୁ ଦୈନିକ ୪୫୦କୁ ବୃଦ୍ଧି କରିବା ପାଇଁ ସ୍ଥିର କରାଯାଇଛି। ଏଥିସହିତ ବାହାର ରାଜ୍ୟରୁ ଆସୁଥିବା ଶ୍ରମିକଙ୍କ ପରୀକ୍ଷା ସେମାନେ ଅଟକିଥିବା ସ୍ଥାନରେ ଯେପରି ହୋଇପାରିବ ସେ ନେଇ କେନ୍ଦ୍ର ସରକାରଙ୍କ ସହ ଆଲୋଚନା ହେବ। ଶୁକ୍ରବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ସହ ଏନେଇ ଆଲୋଚନା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। କୋଭିଡ-୧୯ ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କୁ ଅଧିକ ପ୍ରୋତ୍ସାହନ ରାଶି ଦେବା ପାଇଁ ବୈଠକରେ ଆଲୋଚନା ହୋଇଛି। ତେବେ ଏନେଇ କାୈଣସି ନିଷ୍ପତ୍ତି ହୋଇ ନାହିଁ। କରୋନା ବ୍ୟାପୁଥିବା ୩ଜିଲା ଭଦ୍ରକ, ବାଲେଶ୍ୱର ଓ ଯାଜପୁର ପାଇଁ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଛି। ପଞ୍ଚାୟତରେ ଥିବା କ୍ୱାରାଣ୍ଟାଇନ୍‌ରେ ରହିବା, ଖାଇବା ଓ ଚିକିତ୍ସା ଆଦି ମାଗଣାରେ କରାଯାଇଛି। ଅନ୍ୟ ରାଜ୍ୟରେ ଲକ୍‌ଡାଉନ ଯୋଗୁ ଅଟକି ରହିଥିବା ଓଡ଼ିଆ ଶ୍ରମିକଙ୍କ ମଧ୍ୟରୁ ଯେଉଁମାନେ ଗାଁକୁ ଫେରିବେ, ସେମାନଙ୍କୁ ପ୍ରଥମେ ସଂଙ୍ଗରୋଧରେ ରଖାଯିବ। ପଞ୍ଚାୟତସ୍ତରରେ ଶ୍ରମିକମାନଙ୍କ ପଞ୍ଜୀକରଣ ପାଇଁ ଏକ ୫ଜଣିଆ କମିଟି ଗଠନ କରାଯିବ। ସରପଞ୍ଚଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କିମିଟିରେ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ, ଗ୍ରାମ ରୋଜଗାର ସେବକ ଓ ୩ଜଣ ଶିକ୍ଷକ ରହିବେ। ଏହି କମିଟି ଉପରେ କ୍ୟାରାଣ୍ଟାଇନ ସେଣ୍ଟରର ଦାୟିତ୍ୱ ନ୍ୟସ୍ତ ରହିବ। ସେହିପରି ପଶ୍ଚିମବଙ୍ଗକୁ ଲାଗି ଥିବା ଓଡ଼ିଶା ସୀମା ଦୀର୍ଘ ହୋଇଥିବାରୁ ତାହାକୁୁ ସମ୍ପୂର୍ଣ୍ଣ ସିଲ୍‌ କରିବା ସମ୍ଭବ ନୁହେଁ। ଯେଉଁମାନେ ସୀମା ଆରପଟୁ ଓଡିଶା ଆସୁଛନ୍ତି ସେମାନଙ୍କୁ ବୁଝାଇ ଶୁଝାଇ କ୍ୱାରାଣ୍ଟାଇନରେ ରଖାଯିବ ବୋଲି ମନ୍ତ୍ରୀ ଜେନା କହିଛନ୍ତି। ମନ୍ତ୍ରୀସ୍ତରୀୟ ବୈଠକରେ ପଞ୍ଚାୟତିରାଜମନ୍ତ୍ରୀ ପ୍ରତାପ ଜେନା, ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ, ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁଦାମ ମାର୍ଣ୍ଡି, ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଟୁକୁନି ସାହୁ ପ୍ରମୁଖ ଭାଗ ନେଇଥିଲେ।

Share This Article
13 Comments