ଜୁନ୍‌ ମାସରେ ହୋଇଛି ସ୍ବାଭାବିକଠାରୁ ଅଧିକ ବର୍ଷା

Odisha Hot News
2 Min Read

ଭୁବନେଶ୍ବର : ଓଡ଼ିଶାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିବା ହେତୁ ଜୁନ୍‌ ମାସରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇଛି। ଜୁନ୍‌ ପହିଲାରୁ ୩୦ ତାରିଖ ମଧ୍ୟରେ ଓଡ଼ିଶାରେ ସ୍ବାଭାବିକ ଭାବେ ୨୨୫.୨ ମିମି ବର୍ଷା ହେବା କଥା। ତେବେ ଚଳିତବର୍ଷ ୨୫୭ ମିମି ବର୍ଷା ରେକର୍ଡ କରାଯାଇଛି। ଅର୍ଥାତ୍‌ ଜୁନ୍‌ ମାସରେ ସ୍ବାଭାବିକଠାରୁ ୧୪ ପ୍ରତିଶତ ଅଧିକ ବର୍ଷା ହୋଇଛି। ଝାରସୁଗୁଡ଼ାରେ ସବୁଠାରୁ ଅଧିକ ବର୍ଷା ‌ରେକର୍ଡ କରାଯାଇଛି। ଏଠାରେ ସ୍ବାଭାବିକଠାରୁ ୫୦ ପ୍ରତିଶତ ଅଧିକ ବର୍ଷା ହୋଇଛି। ସେହିପରି ୧୦ଟି ଜିଲ୍ଲାରେ ସ୍ବାଭାବିକଠାରୁ ୨୦ ପ୍ରତିଶତ ଅଧିକ ବର୍ଷା ହୋଇଥିବା ବେଳେ ୧୩ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ରହିଛି। ଉପକୂଳ ଓଡ଼ିଶାରେ ଏଥର ବର୍ଷା ପରିମାଣ କମିଛି। ଜୁନ୍‌ ମାସରେ ଖୋର୍ଧା, ପୁରୀ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ ଜିଲ୍ଲାରେ ସ୍ବାଭାବିକଠାରୁ କମ୍‌ ବର୍ଷା ହୋଇଛି। ପୁରୀରେ ସବୁଠାରୁ କମ୍‌ ବର୍ଷା ରେକର୍ଡ କରାଯାଇଛି। ଜୁନ୍‌ ମାସରେ ଏଠାରେ ସ୍ବାଭାବିକ ଭାବେ ୧୬୮.୭ ମିମି ବର୍ଷା ହେବା କଥା। ତେ‌ବେ ଚଳିତବର୍ଷ ମାତ୍ର ୯୭.୧ ମିମି ହୋଇଛି। ଜୁଲାଇ ମାସରେ ବର୍ଷା ପରିମାଣ ବଢ଼ିବାର ସମ୍ଭାବନା ରହିଛି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦେଶକ ଏଚ୍‌ ଆର ବିଶ୍ବାସଙ୍କ କହିବାନୁଯାୟୀ ଆସନ୍ତା ଦୁଇ ଦିନ ଓଡ଼ିଶାରେ ଅଧିକ ବର୍ଷା ନାହିଁ। ତେବେ ୪ ତାରିଖଠାରୁ ମୌସୁମୀ ବାୟୁ ପୁଣିଥରେ ସକ୍ରିୟ ହେବାକୁ ଥିବାରୁ ବର୍ଷା ପରିମାଣ ବଢ଼ିପାରେ। ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହେବାକୁ ଥିବା ବେଳେ ଉତ୍ତର ଓଡ଼ିଶାର ଅଳ୍ପ କିଛି ସ୍ଥାନରେ ବର୍ଷା ହୋଇପାରେ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ମାଳକାନଗିରି, କନ୍ଧମାଳ, ଢେଙ୍କାନାଳ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ଆସନ୍ତା ୪ ଓ ୫ ତାରିଖରେ ଦେବଗଡ଼, ଅନୁଗୁଳ, କେନ୍ଦୁଝର, ସମ୍ବଲପୁର, ସୁନ୍ଦରଗଡ଼, ସୋନପୁର, ବଲାଙ୍ଗୀର, ନୂଆପଡ଼ା, ନବରଙ୍ଗପୁର ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ୬ ତାରିଖରେ ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହେବ।

Share This Article