ରଥ ଯାତ୍ରାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ନିଷ୍ପତ୍ତି ଛାଡ଼ିଲେ ହାଇ କୋର୍ଟ

Odisha Hot News
2 Min Read

କଟକ: ରଥ ଯାତ୍ରା କିପରି ହେବ ସେ ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ନ୍ୟସ୍ତ କଲେ ହାଇ କୋର୍ଟ । ରଥ ଯାତ୍ରା ବନ୍ଦ କରିବା ପାଇଁ ପ୍ରାର୍ଥନା କରି ଦାୟର ହୋଇଥିବା ଏକ ଜନସ୍ୱାର୍ଥ ମାମଲା ସହ ରଥ ଯାତ୍ରା କରାଯାଉ ବୋଲି ଅନୁରୋଧ କରି ଦାୟର ହୋଇଥିବା ମାମଲାଗୁଡ଼ିକର ଏକତ୍ର ଶୁଣାଣି କରି ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି ହାଇ କୋର୍ଟ ।

ଗୁଣ୍ଡିଚା ପୂର୍ବରୁ ପୁରୀର ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୋଭିଡ଼଼ ଗାଇଡ଼ଲାଇନକୁ ପାଳନ କରି ରଥ ଯାତ୍ରା କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପ୍ରାୟ ଦେଢ଼ ଘଣ୍ଟା ଧରି ଏହି ମାମଲାର ଶୁଣାଣି କରାଯାଇଥିବା ବେଳେ ରାଜ୍ୟ ସରକାର ସଠିକ ସମୟରେ ସଠିକ ନିଷ୍ପତ୍ତି ଗ୍ରହଣ କରିବେ ବୋଲି ଆଡ଼ଭୋକେଟ ଜେନେରାଲ କୋର୍ଟଙ୍କୁ ଅବଗତ କରାଇଥିଲେ।

‘‘ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଲା ଯେ ଏ ବର୍ଷ ରଥ ଯାତ୍ରା ହେଉଛି । ରଥ ନିର୍ମାଣ ଚାଲିଛି, ସ୍ନାନ ପୂର୍ଣ୍ଣିମା ମଧ୍ୟ ଶେଷ ହୋଇଛି। କୋର୍ଟ ମଧ୍ୟ ରାଜ୍ୟ ସରକାରଙ୍କ କଥାରେ ସହମତ ହୋଇଛନ୍ତି । ଜଗନ୍ନାଥ ପ୍ରେମୀ ଙ୍କ ପାଇଁ ଏହା ଠାରୁ ବଡ଼ କଥା ବା କଣ ହୋଇଥାଇପରେ?’’ ଖୁସିରେ ପଚାରିଛନ୍ତି ରଥ ଯାତ୍ରା ହେବା ସପକ୍ଷରେ ହାଇ କୋର୍ଟ ଇଣ୍ଟରଭେନସନ୍‌ ପିଟିସନ ଦାଖଲ କରିବା ଆଇନଜୀବୀ ବିଭୂତି ଚୌଧୁରୀ।

ରଥ ଯାତ୍ରା ବନ୍ଦ କରିବା ପାଇଁ ହାଇ କୋର୍ଟରେ ଦାୟର ହୋଇଥିବା ଏକ ଜନସ୍ୱାର୍ଥ ମାମଲା ପରିଚାଳନା କରୁଥିବା ଆଇନଜୀବୀ ସୁବ୍ରତ କୁମାର ନାୟକ କହିଛନ୍ତି: ‘‘ଆମେ କୋର୍ଟଙ୍କ ନିର୍ଦ୍ଦେଶକୁ ସ୍ୱାଗତ କରୁଛୁ । କିନ୍ତୁ କୋର୍ଟ ରଥ ଯାତ୍ରା ବନ୍ଦ କରିବା ନେଇ ଆମ ଯୁକ୍ତିକୁ ଗୁରୁତର ସହ ନେଇଛନ୍ତି । ରଥ ଯାତ୍ରା ନେଇ ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ଛାଡ଼ିଛନ୍ତି ।’’

ତେବେ ରଥ ଯାତ୍ରାକୁ ନେଇ ହାଇ କୋର୍ଟଙ୍କ ନିର୍ଦ୍ଦେଶକୁ ତର୍ଜମା କରି ହାଇ କୋର୍ଟ ବାର ଆସୋସିଏସନର ପୂର୍ବତନ ସଭାପତି ସତ୍ୟବ୍ରତ ମହାନ୍ତି କୁହିଛନ୍ତି: ‘‘ଆସନ୍ତା କାଲି ପରିସ୍ଥିତି କ’ଣ ହେବ ସେ କଥାର ପୂର୍ବାନୁମାନ ନା କୋର୍ଟ କରିପାରୁଛନ୍ତି ନା ସରକାର । ତା’ ଛଡ଼ା ରଥ ଯାତ୍ରା କରିବା ନେଇ ସରକାରଙ୍କ ଆନ୍ତରିକତା ଥିବା ଭଳି ଲାଗୁନାହିଁ । ଯଦି ଥା’ନ୍ତା ତାହେଲେ ସେ ପୋଲିସକର୍ମୀ ହୁଅନ୍ତୁ କି ସେବାୟତ, ଯେଉଁମାନେ ରଥ ଯାତ୍ରା ସମୟରେ ପ୍ରତ୍ୟକ୍ଷ ଭୂମିକା ଗ୍ରହଣ କରନ୍ତି ସେମାନଙ୍କୁ କ୍ୱାରେଣ୍ଟିନରେ ରଖାଯିବ କଥା । କିନ୍ତୁ ତାହା ହୋଇ ନାହିଁ । ଯଦି ରଥ ଯାତ୍ରା ହେବ ତେବେ ରଥକୁ କିଏ ଟାଣିବେ ସେ କଥା ମଧ୍ୟ ଆଜି ପର୍ଯ୍ୟନ୍ତ ସରକାର ସ୍ପଷ୍ଟ କଲେ ନାହିଁ ।’’

ଗୁଣ୍ଡିଚା ସମୟରେ ପୁରୀରେ କ’ଣ ସ୍ଥିତି ଥିବ ତାହା ଉପରେ ନିର୍ଭର କରୁଛି ଚଳିତ ବର୍ଷର ରଥ ଯାତ୍ରା । ତେଣୁ ରଥ ଯାତ୍ରା ସମ୍ପର୍କିତ ଶେଷ ନିଷ୍ପତ୍ତି ନେବା ପୂର୍ବରୁ ରାଜ୍ୟ ସରକାର ବିଭିନ୍ନ ପ୍ରସଙ୍ଗ ଉପରେ ତର୍ଜମା କରୁଥିବା ଜଣା ପଡ଼ିଛି ।

Share This Article