ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ଗାନ ସମୟରେ ପାଳନ କରାଯିବ ଏସବୁ ନିୟମ

Odisha Hot News
2 Min Read

ଭୁବନେଶ୍ବର: କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ‘ବନ୍ଦେ ଉତ୍କଳ ଜନନୀ’… ଗୀତକୁ ଆଜି ଓଡ଼ିଶା ସରକାର ରାଜ୍ୟ ସଙ୍ଗୀତ ଭାବେ ସ୍ବୀକୃତି ପ୍ରଦାନ କରିଛନ୍ତି। ଆଜି ଆୟୋଜିତ ରାଜ୍ୟ କ୍ୟାବିନେଟ ବୈଠକରେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ଗ୍ରହଣ କରାଯାଇଥିବା କଥା ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଗଣମାଧ୍ୟମ ଆଗରେ ଘୋଷଣା କରିଛନ୍ତି।

କାନ୍ତକବିଙ୍କର ଏହି କାଳଜୟୀ ରଚନା ୧୯୧୨ ମସିହାରୁ ଉତ୍କଳ ସମ୍ମିଳନୀର ବିଭିନ୍ନ ଅଧିବେଶନରେ ଗାନ କରାଯାଉଥିଲା। ୧୯୩୬ ମସିହା ଏପ୍ରିଲ୍ ପହିଲାରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠିତ ହେବା ସମୟରୁ ‘ବନ୍ଦେ ଉତ୍କଳ ଜନନୀ’… ରାଜ୍ୟ ସଙ୍ଗୀତ ଭାବରେ ପ୍ରତିଟି ଓଡ଼ିଆର ହୃଦୟରେ ଓ ଭାବନାରେ ରହି ଆସିଛି। ଏହି ସଙ୍ଗୀତର ପ୍ରତିଟି ଶବ୍ଦରେ ଭରି ରହିଛି ଦେଶଭକ୍ତିର ଶକ୍ତି, ଶୌର୍ଯ୍ୟ ଓ ସୌନ୍ଦର୍ଯ୍ୟ, ଅଗ୍ରଗତି କରିବା ପାଇଁ ଅଦମ୍ୟ ପ୍ରେରଣା। ବ୍ୟକ୍ତିଗତ ଦୁଃଖ ଓ ଯନ୍ତ୍ରଣାକୁ ପଛରେ ପକାଇ ମାତୃଭୂମୀ, ମାତୃଭାଷା ତଥା ଓଡ଼ିଆ ଜାତିକୁ ଗୋଟିଏ ସୂତ୍ରରେ ବାନ୍ଧି ରଖିବା ପାଇଁ ତାଙ୍କର ଉଦ୍ୟମ ପାଇଁ ସେ ଚିର ନମସ୍ୟ ବୋଲି କହି ରାଜ୍ୟ କ୍ୟାବିନେଟ୍ ତାଙ୍କର ଅମର ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲା।

ତେବେ ଏହାକୁ ଗାଇବା ସମୟରେ କେଉଁସବୁ ନିୟମ ପାଳନ କରାଯିବ ସେ ସମ୍ପର୍କରେ ଆସନ୍ତୁ ଜାଣିବା…

୧. କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ସମ୍ପୂର୍ଣ୍ଣ ଗୀତଟି ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତ ଭାବେ ଗ୍ରହଣ କରାଗଲା।

୨. ଗାୟନର ଅନୁମୋଦିତ ସ୍ବର, ଶୈଳୀ, ରେକର୍ଡିଂ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସ୍ଥିର କରିବ।

୩. ଗାୟନର ଅବଧି, ସ୍ବର ତଥା ଶୈଳୀ ରେକର୍ଡିଂ ଅନୁଯାୟୀ ନିର୍ଦ୍ଧାରିତ ହେବ।

୪. ସରକାରୀ କାର୍ଯ୍ୟକ୍ରମ, ବିଧାନସଭା ଅଧିବେଶନରେ ଏହି ସଙ୍ଗୀତ ଗାନ କରାଯିବ।

୫. ଶିକ୍ଷାନୁଷ୍ଠାନ, ସଭାସମିତିରେ ମଧ୍ୟ ଗାନ କରାଯିବ।

୬. ଉଦ୍‌ଘାଟନୀ, ଉଦ୍‌ଯାପନୀ, ଉଦ୍‌ବୋଧନୀ ସଙ୍ଗୀତ ଭାବେ ଗାନ କରାଯିବ।

୭. ପୋଲିସ ବ୍ୟାଣ୍ଡ୍‌, ବଂଶୀ, ସୀତାର ବାଦ୍ୟଯନ୍ତ୍ରରେ ମଧ୍ୟ ପରିବେଷଣ କରାଯିବ।

୮. ପ୍ରଚାର ଓ ପ୍ରସାର ପାଇଁ ସୃଜନାତ୍ମକ ପରିବେଷଣ ଉପରେ କଟକଣା ନାହିଁ।

୯. ସ୍କୁଲ, କଲେଜ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବା ଲାଗି ନିର୍ଦ୍ଦେଶ।

୧୦. ରାଜ୍ୟ ସଙ୍ଗୀତ ଗାନ ସମୟରେ ସମସ୍ତେ ଦଣ୍ଡାୟମାନ ରହିବେ।

୧୧. ରାଜ୍ୟ ସଙ୍ଗୀତ ଗାନ ସମୟରେ ବୃଦ୍ଧ, ଭିନ୍ନକ୍ଷମ, ଅସୁସ୍ଥ, ଗର୍ଭବତୀ ନମ୍ର ଭାବରେ ବସି ସମ୍ମାନ ଜଣାଇବେ

Share This Article