ଭୁବନେଶ୍ୱର : ଅର୍ଜୁନ ପୁରସ୍କାର ପାଇଁ ରାଜ୍ୟରୁ ଦ୍ୱିତୀୟ ଖେଳାଳି ଭାବେ ବୀରେନ୍ଦ୍ର ଲାକ୍ରାଙ୍କ ନାମ ସୁପାରିସ କରିଛନ୍ତି ରାଜ୍ୟ ସରକାର । ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଅଲିମ୍ପିଆନ ଦୂତି ଚାନ୍ଦ ଓ ହକି ତାରକା ବୀରେନ୍ଦ୍ରଙ୍କ ନାମ ସିଧାସଳଖ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟକୁ ସୁପାରିସ ହୋଇଛି ।
ଭେଟେରାନ ଡିଫେଣ୍ଡର ବୀରେନ୍ଦ୍ର ଲାକ୍ରା ଅନ୍ତର୍ଜାତୀୟ ହକିରେ ୧୯୬ ମ୍ୟାଚ୍ (୧୦ ଗୋଲ) ଖେଳିବା ସହ ଏସୀୟ କ୍ରୀଡ଼ା, ରାଜ୍ୟଗୋଷ୍ଠୀ କ୍ରୀଡ଼ା, ବିଶ୍ୱକପ୍ ଓ ଅଲିମ୍ପିକ୍ସ ଖେଳିବାର ଅଭିଜ୍ଞତା ରଖିଛନ୍ତି । କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହକି ବିଶ୍ୱକପ୍ ଦଳରେ ସେ ସାମିଲ ଥିଲେ । ଗତ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟରେ ମଧ୍ୟ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ଭାରତୀୟ ଦଳ କଳିଙ୍ଗରୁ ହିଁ ଟୋକିଓ ଅଲିମ୍ପିକ୍ସ ଟିକେଟ୍ ହାସଲ କରିଥିଲା ।
ଗତକାଲି ଜାତୀୟ କ୍ରୀଡ଼ା ପୁରସ୍କାର ଆବେଦନର ଶେଷ ତାରିଖ ରହିଥିଲା । ମାତ୍ର କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଏହାକୁ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ପୂର୍ବ ନିୟମରେ କିଛିଟା ପରିବର୍ତ୍ତନ କରିଛନ୍ତି କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ । କ୍ରୀଡ଼ାବିତମାନେ ପୁରସ୍କାର ପାଇଁ ନିଜ ନାମ ନିଜେ କ୍ରୀଡ଼ା ବିଭାଗକୁ ଇ-ମେଲ୍ ଯୋଗେ ପଠାଇ ପାରିବେ ।
ହକି ଇଣ୍ଡିଆ କିନ୍ତୁ ବୀରେନ୍ଦ୍ରଙ୍କ ନାମ ସୁପାରିସ କରି ନାହିଁ । ବରଂ ଖେଳରତ୍ନ ପାଇଁ ରାଣୀ ରାମପାଲ ଏବଂ ଅର୍ଜୁନ ପୁରସ୍କାର ପାଇଁ ବନ୍ଦନା କାଟାରିଆ, ମୋନିକା ଓ ହର୍ମନପ୍ରୀତଙ୍କ ନାମ ପଠାଇଛି । ହର୍ମନପ୍ରୀତଙ୍କ ଠାରୁ ବୀରେନ୍ଦ୍ର ବରିଷ୍ଠ ଓ ଦକ୍ଷ ଖେଳାଳି ହୋଇଥିଲେ ବି ହକି ଇଣ୍ଡିଆ ତାଙ୍କ ନାମ ନେଇ ନାହିଁ । ରାଜ୍ୟ କ୍ରୀଡ଼ା ବିଭାଗ ନିଜ ଆଡ଼ୁ ଦୁଇ କ୍ରୀଡ଼ାବିତଙ୍କ ନାମ ସୁପାରିସ କରିଥିବା ଏକ ଅଫିସିଆଲ ପତ୍ରରୁ ସ୍ପଷ୍ଟ ହୋଇଛି ।
Comment