ଖୋର୍ଦ୍ଧା ଏସପି ଏବଂ ବାଣପୁର ଥାନା ଆଇଆଇସିଙ୍କୁ ପ୍ରଶଂସା ପତ୍ର ପ୍ରଦାନ କଲେ ଓଡିଶା ଡିଜିପି: ଜାଣନ୍ତୁ କାରଣ

Odisha Hot News
2 Min Read

ଖୋର୍ଦ୍ଧା: ଏକ ହତ୍ୟା ମାମଲାର ପର୍ଦ୍ଦାଫାସ କରିବା ସହ ଉତ୍କୃଷ୍ଟ ତଦନ୍ତ ଓ ବଳିଷ୍ଠ ସାକ୍ଷ୍ୟ ପ୍ରମାଣ ଲାଗି ଅଭିଯୁକ୍ତଙ୍କୁ ଆଜୀବନ କାରାଗାର ଦଣ୍ଡାଦେଶ ହୋଇଥିବାରୁ ଖୋର୍ଦ୍ଧା ଏସପି ସାଗରୀକା ନାଥ ଏବଂ ବାଣପୁର ଥାନା ଆଇଆଇସି ରମେଶ କୁମାର ଦେବତାଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରିଛନ୍ତି ଓଡିଶା ଡିଜିପି ୱାଇ.ବି ଖୁରାନିଆ।

ସୂଚନା ମୁତାବକ ୨୦୧୯ ମସିହାରେ କୋରାପୁଟ ଜିଲ୍ଲା ବୈପାରୀଗୁଡା ଥାନା ଅଞ୍ଚଳରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଥିଲା। ଉକ୍ତ ଥାନା ଅଞ୍ଚଳର ରାସନ ଦୋକାନୀ ତ୍ରିନାଥ ହୋତାଙ୍କୁ ଅଭିଯୁକ୍ତ ମୁକୁ ସାନ୍ତା ଟାଙ୍ଗିଆରେ ହାଣି ମାରିଦେଇଥିବା ଅଭିଯୋଗ କରିଥିଲେ ମୃତ ତ୍ରିନାଥ ଙ୍କ ପୁତ୍ର ଡମ୍ବୁରୁଧର ହୋତା। ଏ ନେଇ ବୈପାରୀଗୁଡା ଥାନାରେ କେସ ନମ୍ବର ୪୪/୧୯ ରେ ଏକ ହତ୍ୟା ମାମଲା ରୁଜୁ ହୋଇଥିବାବେଳେ ତତ୍କାଳୀନ ବୈପାରୀଗୁଡା ଥାନା ଓଆଇସି ତଥା ବର୍ତ୍ତମାନ ବାଣପୁର ଥାନା ଆଇଆଇସି ରମେଶ କୁମାର ଦେବତା ଉକ୍ତ ମାମଲାର ତଦନ୍ତକାରୀ ଅଧିକାରୀ ଥିଲେ ଏବଂ ତତ୍କାଳୀନ ଜୟପୁର ଏସଡିପିଓ ତଥା ବର୍ତ୍ତମାନ ଖୋର୍ଦ୍ଧା ଏସପି ସାଗରିକା ନାଥ ଉକ୍ତ ମାମଲାକୁ ପରିଚାଳନା କରୁଥିଲେ।

ତେବେ ଉଭୟ ଅଧିକାରୀଙ୍କ ଉତ୍କୃଷ୍ଟ ତଦନ୍ତ, ପରିଚାଳନା ଓ ସାକ୍ଷ୍ୟ ପ୍ରମାଣ ବଳରେ ନିକଟରେ ଉକ୍ତ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅଭିଯୁକ୍ତ ମୁକୁ ସାନ୍ତାଙ୍କୁ ଜୟପୁର ଅତିରିକ୍ତ ଦୌରା ଜଜ ବିଦ୍ୟାଧର ପୃଷ୍ଟି ଆଜୀବନ କାରାଗାର ଓ ଦୁଇ ହଜାର ଟଙ୍କା ଜରିମାନା ଏବଂ ଜରିମାନା ଅନାଦେୟ ହେଲେ ଅତିରିକ୍ତ ଦୁଇ ବର୍ଷର ଦଣ୍ଡାଦେଶ ଶୁଣାଇଛନ୍ତି।

ଉକ୍ତ ମାମଲାକୁ ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ସୁଧୀର ତ୍ରିପାଠୀ ପରିଚାଳନା କରୁଥିଲେ। ତେବେ ଉକ୍ତ ରାୟ ଦ୍ୱାରା ଓଡିଶା ପୋଲିସର ମନୋବଳ ବଢିଥିବା ବେଳେ ପୋଲିସ ଅଧିକାରୀ ମାନେ ଏହା ଦ୍ୱାରା ପ୍ରେରିତ ହୋଇ ଆଗକୁ ଆହୁରି ଦକ୍ଷତାର ସହ ମାମଲାର ତଦନ୍ତ କରିବେ ବୋଲି ଡିଜିପି ଆଶା କରିଛନ୍ତି।

ଏହି ଅବସରରେ ଓଡିଶା ଡିଜିପି ଶ୍ରୀ ଖୁରାନିଆ ଉଭୟ ଖୋର୍ଦ୍ଧା ଏସପି ସାଗରିକା ନାଥ ଓ ବାଣପୁର ଥାନା ଆଇଆଇସି ରମେଶ କୁମାର ଦେବତାଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରିବା ସହ ଅଭିନନ୍ଦନ ଜଣାଇଛନ୍ତି ଏବଂ ଉଭୟ ଅଧିକାରୀ ନିଜର କର୍ତ୍ତବ୍ୟ ପ୍ରତି ସମର୍ପିତ ହୋଇ କାର୍ଯ୍ୟ କରିଥିବାରୁ ଓଡିଶା ପୋଲିସ ପାଇଁ ପ୍ରେରଣା ପାଲଟିଥିବା ପ୍ରଶଂସା ପତ୍ରରେ ଉଲ୍ଲେଖ କରିଛନ୍ତି।

Share This Article