ନୟାଗଡ଼ ଜ଼ିଲ୍ଲାରେ ପ୍ରସିଦ୍ଧ ଦଣ୍ଡ ଯାତ୍ରା ଆରମ୍ଭ

Odisha Hot News
1 Min Read

ନୟାଗଡ: ରାଜରାଜୁଡା ଅମଳରୁ ଜ଼ିଲ୍ଲାର ବିଭିନ୍ନ ଅଞ୍ଚଳରେ ଦଣ୍ଡଯାତ୍ରା ଅନୁଷ୍ଠିତ ହୋଇଆସୁଥିବା ବେଳେ ଚଳିତବର୍ଷ ମଧ୍ୟ ଆରମ୍ଭ ହୋଇଛି ପ୍ରସିଦ୍ଧ ଦଣ୍ଡଯାତ୍ରା। ଜ଼ିଲ୍ଲାର ୮ଟି ବ୍ଲକରେ ଦଣ୍ଡପର୍ବ ନିମନ୍ତେ ପାଣିତୋଳା ସହ ଦଣ୍ଡଯାତ୍ରା ଆରମ୍ଭ ହୋଇଛି। ମାନସିକଧାରୀ ଦଣ୍ଡୁଆମାନେ ଏକତ୍ର ହୋଇ ବିଭିନ୍ନ ଗ୍ରାମର ପୋଖରୀଠାରେ ପାରମ୍ପରିକ ରୀତିନୀତି ଅନୁଯାୟୀ ହୋମଯଜ୍ଞ ସହ ଷୋଡ଼ଶ ଉପଚାର ପୂଜାର୍ଚ୍ଚନା କରି ଦଣ୍ଡକାଳୀଙ୍କୁ ଆବାହନ କରିଥିଲେ। ଏହା ପରେ ଠାକୁର ସମଗ୍ର ଗ୍ରାମକୁ ଢୋଲ, ଝାଞ୍ଜ, ମହୁରୀ ବାଦ୍ୟ ଓ ହରିବୋଲ, ହୁଳହୁଳି ତଥା ଶଙ୍ଖଧ୍ୱନିରେ ପରିକ୍ରମା କରିଥିଲା।

ଏହି ଅବସରରେ ଗ୍ରାମର ପ୍ରତ୍ୟେକ ଘର ସାମ୍ନାରେ ପୂର୍ଣ୍ଣକୁମ୍ଭ, ଧୂପ, ଦୀପ ସହିତ ବିଭିନ୍ନ ଭୋଗ ରଖାଯାଇଥିଲା। ଏହି ଦଣ୍ଡଯାତ୍ରା ଆସନ୍ତା ମହାବିଷୁବ ପଣା ସଂକ୍ରାନ୍ତି ଦିନ ମାନସିକଧାରୀ ଦଣ୍ଡୁଆମାନେ ବାର ହାତ ନିଆଁଗାତରେ ଝାମୁ ଚାଲିବା କାର୍ଯ୍ୟକ୍ରମ ସହିତ ଏହାର ପୂର୍ବଦିନ ମେରୁ ପର୍ବରେ ଅଗ୍ନିରେ ଘୋର ତପର ପରୀକ୍ଷା ଦେଇ ପରାକାଷ୍ଠା ଦେଖାଇବେ ଦଣ୍ଡୁଆମାନେ।

ଉଲ୍ଲେଖଯୋଗ୍ୟ, ଚୈତ୍ର ମାସରେ ଦଣ୍ଡଯାତ୍ରା ଏକ ପାରମ୍ପରିକ ଉତ୍ସବ। ଏଥିପାଇଁ ଓଡ଼ିଶାର ପୁରପଲ୍ଲୀଠାରୁ ଆରମ୍ଭ କରି ସବୁଠାରେ ନିଷ୍ଠା ଓ କାଷ୍ଠାର ପର୍ବ ଭାବେ ଜଣାଶୁଣା ଦଣ୍ଡପର୍ବ ପାଳିତ ହୋଇଥାଏ। ମୀନ ସଂକ୍ରାନ୍ତିଠାରୁ ଆରମ୍ଭ କରି ମହାବିଷୁବ ପଣା ସଂକ୍ରାନ୍ତି ପର୍ଯ୍ୟନ୍ତ ଗାଁ ଗାଁରେ ଆମିଷର ବ୍ୟବହାର ଓ ବିକ୍ରି ଉପରେ କଟକଣା ଲାଗୁ କରାଯାଇଥାଏ।

Share This Article