ମାଈ ବାଛୁରୀ ଯୋଜନାରେ ଓମ୍ଫେଡ୍ ପକ୍ଷରୁ ଦାନା ବଣ୍ଟନର ଶୁଭାରମ୍ଭ

Odisha Hot News
2 Min Read

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ରବିବାର ମାଈ ବାଛୁରୀଙ୍କୁ ରିହାତି ଦରରେ ବାଛୁରୀ ଦାନା ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଏହି ଉପଲକ୍ଷେ କଟକ ଜିଲ୍ଲା କନ୍ତାପଡା ବ୍ଲକ ଅନ୍ତର୍ଗତ ଶ୍ରୀମା ଆଞ୍ଚଳିକ ଦୁଗ୍ଧ ଉତ୍ପାଦକ ସମବାୟ ସମିତି, ଛେଣ୍ଡ ଆନୁକୂଲ୍ୟରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିର କଟକ ମିଲ୍କ ୟୁନିୟନର ସଭାପତି ତଥା ଓମ୍ଫେଡର ବୈଷୟିକ ପରାମର୍ଶଦାତା ଡକ୍ଟର ଦିଗମ୍ବର ନାୟକଙ୍କ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଏଲ୍ଆରଡିଏସର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଆତ୍ମାର ନିର୍ଦେଶକ, କଣ୍ଟାପଡା ବ୍ଲକ ବିଡିଓ, କଟକ ଦୁଗ୍ଧ ସଂଘର ଅଧିକାରୀ, କଣ୍ଟାପଡା ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଏବଂ ଡିସିଏସ୍ ସଦସ୍ୟ ସଦସ୍ୟାମାନେ ଉପସ୍ଥିତ ଥିଲେ।

ଏଥିରେ କଣ୍ଟାପଡା ବ୍ଲକ ଅନ୍ତର୍ଗତ ଶ୍ରୀମା ଆଂଚଳିକ ଦୁଗ୍ଧ ଉତ୍ପାଦକ ସମବାୟ ସମିତି ଅଧିନରେ ଆସୁଥିବା ବିଭିନ୍ନ ଗାଁରୁ ବହୁ ଚାଷୀ ସାମିଲ ହୋଇଥିଲେ। ଯେଉଁମାନେ କୃତ୍ରିମ ଉପାୟରେ ମାଈ ବାଛୁରୀ ଜନ୍ମ କରାଇଛନ୍ତି, ସେହି ଦୁଗ୍ଧ ଚାଷୀମାନଙ୍କୁ ରିହାତି ଦରରେ ବାଛୁରୀ ଦାନା ପ୍ରଦାନ କରାଯିବା ସହ ବାଛୁରୀ କାର୍ଡ ବିତରଣ କରାଯାଇଥିଲା। ପରେ ବାଛୁରୀମାନଙ୍କୁ ନେଇ ଏକ ଶୋଭାଯାତ୍ରା କଣ୍ଟାପଡା ବଜାର ପରିକ୍ରମା କରିଥିଲା।

ସୂଚନାଯୋଗ୍ୟ କି, ରାଜ୍ୟରେ ଦୁଗ୍ଘ ଉତ୍ପାଦନ ବୃଦ୍ଧି କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନା ଅନ୍ତର୍ଗତ ମାଈ ବାଛୁରୀ ପାଳନ ଯୋଜନା ମାଧ୍ୟମରେ ଆଗାମୀ ୫ ବର୍ଷ ମଧ୍ୟରେ ଜନ୍ମିତ ୧ ଲକ୍ଷ ମାଈ ବାଛୁରୀଙ୍କୁ ୫୦ ପ୍ରତିଶତ ରିହାତି ଦରରେ ବାଛୁରୀ ପିଛା ୧୪୦୦ କେଜି ଦାନା ଦେବାର ବ୍ୟବସ୍ଥା କରାଯାଇଅଛି। ଯେଉଁ ଚାଷୀମାନେ କୃତ୍ରିମ ଉପାୟରେ ମାଈ ବାଛୁରୀ ପ୍ରଜନନ କରାଇବେ, ସେମାନଙ୍କୁ ରାଜ୍ୟ ସରକାର ଓମ୍ଫେଡ୍ ଜରିଆରେ ବାଛୁରୀ ଦାନା ୫୦ ପ୍ରତିଶତ ରିହାତି ଦରରେ ଯୋଗାଇ ଦେବେ। ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାର ଅଂଶ ସ୍ୱରୂପ ମାଈ ବାଛୁରୀ ପାଳନ ପାଇଁ ଆଜି ଓମ୍ଫେଡ୍ ପକ୍ଷରୁ କଟକ ଜିଲ୍ଲାର କଣ୍ଟାପଡାରୁ ବାଛୁରୀ କାର୍ଡ ଓ ଦାନା ବିତରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି।

Share This Article