ପବିତ୍ର ଦୋଳ ପୂର୍ଣ୍ଣମୀ ଅବସରରେ ଶ୍ରୀକ୍ଷେତ୍ରରେ ଚତୁଃର୍ଦ୍ଧାମୂର୍ତ୍ତୀଙ୍କ ସୁନାବେଶ ଅନୁଷ୍ଠିତ

Odisha Hot News
1 Min Read

ପୁରୀ: ଆଜି ପବିତ୍ର ଦୋଳ ପୂର୍ଣ୍ଣୀମା ଅବସରରେ ଶ୍ରୀକ୍ଷେତ୍ରରେ ଉତ୍ସବ ମୁଖର ପରିବେଶ ମଧ୍ୟରେ ଶ୍ରୀଜିଉ ଭକ୍ତ ମାନଙ୍କ ସହିତ ଖେଳିଛନ୍ତି ରଙ୍ଗର ହୋଲି। ଆଜି ଏ ନେଇ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥିବା ବେଳେ ରତ୍ନବେଦିରେ ଚତୁଃର୍ଦ୍ଧାମୂର୍ତ୍ତୀ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ସେହିପରି ଶ୍ରୀମନ୍ଦିରରୁ ମଣି ବିମାନରେ ଦୋଳଗୋବିନ୍ଦ,ଭୂଦେବୀ, ଶ୍ରୀଦେବୀ ବିଜେ କରି ଦୋଳବେଦୀରେ ନିଆରା ଦୋଳ ପୁର୍ଣିମା ପରମ୍ପରାକୁ ସମ୍ପନ କରିଥିବା ବେଳେ ଏହି ଅନନ୍ୟ ଯାତ୍ରାରେ ସାମିଲ ହୋଇଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ। ଋତୁରାଜ ବସନ୍ତର ଆଗମନରେ ଧରାପୃଷ୍ଠ ଏବେ ଉତ୍ସବମୁଖର ଗାଁରୁ ସହର ସବୁଆଡେ ଏବେ ଦେଖିବାକୁ ମିଳୁଛି ଦୋଳଉତ୍ସବର ପଟୁଆର। ଆନନ୍ଦ ଉଲ୍ଲାସର ଏହି ରଙ୍ଗ ଖେଳରେ କେବଳ ଭକ୍ତ ନୁହନ୍ତି ବରଂ ସ୍ୱୟଂ ଭଗବାନ ବି ଓହ୍ଲାଇଆସିଛନ୍ତି ଭକ୍ତଙ୍କ ଗହଣକୁ।

ଶ୍ରୀମନ୍ଦିରରେ ପାଳିତ ହେଉଥିବା ଦ୍ୱାଦଶ ଯାତ୍ରା ମଧ୍ୟରେ ଦୋଳ ଉତ୍ସବ ଏକ ପ୍ରମୁଖ ଯାତ୍ରା ହୋଇଥିବା ବେଳେ ଆଜି ସକାଳ ଧୂପ ଶେଷ ହେବାପରେ ଘଣ୍ଟ ଘଣ୍ଟା କାହାଳୀ ପଟୁଆରରେ ଶ୍ରୀଜିଉଙ୍କ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଭୂଦେବୀ ଓ ଶ୍ରୀଦେବୀ ବିମାନରେ ବସି ଦୋଳବେଦୀକୁ ବିଜେକରିଥିଲେ। ସେଠାରେ ପରମ୍ପରା ଅନୁଯାୟୀ ବନ୍ଦାପନା ପରେ ଅବିର ଖେଳ ଅନୁଷ୍ଠିତ ହୋଇଥିବା ବେଳେ ଶତାଧିକ ଭକ୍ତ ଏହି ପଟୁଆରରେ ଯାଇ ଫଗୁ ଖେଳରେ ସାମିଲ ହୋଇଥିଲେ।

ବିଶ୍ୱାସ ରହିଛି ଆଜି ମହାପ୍ରଭୁଙ୍କୁ ଦର୍ଶନ କଲେ ମିଳିଥାଏ ଅଶେଷ ପୂର୍ଣ୍ଣ। ସେହିପରି ଦୋଳ ପୁର୍ଣିମା ଅବସରରେ ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହୋଇଛି ଶ୍ରୀଜିଉଙ୍କର ସୁନାବେଶ। ଫଗୁ ଦଶମୀରୁ ଆରମ୍ଭ ହୋଇଥିବା ଏହି ମହୋତ୍ସବ ପୂର୍ଣ୍ଣମୀରେ ଶେଷ ହୋଇଥିବାରୁ ଶ୍ରୀମନ୍ଦିରରେ ଦର୍ଶନ ଲାଗି ଲକ୍ଷାଧିକ ଭକ୍ତଙ୍କ ଭିଡ ଜମିଛି। ଭକ୍ତ ମାନେ ମହାପ୍ରଭୁଙ୍କ ସହିତ ରଙ୍ଗ ଖେଳି ବେଶ ଆନନ୍ଦିତ ହେବା ସହିତ ସାନିଧ୍ୟ ଲାଭ କରିଛନ୍ତି।

Share This Article