ନୂଆଦିଲ୍ଲୀରେ ସମ୍ମାନିତ ହେଲେ ବାଣପୁରର ଯୁବ ସମାଜସେବୀ ଜିତେନ୍ଦ୍ର ଭୋଳ

Odisha Hot News
1 Min Read

ଭୁବନେଶ୍ଵର: ନୂଆଦିଲ୍ଲୀରେ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ସମ୍ମାନିତ ହେଲେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳର ଯୁବ ସମାଜସେବୀ ଜିତେନ୍ଦ୍ର ଭୋଳ। ନିକଟରେ ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ ନ୍ୟାସନାଲ ୟୁଥ ଇନ୍ସପିରେସନ ଆୱାର୍ଡରେ ସମ୍ମାନିତ ହୋଇଛନ୍ତି ଜିତେନ୍ଦ୍ର।

ଭାରତୀୟ ଯୁବା ୱେଲଫେୟାର ଆସୋସିଆସନ ଆନୁକୂଲ୍ୟରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ସାରା ଦେଶରୁ ବିଭିନ୍ନ କ୍ଷେତ୍ରରେ ମନୋନୀତ ହୋଇଥିବା ଏକାଧିକ ଯୁବ ସମାଜସେବୀଙ୍କୁ ସମ୍ମାନିତ କରାଯାଇଛି। ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସମାଜ ତଥା ଦେଶ ସେବାରେ ନିଜକୁ ଉତ୍ସର୍ଗ କରିଥିବା ଯୁବକ ମାନଙ୍କୁ ଉକ୍ତ ପୁରସ୍କାର ଦିଆଯାଇଛି।

ଏହି ପରିପ୍ରେକ୍ଷୀରେ ବାଣପୁର ଅଞ୍ଚଳର ଯୁବ ସମାଜସେବୀ ଜିତେନ୍ଦ୍ର ଭୋଳ ସ୍ୱଳ୍ପ ବୟସ ମଧ୍ୟରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ସେ ସମାଜସେବା କ୍ଷେତ୍ରରେ ବିଭିନ୍ନ ଜନହିତକର କାର୍ଯ୍ୟ କରି ପ୍ରଶଂସା ସାଉଁଟିଛନ୍ତି।

ଉକ୍ତ ସମ୍ମାନ ସମାରୋହ କାର୍ଯ୍ୟକ୍ରମରେ ସମଗ୍ର ଦେଶରୁ ବହୁ ପ୍ରତିଷ୍ଠିତ ରାଜନେତା, ସମାଜସେବୀ, ଗାୟକ, କ୍ରୀଡ଼ାବିତ ଆଦି ଯୋଗ ଦେଇଥିଲେ। ତେବେ ଜିତେନ୍ଦ୍ରଙ୍କ ଉକ୍ତ ସଫଳତା ପାଇଁ ତାଙ୍କୁ ସ୍ଥାନୀୟ ବିଧାୟକ ତଥା ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ ଏବଂ ବାଣପୁରବାସୀ ଶୁଭେଚ୍ଛା ଜଣାଇଛନ୍ତି।

Share This Article