ଓଡିଆ ଚଳଚ୍ଚିତ୍ର ‘ଆଶିକ ଦିୱାନା’ର ଶୁଭ ମହୁରତ

Odisha Hot News
2 Min Read

ଭୁବନେଶ୍ବର: ମହାଦେବ ପ୍ରଡକ୍ସନ ନିବେଦିତ ତଥା ପ୍ରମୋଦ କୁମାର ସ୍ୱାଇଁଙ୍କ ପ୍ରଯୋଜିତ ନୂଆ ଓଡ଼ିଆ କଥାଚିତ୍ର ‘ଆଶିକ ଦିୱାନା’ ର ଶୁଭ ମହୁରତ ଅନୁଷ୍ଠିତ ହୋଇ ଯାଇଛି। ସ୍ଥାନୀୟ ଗଟେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ଏହି ମହୁରତ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ବରିଷ୍ଠ ପ୍ରଯୋଜକ ଅକ୍ଷୟ କୁମାର ପରିଜା ମହୁରତ କ୍ଲାପ ଦେଇଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ପ୍ରମୋଦ ଅର୍କିଡ଼ ରିଟ୍ରିଟର ନିର୍ଦ୍ଦେଶକ ବନ୍ଦନ ମହାନ୍ତି, ପ୍ରଯୋଜକ ସଚ୍ଚିକାନ୍ତ ଜେନା, ପ୍ରକାଶ ଫିଲ୍ମସର ନିର୍ଦେଶକ ପ୍ରଶାନ୍ତ ବେହେରା, ଅଭିନେତା ପପୁ ପମ ପମ, ଆମ ଟିଭି ନିର୍ଦ୍ଦେଶକ ପ୍ରଣୟ ଜେଠୀ, ପ୍ରଯୋଜକ ଅମୁଲ୍ୟ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

‘ତୁ ମୋ ଆଖିର ତାରା’, ‘ଦେ ମା ଶକ୍ତି ଦେ ‘, ‘ତୁ ମୋ ଗାର୍ଲଫ୍ରେଣ୍ଡ’, ‘ଦିୱାନା ଦିୱାନୀ’ ଓ ‘ଆଶିକ’ ପରି ଛଟି ସଫଳ ଚଳଚ୍ଚିତ୍ର ଭେଟି ଦେଇଥିବା ନିର୍ମାତା ପ୍ରମୋଦ କୁମାର ସ୍ୱାଇଁ ଦୀର୍ଘ ବର୍ଷ ପରେ ପୁଣି ଥରେ ପ୍ରଯୋଜନା କ୍ଷେତ୍ରକୁ ଫେରିଛନ୍ତି। ତାଙ୍କ ସହିତ ଅନ୍ୟତମ ପ୍ରଯୋଜକ ଅଛନ୍ତି ସଂଜୀବ ବିଶ୍ୱାଳ। ଏଥର ନିର୍ଦ୍ଦେଶନାର ଭାର ତୁଲାଉଛନ୍ତି ଓଲିଉଡ଼ର ଅନ୍ୟତମ ସଫଳ ନିର୍ଦ୍ଦେଶକ ଏସ. ଦିଲୀପ ପଣ୍ଡା।

ସଂଳାପ ରଚନା କରିଛନ୍ତି ବରିଷ୍ଠ ସଂଳାପକାର ଡ. ରଜନୀ ରଞ୍ଜନ। ସଙ୍ଗୀତ ଦେଇଛନ୍ତି ଜେ. ଏନ ପଦ୍ମ। ଅନେକ ଗୁଡିଏ ସଫଳ ଆଲବମର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ପଦ୍ମା ପ୍ରଥମ ଥର ପାଇଁ ଚଳଚ୍ଚିତ୍ର ଜଗତରେ ପାଦ ରଖିଛନ୍ତି । ଗୀତରଚନା କରିଛନ୍ତି ଡ. ନିର୍ମଳ ନାୟକ, ଅରୁଣ ମନ୍ତ୍ରୀ ଓ ମନୋଜ କୁମାର ପଣ୍ଡା। ଗୀତ ଗୁଡିକରେ ଓଲିଉଡ଼ର ସମସ୍ତ ଆଗଧାଡିର କଣ୍ଠଶିଳ୍ପୀମାନେ କଣ୍ଠଦାନ କରିଛନ୍ତି। ସେମାନେ ହେଲେ ହ୍ୟୁମାନ ସାଗର, ଅସୀମା ପଣ୍ଡା, ଦିପ୍ତୀରେଖା ପାଢ଼ୀ, କୁଲଦୀପ, ସତ୍ୟଜିତ, ସ୍ୱୟଂ ପାଢ଼ୀ, ଆନ୍ତରା ଚକ୍ରବର୍ତ୍ତୀ ଓ ଅନନ୍ୟା ଶ୍ରୀତମ ନନ୍ଦ।

‘ଆଶିକ ଦିୱାନା’ ର ମୁଖ୍ୟ ଭୂମିକାରେ ଦୀପକ ଓ ରିୟା ନଜର ଆସିବେ। ଅନ୍ୟାନ୍ୟ ଚରିତ୍ରରେ ପ୍ରିୟଙ୍କା ପାଣିଗ୍ରାହୀ, ପ୍ରଦ୍ୟୁମ୍ନ ଲେଙ୍କା, ପୃଥ୍ୱୀରାଜ, ବବି ମିଶ୍ର, ଜୀବନ ପଣ୍ଡା, ଅମର ମହାପାତ୍ର, ଇଲିଆନା ପଣ୍ଡା ଓ ଡିସ୍କୋ ରେଡ୍ଡୀ ପ୍ରମୁଖ ଙ୍କୁ ଦେଖିବାକୁ ମିଳିବ। କ୍ରି୍ଏଟିଭ ପ୍ରଡକ୍ସନ ଡିଜାଇନର ଦାୟିତ୍ୱ ସମ୍ଭାଳିବେ ଅମର ମହାପାତ୍ର। ପ୍ରଚାର ପ୍ରସାର ମୁଖ୍ୟ ଭୂମିକା ନିର୍ବାହ କରିଛନ୍ତି ହରପ୍ରସାଦ ମହାପାତ୍ର ।

ଶୀର୍ଷକରୁ ଏହା ସ୍ପଷ୍ଟ ଜଣା ପଡୁଛି ଯେ ଚଳଚ୍ଚିତ୍ରର କାହାଣୀ ପ୍ରେମ ଉପରେ ପର୍ଯ୍ୟାବସିତ। ତା ସହିତ ଏଥିରେ ଆକ୍ସନ, ଇମୋସନ, ଫାମିଲି ଡ୍ରାମା, କମେଡି, ସବୁକିଛି ଭରି ରହିଛି । ଏହି ସମ୍ପୂର୍ଣ୍ଣ ମନୋରଞ୍ଜନ ଧର୍ମୀ କାହାଣୀଟି ଦର୍ଶକଙ୍କୁ ବେଶ ପସନ୍ଦ ଆସିବ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛନ୍ତି। ଚଳଚ୍ଚିତ୍ରଟି ଆଗାମୀ ସପ୍ତାହରେ ଫ୍ଲୋରକୁ ଆସିବ।

Share This Article