ମାଲକାନଗିରି ପୋଲିସ ଦ୍ୱାରା ୩ ଜଣ ଦୁର୍ଦ୍ଧାନ୍ତ ମହିଳା ମାଓବାଦୀ ଗିରଫ

Odisha Hot News
2 Min Read

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଗୁଣ୍ଠାୱାଡ଼ା ଗ୍ରାମ ନିକଟରୁ ପୋଲିସ ଜଣେ ଏରିଆ କମିଟି ସଦସ୍ୟଙ୍କ ସମେତ ୩ ଜଣ ଦୁର୍ଦ୍ଧାନ୍ତ ମହିଳା ମାଓବାଦୀକୁ ଗିରଫ କରିଛି। ଗିରଫ ମହିଳା ମାଓବାଦୀମାନେ ହେଲେ ସ୍ୱପ୍ନା ଓରଫ ଚନ୍ଦ୍ରମା ଖିଲ, ବବିତା ଓରଫ କମଳା ଖିଲ ଓ ସୁନିତା ଖିଲ ଓ ଏମାନଙ୍କ ଘର ମାଲକାନଗିରି ଜିଲ୍ଲାର ଜୋଡ଼ାମ୍ବ ଥାନା ଅନ୍ତର୍ଗତ ଧାକଡ଼ପଦର ଗ୍ରାମରେ ବୋଲି ଜଣାପଡ଼ିଛି। ଗୁଣ୍ଠାୱାଡ଼ା ଗ୍ରାମରେ କିଛି ଲୋକ ସନ୍ଦେହଜନକ ଭାବେ ବୁଲୁଥିବା ଖବର ପାଇ ଚିତ୍ରକୋଣ୍ଡା ପୋଲିସ ଏବଂ ଡି.ଭି.ଏଫ ଯବାନମାନେ ସଂପୃକ୍ତ ଅଞ୍ଚଳରେ ତଲାସୀ କରି ଏହି ୩ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ।

ତେବେ ଅନ୍ୟମାନେ ଖସି ପଳାଇବାରେ ସକ୍ଷମ ହୋଇଥିଵା ଜଣାପଡିଛି। ଗିରଫ ମହିଳା ମାଓବାଦୀ ସ୍ୱପ୍ନା ଗତ ୨୦୧୮ ମସିହାରେ ମାଓ ସଙ୍ଗଠନରେ ସାମିଲ ହୋଇଥିବା ବେଳେ ବର୍ତମାନ ସେ ଆନ୍ଧ୍ର ଓଡିଶା ସୀମାନ୍ତ ସ୍ୱତନ୍ତ୍ର ଜୋନାଲ କମିଟିର ମିଲିଟାରୀ ପ୍ଲାଟୁନରେ ଗୁମ୍ମା ଅଞ୍ଚଳରେ କାର୍ଯ୍ୟରତ ଥିଲା ଓ ତା ନାମରେ ଓଡ଼ିଶା ସରକାର ୪ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲେ। ସେହିଭଳି ବବିତା ଓ ସୁନିତା ଗତ ୨୦୨୧ ମସିହାରେ ମାଓ ସଙ୍ଗଠନରେ ସାମିଲ ହୋଇଥିବା ବେଳେ ଉଭୟ ମାଓନେତା ଉଦୟର ସୁରକ୍ଷା ଦଳରେ ପାର୍ଟି ମେମ୍ବର ଭାବେ କାର୍ଯ୍ୟ କରୁଥିଲେ ଓ ଉଭୟଙ୍କ ନାମରେ ଓଡ଼ିଶା ସରକାର ୨ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ଘୋଷଣା କରିଥିଲେ। ସ୍ୱପ୍ନା କୋରାପୁଟ, ମାଲକାନଗିରି ଜିଲ୍ଲା ସମେତ ଛତିଶଗଡ଼ ରାଜ୍ୟରେ ୬ ଟି ଗୁଳି ବିନିମୟ ଘଟଣା ଓ ଯୋଡ଼ାମ୍ବ ଗ୍ରାମରେ ଘର ପୋଡ଼ି ଘଟଣାରେ ସଂପୃକ୍ତ ଥିବା ଜଣାପଡିଛି।

ସେହିଭଳି ବବିତା ଓ ସୁନିତା ମାଲକାନଗିରି ଜିଲ୍ଲା ଓ ଛତିଶଗଡ଼ ରାଜ୍ୟରେ ୩ ଟି ଗୁଳି ବିନିମୟ ଘଟଣାରେ ସଂପୃକ୍ତ ଥିବା ଦକ୍ଷିଣା ପଶ୍ଚିମାଞ୍ଚଳ ଡି.ଆଇ.ଜି ନିତି ଶେଖର ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଏଥିସହ ପଚରାଉଚରା ବେଳେ ବହୁ ତଥ୍ୟ ଜଣାପଡିଛି ଓ ସେଥିନେଇ ତଦନ୍ତ କରାଯାଉଥିବା ଦକ୍ଷିଣା ପଶ୍ଚିମାଞ୍ଚଳ ଡି. ଆଇ. ଜି ନିତି ଶେଖର ପ୍ରକାଶ କରିଛନ୍ତି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ମାଲକାନଗିରି ଏସ.ପି ବିବେକାନନ୍ଦ ଶର୍ମା, ଅତିରିକ୍ତ ଏସ. ପି ତପନ ନାରାୟଣ ରଥଙ୍କ ସମେତ ବହୁ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।

Share This Article