ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଉନ୍ମୋଚନ କାର୍ଯ୍ୟକ୍ରମ

Odisha Hot News
1 Min Read

ଭୁବନେଶ୍ୱର/କଟକ:  କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି କଟକରେ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଅନାବରଣ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀଙ୍କ ଉପସ୍ଥିତିରେ ଶ୍ରୀ ପ୍ରଧାନ କହିଛନ୍ତି ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଶତବାର୍ଷିକୀ ତଥା ସୁଶାସନ ଦିବସର ଅବ୍ୟବହିତ ପୂର୍ବରୁ ଐତିହାସିକ ସହର କଟକରେ ତାଙ୍କର ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଅନାବରଣ କରିବା ଆମର ସୌଭାଗ୍ୟ। କଟକରେ ଅଟଳଜୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ ନେଇ ପୂର୍ବତନ ମନ୍ତ୍ରୀ ତଥା ଲୋକପ୍ରିୟ ଜନନେତା ସ୍ୱର୍ଗତ ସମୀର ଦେ’ଙ୍କ ଇଚ୍ଛା ଥିଲା, ଯାହା ଆଜି ପୂରଣ ହୋଇଛି।

ସୁଶାସନ ଓ ଆର୍ଥିକ ବିକାଶର ପଥ ପ୍ରଦର୍ଶକ ଅଟଳୀଙ୍କର ଓଡ଼ିଶାର ବିକାଶ ପ୍ରତି ଅବଦାନ ଅତୁଳନୀୟ। ୧୯୯୯ ମସିହାର ମହାବାତ୍ୟାରେ ଓଡ଼ିଶାର ପୁନଃନିର୍ମାଣ ପାଇଁ ଅଟଳଜୀଙ୍କ ସମ୍ବେଦନଶୀଳ ଦୃଷ୍ଟିକୋଣ ଥିଲା ସ୍ୱତନ୍ତ୍ର। ଓଡ଼ିଶାର ବିକାଶ ପାଇଁ ଅର୍ଥର ଅଭାବ ରହିବ ନାହିଁ, ଏହା ଥିଲା ଅଟଳଜୀଙ୍କର କାଳଜୟୀ ବାକ୍ୟ। ମହାବାତ୍ୟା ପ୍ରଭାବିତଙ୍କ ପାଇଁ ରିଲିଫ ହେଉ ଅଥବା ମୁଣ୍ଡ ଉପରେ ପକ୍କା ଘର ବା ଦୀର୍ଘମିଆଦି ଭିତ୍ତିଭୂମିର ବିକାଶ – ଏ ସବୁ ପାଇଁ ଅଟଳଜୀଙ୍କ ଯୋଗଦାନ ଚିରସ୍ମରଣୀୟ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି।

Share This Article