ଆସୁଛି ଆଉ ଏକ ଲଘୁଚାପ, ଏଥର ବଡଦିନରେ ଭିଜିବ ଓଡିଶା

Odisha Hot News
1 Min Read

ଭୁବନେଶ୍ବର: ରାଜ୍ୟରେ ଗତ ଦୁଇ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷା ଆଜି କମିଥିବା ବେଳେ ଆସିଛି ଆଉ ଏକ ଲଘୁଚାପ। ଆସନ୍ତା ୨୪ ତାରିଖରୁ ପୁଣି ବର୍ଷା ହୋଇପାରେ ବୋଲି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ‘ଏକ୍ସ’ ଯୋଗେ  ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ପଶ୍ଚିମ-ଦକ୍ଷିଣପଶ୍ଚିମ ଦିଗରେ ଗତି କରି ଆଗାମୀ ୨୪ ତାରିଖ ବେଳକୁ ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଉତ୍ତର ତାମିଲନାଡୁ ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଉପକୂଳ ନିକଟସ୍ଥ ହେବାର ସମ୍ଭାବନା ରହିଛି।ପଶ୍ଚିମା ଝଡ ପ୍ରଭାବରେ ବର୍ଷା ସମ୍ଭାବନା ରହିଥିବା ବେଳେ ୭ ଜିଲ୍ଲାରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ଆକଳନ କରିଛି ବିଭାଗ ।

କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ରାୟଗଡା ଜିଲ୍ଲାରେ ହେବ ବର୍ଷା । ସେହିପରି ୯ ଜିଲ୍ଲାକୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା । ଜିଲ୍ଲାଗୁଡ଼ିକ ହେଲା ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ ଢେଙ୍କାନାଳ, ନୟାଗଡ, କନ୍ଧମାଳ, କୋରାପୁଟ, ମାଲକାନଗିରି ।

ସେହିପରି ୨୫ ତାରିଖରେ ୧୧ ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା ଦେଇଛି ବିଭାଗ। ଆଜି ଏବଂ କାଲି ଘନ କୁହୁଡି ନେଇ ୫ ଜିଲ୍ଲାକୁ ୟେଲୋ ଆଲର୍ଟ ରହିଛି । ୫ ଜିଲ୍ଲା କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା ଅନୁଗୁଳ ଓ କଳାହାଣ୍ଡିକୁ କୁହୁଡି ପାଇଁ ସତର୍କତା ଜାରି କରିଛି ବିଭାଗ। ୫ ଜିଲ୍ଲାରେ ୫୦ ମିଟର ତଳକୁ ଖସିବ ଦୃଶ୍ୟମାନ ଦୂରତା। ସେହିପରି ୨୬ରୁ ୨୮ ତାରିଖ ଯାଏଁ ରହିବ ଶୁଖିଲା ପାଗ। ୨୯ ତାରିଖରୁ ପୁଣି କୋହଲା ପାଗ ସହ ବର୍ଷା ସମ୍ଭାବନା ରହିଥିବା ବେଳେ ଆଗାମୀ ୩ ଦିନ ପରେ ବଢିବ ଶୀତର ପ୍ରଭାବ ବୋଲି ସୂଚନା ଦେଲେ ଆଞ୍ଚଳିକ ପାଣିପାଗ କେନ୍ଦ୍ର।

Share This Article