ଆସନ୍ତାକାଲିଠୁ ରାଜ୍ୟସ୍ତରୀୟ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ସର୍ଗି ଫୁଲ ଉତ୍ସବ

Odisha Hot News
2 Min Read

ଭୁବନେଶ୍ୱର: ଆରମ୍ଭ ହେବାକୁ ଯାଉଛି ରାଜ୍ୟସ୍ତରୀୟ ସର୍ଗିଫୁଲ ଉତ୍ସବ ୨୦୨୪। ଭୁବନେଶ୍ୱର ୟୁନିଟ୍-୧ ସ୍ଥିତ ଆଦିବାସୀ ପଡ଼ିଆଠାରେ ଡିସେମ୍ବର ୧୮ ରୁ ୨୦ ତାରିଖ ଯାଏଁ ତିନି ଦିନ ବ୍ୟାପୀ ଏହି ଉତ୍ସବର ଆୟୋଜନ କରାଯାଉଛି। ଚଳିତ ବର୍ଷ ୩୦ ଟି ଜିଲ୍ଲାରୁ ୩୫୧ ଜଣ ଛାତ୍ର, ୭୩୧ ଜଣ ଛାତ୍ରୀ ଯୋଗଦେବାକୁ ଥିବା ବେଳେ ୧୩୯ ଜଣ କ୍ରୀଡ଼ା ଶିକ୍ଷକ ଏବଂ ମାର୍ଗଦର୍ଶୀ ଶିକ୍ଷକ ଭାଗ ନେବାର କାର୍ଯ୍ୟକ୍ରମ ରହିଛି।

ଏଥିସହିତ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ଅନ୍ତର୍ଗତ ୧୦୦ ଜଣ ଛାତ୍ରଛାତ୍ରୀଙ୍କୁ ଦଶମ ବୋର୍ଡ଼ ପରୀକ୍ଷାରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ନିମନ୍ତେ ସମ୍ବର୍ଦ୍ଧିତ କରାଯିବାକୁ ଥିବା ବେଳେ ବୋର୍ଡ଼ ପରୀକ୍ଷାରେ ଶ୍ରେଷ୍ଠ ପ୍ରଦର୍ଶନ ଦେଖାଇଥିବା ୫୦ ଟି ଉଚ୍ଚ ବିଦ୍ୟାଳୟକୁ ସମ୍ମାନିତ କରାଯିବ। ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ପତ୍ରିକା “ସର୍ଗିଫୁଲ- ୨୦୨୪” ଲୋକାର୍ପିତ କରାଯିବାର କାର୍ଯ୍ୟକ୍ରମ ରହିଛି।

ଉଦଘାଟନୀ ସମାରୋହରେ ମନ୍ତ୍ରୀ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ଶ୍ରୀଯୁକ୍ତ ରବି ନାରାୟଣ ନାଏକ ଯୋଗଦେବାକୁ ଥିବା ବେଳେ ଉଦଯାପନୀ ସମାରୋହରରେ ମନ୍ତ୍ରୀ, ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ଏବଂ ମାନ୍ୟବର ମନ୍ତ୍ରୀ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଏବଂ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ଶ୍ରୀଯୁକ୍ତ ଗଣେଶ ରାମ ସିଂ ଖୁଣ୍ଟିଆ ଯୋଗ ଦେବାକୁ କାର୍ଯ୍ୟକ୍ରମ ରହିଛି।

ଚଳିତ ବର୍ଷ ରାଜ୍ୟସ୍ତରୀୟ ଉତ୍ସବରେ କନିଷ୍ଠ ଓ ବରିଷ୍ଠ ବର୍ଗରେ ପୃଥକ ଭାବେ ପ୍ରାୟ ୨୪ ପ୍ରକାର ପ୍ରତିଯୋଗିତାର ଆୟୋଜନ କରାଯିବ। ସାଧାରଣଜ୍ଞାନ, ସଙ୍ଗୀତ, ନୃତ୍ୟ, ବାଦ୍ୟଯନ୍ତ୍ର ବାଦନ, ବିଜ୍ଞାନ ପ୍ରଦର୍ଶନୀ, ଶିଶୁ ସାମ୍ବାଦିକ, ବକ୍ତୃତା, ଅଭିନୟ, ସୃଜନଶୀଳ ଲେଖନ, ଚିତ୍ରାଙ୍କନ, ନାଟ୍ୟଶାଳା ଆଦି ବିଭିନ୍ନ ପ୍ରତିଯୋଗିତା ଏବଂ କର୍ମଶାଳାର ଆୟୋଜନ କରାଯିବ।ଏଥିସହ ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ।

Share This Article