କୃଷକ ପ୍ରଚାର ରଥର ଶୁଭାରମ୍ଭ

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଚଳିତ ବର୍ଷ ପଞ୍ଜିକୃତ ସମସ୍ତ ଚାଷୀଙ୍କ ଠାରୁ ଯେପରି ସୁରୁଖୁରୁରେ ଧାନ କିଣା ଯିବ ସେଥିପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତିକୁ ଜୋରଦାର କରାଯାଇଛି। ଆଜି ଏନେଇ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରେ ଏକ କୃଷକ ପ୍ରଚାର ରଥ ଶୁଭାରମ୍ଭ ହୋଇଛି। ଉପଜିଲ୍ଲାପାଳ ଅନିଲ କୁମାର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସବୁଜ ପତାକା ଦେଖାଇ ଉକ୍ତ ରଥକୁ ଶୁଭାରମ୍ଭ କରିଛନ୍ତି। ଉକ୍ତ ରଥ ଆଜି ଠାରୁ ଉପଖଣ୍ଡର ବିଭିନ୍ନ ଗାଁ ପରିକ୍ରମା କରି ଚଳିତବର୍ଷର ଧାନ କିଣା ବାବଦରେ ଚାଷୀମାନଙ୍କୁ ସଚେତନ କରିବ।

ଏହା ସହ ଚାଷୀ ଯେପରି ମଣ୍ଡିକୁ ଖାଦ୍ୟ ଉପଯୋଗୀ, ଶୁଖିଲା, ପରିସ୍କାର, ସମରଙ୍ଗୀ, ସମଆକାର, ଏକ କିସମ ହୋଇଥିବା ସହ ପୋକରା ଦୁର୍ଗନ୍ଧ ଓ ବିଷାକ୍ତ ପଦାର୍ଥ ମୁକ୍ତ ହୋଇଥିବା ଧାନ ଧରି ଆଣିବା ସହ ୨୩୦୦ ଟଙ୍କାର ସର୍ବନିମ୍ନ ସହାୟକ ମୂଲ୍ୟ ଓ ୮୦୦ ଟଙ୍କାର ଇନପୁଟ୍ ସହାୟତା ପାଇବେ ସେ ନେଇ ପ୍ରଚାର ମାଧ୍ୟମରେ ଅବଗତ କରାଯିବ। ପ୍ରଚାର ରଥ ଶୁଭାରମ୍ଭ ସମୟରେ ଆରଏମସି ସଂପାଦକ ସୁମନ୍ତ କୁମାର ସାହୁଙ୍କ ସମେତ ଆରଏମସିର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

Share This Article