କ୍ୱାରାଣ୍ଟାଇନ ସେଣ୍ଟର ଖାଦ୍ୟ ତାଲିକା ଜାରିକଲେ ଗଞ୍ଜାମ ଜିଲାପାଳ

Odisha Hot News
1 Min Read

ଛତ୍ରପୁର : ଗଞ୍ଜାମ ଜିଲା ବେଗୁନିଆପଡ଼ା ବ୍ଲକର ୨ଟି କ୍ୱାରାଣ୍ଟାଇନ ସେଣ୍ଟରରେ କିଛି ଦିନ ତଳେ ଖାଦ୍ୟ ଅଭାବ ନେଇ ଗଣ୍ଡଗୋଳ କରି ସୁରଟ ଫେରନ୍ତାମାନେ ସେଠାରୁ ଚମ୍ପଟ ମାରିଥିଲେ। ଏଥିସହ ଗଞ୍ଜାମର ଅନ୍ୟ ଏକ କ୍ୱାରାଣ୍ଟାଇନ ସେଣ୍ଟରରେ ଖାଦ୍ୟକୁ ନେଇ ସୁରଟ ଫେରନ୍ତାମାନେ ପାଟିତୁଣ୍ଡ କରିବା ସହ ଖାଦ୍ୟ ଫିଙ୍ଗି ଦେଇଥିଲେ। ଏହାର ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା। ଏହାପରେ ପ୍ରଶାସନ ସଜାଗ ହୋଇପଡ଼ିଛି। ସେଠାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। କ୍ୱାରାଣ୍ଟାଇନ ସେଣ୍ଟରରେ ଲୋକଙ୍କ ପାଇଁ ଏକ ଖାଦ୍ୟ ତାଲିକାକୁ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଏକ ନିର୍ଦ୍ଦେଶନାମା ଜରିଆରେ ଜାରି କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ସପ୍ତାହରେ ୩ ଦିନ ଅଣ୍ଡା ତରକାରୀ ଓ ଗୋଟିଏ ଦିନ ମାଛ କିମ୍ବା ଚିକେନ ତରକାରୀ କେନ୍ଦ୍ରରେ ଥିବା ଲୋକଙ୍କୁ ମଧ୍ୟାହ୍ନ ଭୋଜନରେ ପରସା ଯିବ। ନିରାମିଷରେ ଛତୁ କିମ୍ବା ପନିର ତରକାରୀ ମିଳିବ। ସେହିପରି ସକାଳ ଜଳଖିଆରେ ମଟର ତରକାରୀ ସହ ପୁରୀ, ଇଡ଼ଲି, ମସଲା ଉପମା, ଚୁଡା ଉପମା (ଏଥିରୁ ଗୋଟିଏ) ଏବଂ ସନ୍ଧ୍ୟା ଜଳଖିଆରେ ଚା’ ସହ ମିକ୍ସଚର, ମୁଡି, ବିସ୍କୁଟ (ଏଥିରୁ ଗୋଟିଏ) ଦିଆଯିବ। ଆହୁରି ଜଣାଯାଇଛି ଯେ, ୬ ବର୍ଷର ଶିଶୁଙ୍କୁ ହର୍‌ଲିକ୍ସ ଓ କ୍ଷୀର ଦିଆଯିବ। ଏହି ତାଲିକାକୁ କାର୍ଯ୍ୟକାରୀ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

Share This Article
Leave a Comment