ସଂସ୍କୃତି ଗବେଷକ ସୁରେଶ ବଳବନ୍ତରାୟଙ୍କ ସ୍ମୃତିରେ ଅଧ୍ୟାପକ ପରମେଶ୍ୱର ମୁଣ୍ଡଙ୍କୁ ‘ସୁରେଶ ସୃଜନ ସମ୍ମାନ’

Odisha Hot News
1 Min Read

ଭୁବନେଶ୍ବର: ଓଡ଼ିଆ ଅସ୍ମିତାର ଅନେ୍ୱଷଣ ଓ ପ୍ରସାର ଦିଗରେ ସବୁ ସଚେତନ ଓଡ଼ିଆ କାର୍ଯ୍ୟ କରିବା ଆବଶ୍ୟକ । ସାଂସ୍କୃତିକ ଅବକ୍ଷୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରାଯିବା ଦରକାର ବୋଲି ବିଧାୟକ ବାବୁ ସିଂ କହିଛନ୍ତି। ବିଶିଷ୍ଟ ନାଟ୍ୟକାର, ସଂସ୍କୃତି ଗବେଷକ, ନିର୍ଦ୍ଦେଶକ ଓ ସଂଗ୍ରାହକ ସୁରେଶ ବଳବନ୍ତରାୟଙ୍କ ସ୍ମୃତିରେ ଆୟୋଜିତ ସୁରେଶ ସମାବେଶରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ସିଂ ଓଡ଼ିଆ ସଂସ୍କୃତିର ପ୍ରଚାରପ୍ରସାର ପାଇଁ ସରକାର ସବୁମତେ ଉଦ୍ୟମ କରୁଛନ୍ତି ବୋଲି ଉଲ୍ଲେଖ କରିଛନ୍ତି।

ରେଡ୍‌କ୍ରସ୍‌ ଭବନରେ ଅନୁଷ୍ଠିତ ‘ସୁରେଶ ସମାବେଶ’ରେ ଅତିଥିମାନେ ସୁରେଶ ବଳବନ୍ତରାୟ ଓଡ଼ିଶାରେ ସାଂସ୍କୃତିକ ଆନ୍ଦୋଳନର ଅନ୍ୟତମ ସୂତ୍ରଧର ଥିଲେ ବୋଲି ଜଣାଇ ତାଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାନିବେଦନ କରିଥିଲେ। ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ଭାଷାବିତ୍‌ ପଦ୍ମଶ୍ରୀ ଡ. ଦେବୀପ୍ରସନ୍ନ ପଟ୍ଟନାୟକ, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ. ପ୍ରସନ୍ନ କୁମାର ସ୍ୱାଇଁ, ବିଶିଷ୍ଟ ନାଟ୍ୟକର୍ମୀ ତଥା ନିର୍ଦ୍ଦେଶକ ମନୋଜ ପଟ୍ଟନାୟକ ବକ୍ତବ୍ୟ ରଖି ସୁରେଶ ବଳବନ୍ତରାୟଙ୍କ ବ୍ୟକ୍ତିତ୍ୱ ଓ କୃତିତ୍ୱ ଉପରେ ଆଲୋକପାତ କରିଥିଲେ।

ବିଶିଷ୍ଟ ନାଟ୍ୟକାର ତଥା ଲୋକସଂସ୍କୃତି ଗବେଷକ ଅଧ୍ୟାପକ ପରମେଶ୍ୱର ମୁଣ୍ଡଙ୍କୁ ଏହି ଅବସରରେ ‘ସୁରେଶ ସୃଜନ ସମ୍ମାନ’ ପ୍ରଦାନ କରାଯାଇଥିବାବେଳେ ବିଶ୍ୱମୁକ୍ତି ପବ୍ଲିକେସନ୍‌ ପ୍ରକାଶିତ ସ୍ୱର୍ଗତ ବଳବନ୍ତରାୟଙ୍କ ଅନୂଦିତ ନାଟକ ପୁସ୍ତକ ଅତିଥିମାନଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା। ପ୍ରକାଶକ ସୁଧୀର ମଉଡ଼ମଣି ଉପସ୍ଥିତ ଥିଲେ। କବି ରକ୍ଷକ ନାୟକ ସ୍ୱାଗତ ଭାଷଣ ଦେଇଥିବାବେଳେ ଫାଉଣ୍ଡେସନ୍‌ର ସଂପାଦିକା ଅଧ୍ୟାପିକା ଡ. ଅନ୍ୟା ଅନୁରୂପା ବିବରଣୀ ପାଠ କରିଥିଲେ। ଅଧ୍ୟାପିକା ଶାଶ୍ୱତୀ ଜେନା ମାନପତ୍ର ପାଠ କରିଥିବାବେଳେ ଭାଷାବିଜ୍ଞାନୀ ଡ. ଦେବାଶିଷ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ପୂର୍ବତନ ସୂଚନା କମିଶନର ଶ୍ରୀ ଜଗଦାନନ୍ଦ, ଅଧ୍ୟାପକ ବିଶ୍ୱରଞ୍ଜନ, ନାଟ୍ୟଚେତନା ନିର୍ଦ୍ଦେଶକ ସୁବୋଧ ପଟ୍ଟନାୟକଙ୍କ ସମେତ ବହୁ ଲେଖକ, ଶିଳ୍ପୀ, ଗବେଷକ, ବୁଦ୍ଧିଜୀବୀ ଓ ନାଟ୍ୟକର୍ମୀ ସମବେତ ହୋଇଥିଲେ ।

Share This Article