ଆନ୍ତର୍ଜାତୀୟ ବିଶ୍ୱ ସ୍କୋଏ ମାର୍ଶାଲ ଆର୍ଟ: ବାଲୁଗାଁର ସୌମ୍ୟରଞ୍ଜନଙ୍କୁ ୨ଟି ସ୍ଵର୍ଣ୍ଣ ପଦକ

Odisha Hot News
1 Min Read

ବାଲୁଗାଁ: ଉଜବେକିସ୍ଥାନରେ ଆୟୋଜିତ ଆନ୍ତର୍ଜାତୀୟ ୪ର୍ଥ ବିଶ୍ୱ ସ୍କୋଏ ମାର୍ଶାଲ ଆର୍ଟ ପ୍ରତିଯୋଗିତାରେ ବାଲୁଗାଁର ସୌମ୍ୟରଞ୍ଜନ ନାୟକ ୨ଟି ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି।ଉଜବେକିସ୍ଥାନରେ ଆୟୋଜିତ ଆନ୍ତର୍ଜାତୀୟ ୪ର୍ଥ ବିଶ୍ୱ ସ୍କୋଏ ମାର୍ଶାଲ ଆର୍ଟ ପ୍ରତିଯୋଗିତାରେ ଭାରତରୁ ୨୩ ଜଣ ଅଂଶଗ୍ରହଣ କରିଥିବା ବେଳେ ଓଡ଼ିଶା ସ୍କୋଏ ମାର୍ଶାଲ ଆର୍ଟ ତରଫରୁ ବାଳକ ବିଭାଗରେ ଖୋର୍ଦ୍ଧା ବାଲୁଗାଁରୁ ସୌମ୍ୟରଞ୍ଜନ ନାୟକ ଓ ବାଳିକା ବିଭାଗରେ ନୟାଗଡ଼ରୁ ମିନତୀ ସାହୁ ମନୋନୀତ ହୋଇଥିଲେ।

ତେବେ ଅକ୍ଲାନ୍ତ ପରିଶ୍ରମ, ପ୍ରଚେଷ୍ଟା ତଥା ଆତ୍ମବିଶ୍ୱାସ ବଳରେ ବିଶ୍ୱ ସ୍ତରୀୟ ପ୍ରତିଯୋଗିତାରେ ୨ଟି ସ୍ଵର୍ଣ୍ଣ ପଦକ ହାସଲ କରିଥିବା ସୌମ୍ୟରଞ୍ଜନ କହିଛନ୍ତି। ବାଲୁଗାଁ ରାଜୀବ ନଗରର କୃପାସିନ୍ଧୁ ନାୟକ ଓ ସ୍ବର୍ଗତ ଝୁନୁ ନାୟକଙ୍କ କନିଷ୍ଠ ପୁଅ ସୌମ୍ୟରଞ୍ଜନଙ୍କ ସଫଳତା ତଥା ଏ ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ନେଇ ସାଙ୍ଗସାଥି, ବନ୍ଧୁ, ଆତ୍ମୀୟ ପରିଜନ ଓ ବିଭିନ୍ନ ମହଲରୁ ଶୁଭେଚ୍ଛା ବାର୍ତ୍ତା ଛୁଟିବାରେ ଲାଗିଛି।

ସେ ଦୀର୍ଘ ୭ ବର୍ଷ ଧରି ଶେଖ ସଲ୍ଲାଉଦ୍ଦିନଙ୍କ ସଂସ୍ପର୍ଶରେ ଆସି ଜିଲ୍ଲା, ରାଜ୍ୟ, ଜାତୀୟ ସ୍ତରରେ ସ୍କୋଏ ମାର୍ଶାଲ ଆର୍ଟରେ ଅଂଶଗ୍ରହଣ କରି ଅନେକ ପଦକ ହାସଲ କରିଛନ୍ତି। ପ୍ରଥମ ଥର ବିଶ୍ୱ ସ୍କୋଏ ମାର୍ଶାଲ ଆର୍ଟରେ ଦେଶ ପାଇଁ କୃତିତ୍ୱ ହାସଲ କରିଥିବା ସୌମ୍ୟରଞ୍ଜନଙ୍କୁ ବାଲୁଗାଁ ବାପୁଜି କ୍ଲବ ସଭାପତି ହରେକୃଷ୍ଣ ନାୟକଙ୍କ ତତ୍ୱାବଧାନରେ ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ ଅଞ୍ଚଳବାସୀଙ୍କ ପ୍ରଚେଷ୍ଟାରେ ଏକ ଶୋଭାଯାତ୍ରାରେ ବାଲୁଗାଁ ସହର ପରିକ୍ରମା କରାଯାଇଥିଲା।

ଉକ୍ତ ଶୋଭାଯାତ୍ରାରେ ମାର୍ଶାଲ ଆର୍ଟ ପ୍ରଶିକ୍ଷାର୍ଥୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଅଞ୍ଚଳବାସୀ ସାମିଲ ହୋଇଥିଲେ।

Share This Article