କୌଣସି ପରିସ୍ଥିତିରେ ବିଦ୍ୟାଳୟଗୁଡ଼ିକରେ ମଧ୍ୟାହ୍ନ ଭୋଜନ ବନ୍ଦ ହେବ ନାହିଁ

Odisha Hot News
1 Min Read

ଭୁବନେଶ୍ଵର: କୌଣସି ପରିସ୍ଥିତିରେ ବିଦ୍ୟାଳୟଗୁଡ଼ିକରେ ମଧ୍ୟାହ୍ନ ଭୋଜନ ବନ୍ଦ ହେବ ନାହିଁ ବୋଲି ଦୃଢ ପ୍ରତିଶ୍ରୁତି ଦେଇଛନ୍ତି ରାଜ୍ୟ ସରକାର। ଶନିବାର ଭୁବନେଶ୍ବରଠାରେ ସମସ୍ତ ଜିଲ୍ଲାରେ ପୁଷ୍ଟିକର, ନିରାପତ୍ତା ମଧ୍ୟାହ୍ନ ଭୋଜନ ପରିଚାଳନା ନେଇ ଅନୁଷ୍ଠିତ ସମୀକ୍ଷା ବୈଠକରେ ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଶାଳିନୀ ପଣ୍ଡିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଭାସୀ ବୈଠକରେ ଏ ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇଛି। ନିରାପଦ ଓ ସ୍ବଚ୍ଛ ମଧ୍ୟାହ୍ନ ଭୋଜନକୁ ପ୍ରାଥମିକତା ଦିଆଯିବ ବୋଲି ଶ୍ରୀମତୀ ପଣ୍ଡିତ କହିଛନ୍ତି।

ସେ ଏହି ବୈଠକରେ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ବୈଠକରେ ପିଏମ୍ ପୋଷଣ ରାଜ୍ୟ ସଂଯୋଜନ ଅଧିକାରୀ ରଘୁରାମ ଆର ଆୟାର ମଧ୍ୟ ଉପସ୍ଥିତ ଥିଲେ। ଶ୍ରୀମତୀ ପଣ୍ଡିତ କହିଛନ୍ତି ଯେ ଜିଲ୍ଲାଗୁଡ଼ିକୁ ମଧ୍ୟାହ୍ନ ଭୋଜନ ପାଇଁ ପିଏମ୍ ପୋଷଣ ଅଧୀନରେ ଆର୍ଥିକ ଅନୁଦାନ ଯୋଗାଇ ଦିଆଯାଉଛି।

ମଧ୍ୟାହ୍ନ ଭୋଜନରେ ପୋଷଣୀୟ ଚାଉଳ ଓ ଉନ୍ନତ ମାନର ଖାଦ୍ୟ ସାମଗ୍ରୀ ବ୍ୟବହାର କରିବା ପାଇଁ ଜିଲ୍ଲା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପୁଷ୍ଟିକର ମଧ୍ୟାହ୍ନ ଭୋଜନ ପ୍ରତିଟି ଶିଶୁର ଅଧିକାର। ଏହା କିଭଳି ନିରାପଦ, ସ୍ବଚ୍ଛ ଓ ସୁରକ୍ଷିତ ହେବା ସହ ବିନା କୌଣସି ସମସ୍ୟାରେ ପ୍ରତିଦିନ ଛାତ୍ରଛାତ୍ରୀଙ୍କୁ ମିଳିବ, ସେ ସଂପର୍କରେ ସମସ୍ତେ ସମ୍ବେଦନଶୀଳ ହେବା ପାଇଁ ସେ ପରାମର୍ଶ ଦେଇଛନ୍ତି।

ପିଏମ୍ ପୋଷଣ ଅନ୍ତର୍ଗତ ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଇ ଦିଆଯାଉଛି।

Share This Article