ବେଦାନ୍ତ କଂପାନୀ ବିରୋଧରେ ରାୟଗଡାରୁ ଭୁବନେଶ୍ବର ପର୍ଯ୍ୟନ୍ତ ରାଲି କରିବାକୁ ସ୍ଥାନୀୟ ବାସିନ୍ଦାଙ୍କ ଧମକ

Odisha Hot News
2 Min Read

ଭୁବନେଶ୍ବର: ବେଦାନ୍ତ କଂପାନୀକୁ ଦିଆଯାଇଥିବା ସିଜିମାଳି ଖଣି ବିରୋଧରେ ତାତିଛନ୍ତି ସ୍ଥାନୀୟ ବାସିନ୍ଦା। ବେଦାନ୍ତ କଂପାନୀ ଏବଂ ତାଙ୍କ ଦ୍ବାରା ନିଯୁକ୍ତ ପରିବହନ କଂପାନୀ ମୈତ୍ରୀ ବିରୋଧରେ ବଡ ଧରଣର ଆନ୍ଦୋଳନର ଦାନା ବାନ୍ଧିବାରେ ଲାଗିଛି। ବେଦାନ୍ତ କଂପାନୀ  ପାଇଁ ସିଜିମାଳି ଖଣି ଅଧିଗ୍ରହଣ କରିବାକୁ ମୈତ୍ରୀ କଂପାନୀ ଦାଦାଗିରି କରୁଛି ବୋଲି ଅଭିଯୋଗ କରାଯାଇଛି। ଯଦି ତାହା ବନ୍ଦ ନ ହୁଏ ତେବେ ଆଗାମୀ ଦିନରେ ହଜାର ହଜାର ଆଦିବାସୀ ରାୟଗଡାରୁ ଭୁବନେଶ୍ବରକୁ ପ୍ରାୟ 400 କିଲୋମିଟର ଧରି ଏକ ରାଲି କରିବେ ବୋଲି ଧମକ ଦିଆଯାଇଛି।

କିଛିଦିନ ତଳେ ଭବାନୀପାଟଣାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ଚେତାବନୀ ଦେଇଛି ମା, ମାଟି, ମାଳି ସୁରକ୍ଷା ମଞ୍ଚ। ଏହି ସଂଗଠନର ସଭାପତି ଶ୍ରୀ ସୁବାଷ ସିଂ ମାଝୀ କହିଛନ୍ତି ଯେ, ବେଦାନ୍ତ କଂପାନୀ ନୀରିହ ଆଦିବାସୀମାନଙ୍କୁ ଡରାଇ ଧମକାଇ ଖଣି ଅଧିଗ୍ରହଣ କରିବାକୁ ଚାହୁଁଛି। ବିଭିନ୍ନ ଆଦିବାସୀଙ୍କ ନାମରେ ମିଥ୍ୟା କେସ କରି ସେମାନଙ୍କୁ ହଇରାଣ କରାଯାଉଛି। ଜଣେ ଆଦିବାସୀ ନେତା କାର୍ତ୍ତିକ ନାୟକଙ୍କୁ ଗିରଫ କରି ଜେଲ ଭିତରେ ରଖାଯାଇଛି। ଏହା ବିରୋଧରେ ଏକ ବଡ ଧରଣର ଆନ୍ଦୋଳନ ହେବ ବୋଲି ଶ୍ରୀ ମାଝୀ ଚେତାବନୀ ଦେଇଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ଯେ, ବେଦାନ୍ତ କଂପାନୀ ପ୍ରଶାସନକୁ ହାତ କରି ନକଲି ଗ୍ରାମସଭା ମାଧ୍ୟମରେ ଲୋକଙ୍କ ଦସ୍ତଖତ ନିଆଯାଇଛି। ଏଥିରେ ସେମାନେ ସିଜିମାଳ ଜଙ୍ଗଲଜମିର କିସମ ପରିବର୍ତ୍ତନ ପାଇଁ କୁଆଡେ ଅନୁମତି ଦେଇଛନ୍ତି ବୋଲି କୁହାଯାଇଛି। ହେଲେ ତାହା ସଂପୂର୍ଣ୍ଣ ମିଥ୍ୟା। କଂପାନୀ ସିଜିମାଳ ଅଞ୍ଚଳ ଲୋକଙ୍କୁ ନ ନେଇ ବାହାର ଲୋକଙ୍କୁ ବସାଇ ଗ୍ରାମସଭା କରାଯାଇଛି। ସେମାନଙ୍କ ଫଟୋ ଉଠାଇ ଦସ୍ତଖତ କରି ନିଆଯାଇଛି। ହେଲେ ଏହା ଏକ ନକଲି ଗ୍ରାମସଭା ବୋଲି ସେମାନେ ଅଭିଯୋଗ କରିଛନ୍ତି। ଏହା ବିରୋଧରେ ଦୃଢ ପ୍ରତିବାଦ କରାଯିବ ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ସୁରକ୍ଷା ମଞ୍ଚ ତରଫରୁ କୁହାଯାଇଛି।

ମଞ୍ଚର ଅନ୍ୟ ସଦସ୍ୟ ମଧ୍ୟ ବେଦାନ୍ତର ମନମୁଖୀ ଶାସନକୁ ତୀବ୍ର ବିରୋଧ କରିଥିଲେ। ସେମାନେ କହିଛନ୍ତି ଯେ, ଜୀବନ ଦେଇଦେବୁ ପଛେ ଆମେ ବେଦାନ୍ତକୁ ସିଜିମାଳି ଖଣି କେବେ ଛାଡିବୁ ନାହିଁ। ଏ ନେଇ ମଞ୍ଚ ତରଫରୁ ଏକ ଦାବୀ ପତ୍ର ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି। ଏଥିରେ ରାଜ୍ୟ ସରକାର ତୁରନ୍ତ ହସ୍ତକ୍ଷେପ କରି ନିରୀହ ଆଦିବାସୀଙ୍କ ଦୁଃଖ ବୁଝନ୍ତୁ ବୋଲି ଦାବୀ କରାଯାଇଛି। ଯଦି କେହି ନ ଶୁଣିବେ, ତେବେ ରାୟଗଡାରୁ ଭୁବନେଶ୍ବରକୁ ବେଦାନ୍ତ ବିରୋଧରେ ପ୍ରତିବାଦ ଶୋଭାଯାତ୍ରା ( 400 କିଲୋମିଟର)  କରାଯିବ ବୋଲି ଧମକ ଦିଆଯାଇଛି।

ତେବେ ଏ ନେଇ ବେଦାନ୍ତ କିମ୍ବା ମୈତ୍ରୀ କଂପାନୀ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

Share This Article