ବାତ୍ୟାରେ ୪ ଜଣଙ୍କର ମୃତ୍ୟୁ ହୋଇଛି, ରାଜ୍ୟ ସରକାର ମିଛ କହିଲେ; ବିଜେଡି କଲା ବଡ ଅଭିଯୋଗ

Odisha Hot News
1 Min Read

ଭୁବନେଶ୍ବର: ବାତ୍ୟା ଦାନା ଉଦ୍ଧାର କାର୍ଯ୍ୟକୁ ନେଇ ବଡ ପ୍ରଶ୍ନ ଉଠାଇଛି ବିଜେଡି। ରାଜ୍ୟ ସରକାର ଲୋକ ସ୍ଥାନାନ୍ତର ଏବଂ ମୃତ୍ୟୁକୁ ନେଇ ଭୁଲ ତଥ୍ୟ ପ୍ରଦାନ କରିଛି। ଆଜି ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଏହି ଅଭିଯୋଗ କରିଛନ୍ତି ଲେଖାଶ୍ରୀ ସାମନ୍ତସିଂହାର। ସେ କହିଛନ୍ତି ଯେ, ପ୍ରକୃତରେ ରାଜ୍ୟ ସରକାର କେତେ ଲୋକଙ୍କୁ ସ୍ଥାନାନ୍ତରିତ କରିଛନ୍ତି ତାହାର ସଠିକ ହିସାବ ଦିଅନ୍ତୁ।

ଲେଖାଶ୍ରୀ କହିଛନ୍ତି ଯେ, ରାଜ୍ୟ ସରକାର କେତେବେଳେ ଚାରି ଲକ୍ଷ, କେତେବେଳେ ଛଅ ଲକ୍ଷ କେତେବେଳେ ଆଠ ଲକ୍ଷ ଲୋକ ସ୍ଥାନାନ୍ତର ହୋଇଛନ୍ତି ବୋଲି କହୁଛନ୍ତି। ତେବେ ଏ ନେଇ ରାଜ୍ୟ ସରକାର ଏକ ଶ୍ବେତପତ୍ର ପ୍ରକାଶ କରନ୍ତୁ। କାରଣ ଦାନା ବାତ୍ୟା ବେଳେ ଯେଉଁ ବେଗରେ ପବନ ପ୍ରବାହିତ ହେଉଥିଲା ସେଥିରେ ଏତେ ଲୋକ ସ୍ଥାନାନ୍ତରିତର ଆବଶ୍ୟକତା ନ ଥିଲା। ଯଦି କରାଯାଇଛି ଭଲ କଥା। ହେଲେ କେଉଁ ବାତ୍ୟା ଆଶ୍ରୟସ୍ଥଳରେ କେତେ ଲୋକ ରହିଥିଲେ ତାହାର ହିସାବ ରାଜ୍ୟ ସରକାର ଦିଅନ୍ତୁ।

ସେହିପରି ମୃତ୍ୟୁକୁ ନେଇ ରାଜ୍ୟ ସରକାର ଭୁଲ ତଥ୍ୟ ଦେଉଛନ୍ତି। ମୁଖ୍ୟମନ୍ତ୍ରୀ ଜିରୋ କାଜୁୟାଲିଟ ବୋଲି ଡିଣ୍ଡିମ ପିଟୁଛନ୍ତି। ହେଲେ ତାହା ଭୁଲ। ଚଳିତ ବାତ୍ୟାରେ ୪ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ଲେଖାଶ୍ରୀ କହିଛନ୍ତି। ସେମାନଙ୍କ ମଧ୍ୟରୁ ରାଜନଗରରେ ୩ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ନିଜ ଅଞ୍ଚଳରେ ଜଣେ ପ୍ରାଣ ହରାଇଛନ୍ତି। ବାତ୍ୟା ମୃତ୍ୟୁକୁ ନେଇ ରାଜ୍ୟ ସରକାର ଶ୍ବେତ ପତ୍ର ପ୍ରକାଶ କରନ୍ତୁ ବୋଲି ସେ ଦାବୀ କରିଛନ୍ତି।

Share This Article