ନାଚୁଣୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଦୁଇ ଯୁବ ବାଇକ ଆରୋହୀଙ୍କ ମୃତ୍ୟୁ

Odisha Hot News
1 Min Read

ନାଚୁଣୀ( ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅନ୍ତର୍ଗତ ପଞ୍ଚୁଗାଁ ଗ୍ରାମର ଦୁଇ ଜଣ ଯୁବକଙ୍କ ବାଇକ ଦୁର୍ଘଟଣାରେ ଅକାଳ ବିୟୋଗ ଘଟିଛି। ଯୁବକ ଦ୍ବୟ ହେଲେ ଉକ୍ତ ଗ୍ରାମର ସୌମ୍ୟରଞ୍ଜନ ପ୍ରଧାନ, ୨୨ ବର୍ଷ ଏବଂ ରାଜେଶ ମହାପାତ୍ର, ୧୬  ବର୍ଷ।

ସୂଚନା ମୁତାବକ ଉକ୍ତ ଦୁଇ ଯୁବକ ଗତକାଲି ଏକ ବାଇକରେ ପୁରୀ ଜିଲ୍ଲା କାକଟପୁର ଅଞ୍ଚଳକୁ କୌଣସି କାର୍ଯ୍ୟରେ ଯାଇଥିଲେ। ତେବେ କାର୍ଯ୍ୟ ସାରି ଅପରାହ୍ନରେ ଘରକୁ ଫେରୁଥିବାବେଳେ ଗୋପ ଥାନା ଯୋଗେଶ୍ବରପୁର ଆଳୁଦଣ୍ଡାପାଟଣା ମଧ୍ୟରେ ଥିବା ଅଣ୍ଡର କଲଭର୍ଟ ଠାରେ ଏକ କାର ସହ ମୁହାଁମୁହିଁ ବାଇକଟି ଧକ୍କା ହୋଇଥିଲା। ଯାହା ଫଳରେ ବାଇକରେ ଥିବା ଉଭୟ ସୌମ୍ୟ ଏବଂ ରାଜେଶ କିଛି ଦୂରରେ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକମାନେ ଦୁଇ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ଚାରିଛକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ। କିନ୍ତୁ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

ଖବର ପାଇ ନୟାହାଟ ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟ ବାଇକ ଓ କାରକୁ ଜବତ କରିବା ସହ କାର ଚାଳକ ଗଞ୍ଜାମ ଜିଲ୍ଲାର ଭବାନୀ ଶଙ୍କର ପାତ୍ରଙ୍କୁ ଗିରଫ କରିଛି। ମୃତକ ଦ୍ଵୟଙ୍କ ଶବ ବ୍ୟବଛେଦ ପାଇଁ ପଠାଯାଇଥିବା ବେଳେ ଗୋପ ଥାନାରେ କେସ ନମ୍ବର ୨୯୪/୨୪ ରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଥିବା ନୟାହାଟ ଫାଣ୍ଡି ଅଧିକାରୀ ଅଶୋକ ବେହେରା ସୂଚନା ଦେଇଛନ୍ତି। ତେବେ ଉକ୍ତ ଖବର ପ୍ରକାଶ ହେବା ପରେ ବାଣପୁର ପଞ୍ଚୁଗାଁରେ ଶୋକର ଛାୟା ଖେଳିଯାଇଛି।

Share This Article