ଧାନସଂଗ୍ରହ ଓ ଗୋଦାମ ପରିଚାଳନା ନେଇ ଛତିଶଗଡ଼ ଗସ୍ତରେ ଯୋଗାଣ ବିଭାଗ ଉଚ୍ଚସ୍ତରୀୟ ଟିମ୍‌

Odisha Hot News
1 Min Read

ଭୁବନେଶ୍ୱର: ରାଜ୍ୟରେ ଚାଷୀମାନଙ୍କଠାରୁ ଧାନ ସଂଗ୍ରହ ପ୍ରକ୍ରିୟା ବ୍ୟବସ୍ଥାରେ ଉନ୍ନତିକରଣ ଓ ଚାଷୀ ମାନଙ୍କ ପ୍ରଗତି ନିମନ୍ତେ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି, ଚାଷୀ ମାନଙ୍କୁ ବୋନସ ପ୍ରଦାନ ପ୍ରକ୍ରିୟା ସମ୍ପର୍କରେ ଜାଣିବା ପାଇଁ ରାଜ୍ୟର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ନିକଟରେ ଛତିଶଗଡ଼ ଗସ୍ତ କରିଥିଲେ। ସେଠାରେ କ୍ଷେତ୍ର ପରିଦର୍ଶନ ସହ ଚାଷୀମାନଙ୍କଠାରୁ ଧାନ ସଂଗ୍ରହ, ଧାନ ସଂରକ୍ଷଣ ଏବଂ ସାଧାରଣ ବଣ୍ଟନ ବ୍ୟବସ୍ଥା ବାବଦରେ ଅବଗତ ହୋଇଥିଲେ।

ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ନେତୃତ୍ୱରେ ରାଜ୍ୟର ୭୫ ଜଣିଆ ପ୍ରତିନିଧି ମଣ୍ଡଳୀରେ ବିଭିନ୍ନ ବିଭାଗର ଅଧିକାରୀମାନେ ସାମିଲ ଥିଲେ। ଏହି ପ୍ରତିନିଧି ମଣ୍ଡଳୀର ସଂପୃକ୍ତ ବିଭାଗୀୟ ଅଧିକାରୀମାନେ ପଡୋଶୀ ରାଜ୍ୟ ଛତିଶଗଡ଼ର ପ୍ରତିପକ୍ଷମାନଙ୍କ ସହ ଆଲୋଚନା କରି ଚାଷୀମାନଙ୍କ ଦ୍ୱାରା ଗୋଦାମ ଓ ପ୍ୟାକ୍ସ ପରିଚାଳନା, ଧାନସଂଗ୍ରହ ଓ ସାଧାରଣ ବଣ୍ଟନ ବ୍ୟବସ୍ଥାର ସମ୍ପର୍କରେ ପଚାରି ବୁଝିବା ସହ ପିଡ଼ିଏସ ମାଧ୍ୟମରେ ଚାଉଳ ଓ ଗହମ ସମେତ ଚିନି, ଗୁଡ଼ ଓ ଲୁଣ ବଣ୍ଟନର ଅନୁଧ୍ୟାନ କରିଥିଲେ।

ଏଥିସହ ବିଭାଗୀୟ ମନ୍ତ୍ରୀ ଶ୍ରୀ ପାତ୍ର ଏବଂ ଏହି ପ୍ରତିନିଧି ମଣ୍ଡଳୀ ଛତିଶଗଡ଼ର ଖାଦ୍ୟଯୋଗାଣ ଓ ଖାଉଟି ସୁରକ୍ଷା ମନ୍ତ୍ରୀ ଦୟାଲ୍‌ ଦାସ ବାଘେଲ୍‌, ସମବାୟ ମନ୍ତ୍ରୀ କେଦାର କାଶ୍ୟପଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ମଧ୍ୟ ଆଲୋଚନା କରିଥିଲେ। ଏତଦବ୍ୟତୀତ ଛତିଶଗଡ଼ରେ ବିଧାନସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ପ୍ରବାସୀ ଓଡ଼ିଆ ପୁରନ୍ଦର ମିଶ୍ରଙ୍କୁ ମନ୍ତ୍ରୀ ଶ୍ରୀ ପାତ୍ର ସୌଜନ୍ୟ ମୂଳକ ସାକ୍ଷାତ କରିଥିଲେ।

ଏହି ଗସ୍ତ ଅବସରରେ ବୈଷୟିକ ଦଳ, ଯୋଗାଣ ଅଧିକାରୀ, ମାର୍କେଟିଂ ଇନ୍‌ସପେକ୍ଟର ପ୍ରମୁଖ ସାମିଲ ରହି ଛତିଶଗଡ଼ର ଧାନ ସଂଗ୍ରହ, ପ୍ୟାକ୍ସ ପରିଚାଳନା ଓ ସାଧାରଣ ବଣ୍ଟନ ବ୍ୟବସ୍ଥାର ପ୍ରତ୍ୟକ୍ଷ ଜ୍ଞାନ ଆହରଣ କରିଥିଲେ।

Share This Article