କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପି ରାଷ୍ଟ୍ରୀୟ ସଭାପତି ହେବେ କି ? କାହିଁକି ଏପରି ଚାଲିଛି ଚର୍ଚ୍ଚା

Odisha Hot News
2 Min Read

ଭୁବନେଶ୍ବର: ଓଡିଶାର ସାଂସଦ ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ ବର୍ତ୍ତମାନ ବେଶ ଚର୍ଚ୍ଚା। ରାଜ୍ୟ ରାଜନୀତିରେ ବେଶ ଆଲୋଚନା ଓ ପର୍ଯ୍ୟାଲୋଚନା। ତାହା ହେଲା ଯେ ଧର୍ମେନ୍ଦ୍ର ପ୍ରଧାନ କୁଆଡେ ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବେ। ଏହି ଖବରଟି ପ୍ରସାରିତ ହେବା ପରେ ଧର୍ମେନ୍ଦ୍ର ଶିବିରରେ ଉଭୟ ଖୁସି ଓ ନୈରାଶ ମଧ୍ୟ ପରିଲକ୍ଷିତ ହୋଇଛି। କାରଣ ରାଷ୍ଟ୍ରୀୟ ସଭାପତି ହେଲେ ବୋଧହୁଏ ମନ୍ତ୍ରୀପଦ ଚାଲିଯାଇପାରେ।

ଅନ୍ୟପଟେ ଦେଖିବାକୁ ଗଲେ ବର୍ତ୍ତମାନ ଜେ ପି ନଡ୍ଡା ଉଭୟ ମନ୍ତ୍ରୀ ଏବଂ ରାଷ୍ଟ୍ରୀୟ ସଭାପତି ଅଛନ୍ତି। ହେଲେ ଆଉ ମାସ କେଇଟା ପରେ ତାଙ୍କର କାର୍ଯ୍ୟକାଳ ଶେଷ ହେଉଛି। ବିଜେପିର ଗୋଟିଏ ନେତା ଗୋଟିଏ ପଦବୀ ନ୍ୟାୟରେ ନଡ୍ଡାଙ୍କ କ୍ଷେତ୍ରରେ ଲାଗୁ ହୋଇ ନାହିଁ। ଯେହେତୁ ତାଙ୍କର କାର୍ଯ୍ୟକାଳ ଆଉ କିଛି ମାସ ଥିବାରୁ ବୋଧହୁଏ ଦଳ ସେଥିପାଇଁ ଦୁଇଟି ପଦବୀରେ ତାଙ୍କୁ ରଖିଛି।

ତେବେ ଧର୍ମେନ୍ଦ୍ର ରାଷ୍ଟ୍ରୀୟ ସଭାପତି ହେବା ଜାତୀୟ ଗଣମାଧ୍ୟମରେ ଯେତେ ଚର୍ଚ୍ଚା ନ ହେଉଛି ରାଜ୍ୟରେ ତାହାଠାରୁ ବେଶୀ ଚର୍ଚ୍ଚା ହେଉଛି। ଏହାର କାରଣ ହେଲା ଧର୍ମେନ୍ଦ୍ରଙ୍କର ଉଭୟ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କ ସହିତ ଭଲ ସଂପର୍କ ରହିଛି। ବିଭିନ୍ନ ସମୟରେ ଓଡିଶା ବିଜେପିରେ ତାଙ୍କର ଦବଦବା ଚାଲିଆସିଛି। କେନ୍ଦ୍ରରେ ମଧ୍ୟ ତାଙ୍କର କଥା ରହୁଛି। ତେଣୁ ସେହି ହିସାବରେ ଧର୍ମେନ୍ଦ୍ରଙ୍କୁ ହୁଏତ ଦଳ ସଭାପତି ଆସନରେ ବସାଇପାରେ ବୋଲି କୁହାଯାଉଛି।

ହେଲେ ଅନ୍ୟ ଏକ ସୁତ୍ର ବା ଜାତୀୟ ଗଣମାଧ୍ୟମ ଚର୍ଚ୍ଚା ଅନୁସାରେ କୁଆଡେ ବସୁନ୍ଧରା ରାଜେ ପରବର୍ତ୍ତି ସଭାପତି ହେବେ। ତାଙ୍କୁ ଆରଏସଏସ ଦୃଢ ସମର୍ଥନ କରୁଛି ବୋଲି ଜଣାପଡିଛି। ଏପରିକି ଆରଏସଏସ ର ମୁଖ୍ୟ ମୋହନ ଭାଗବତଙ୍କ ସହିତ ବସୁନ୍ଧରାଙ୍କ ବୈଠକ ହୋଇସାରିଛି ବୋଲି କୁହାଯାଇଛି। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ବସୁନ୍ଧରାଙ୍କ ନାମକୁ ସମ୍ମତି ପ୍ରଦାନ କରିଛନ୍ତି। ଅନ୍ୟପଟେ ଆରଏସଏସ ଧର୍ମେନ୍ଦ୍ର ସପକ୍ଷରେ ନ ଥିବାର ଜଣାପଡିଛି। ତେଣୁ ଏପରି ପରିସ୍ଥିତିରେ ଧର୍ମେନ୍ଦ୍ରଙ୍କ ଅପେକ୍ଷା ବସୁନ୍ଧରାଙ୍କ ପଲ୍ଲା ଭାରୀ ରହିଛି।

Share This Article