ଚିଲିକାରେ ପାଣି ତୋଳା ଯାତ୍ରା ସାରି ବାହୁଡ଼ିଲେ ମା’ ଭଗବତୀ, ଦୁର୍ଗା ଅଷ୍ଟମୀରୁ ମା’ଙ୍କ ଶୟନ ଆରମ୍ଭ

Odisha Hot News
3 Min Read

ବାଣପୁର (ସୀତାରାମ ଅଗ୍ରୱାଲ): ଭାରତ ସହିତ ଅନ୍ୟାନ୍ୟ ଦେଶରେ ଥିବା ୧୦୮ ଶକ୍ତିପୀଠ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲା ବାଣପୁରର ମା’ଭଗବତୀଙ୍କ ଶକ୍ତି ପୀଠ ପ୍ରାଚୀନ ପରମ୍ପରା ବହନ କରୁଥିବା ଏକ ପ୍ରଖ୍ୟାତ ପୀଠ। ଏହି ପୀଠର ମହାତ୍ମ୍ୟ, ପର୍ବପର୍ବାଣୀ, ଜାନିଯାତ୍ରା, ନୀତିକାନ୍ତି ଅନ୍ୟାନ୍ୟ ପୀଠମାନଙ୍କ ଠାରୁ ସଂପୂର୍ଣ୍ଣ ନିଆରା।

ସବୁ ଜାନିଯାତ୍ରା, ପର୍ବ ପର୍ବାଣୀର ଦେବୀଙ୍କର ମାନବୀୟ ଲୀଳାର ପରିପ୍ରକାଶ ଦେଖିବାକୁ ମିଳେ। ଯେମିତିକା ଭାଦ୍ରବ ଶୁକ୍ଳ ସପ୍ତମୀରେ ମା’ଙ୍କ ପାଣି ତୋଳା ଯାତ୍ରା ସହିତ ଚିଲିକାରେ ନୌବିହାର ଏବଂ ଭଉଣୀ କାଳିଜା ଙ୍କୁ ଚଳିତ ଶାରଦୀୟ ପର୍ବକୁ ଆମନ୍ତ୍ରଣ ତାର ନିଛକ ବିଶ୍ୱାସ।

ମା’ଙ୍କ ଚାରିଦିଗରେ ଚାରିଭଉଣୀ ଯଥା ପୂର୍ବରେ କାଳିଜାଇ, ପଶ୍ଚିମରେ ବିରିଜାଇ, ଦକ୍ଷିଣରେ ନାରାୟଣୀ ଓ ଉତ୍ତରରେ ଶିଦ୍ଦେଶ୍ଵରୀ ରହି ମା’ଙ୍କ ପୀଠର ସୁରକ୍ଷା କାରିଣୀ ଭାବରେ ପୂଜା ପାଇ ଆସୁଥିବାରୁ ମା’ଭଗବତୀ ଶାରଦୀୟ ପର୍ବକୁ ସମସ୍ତଙ୍କୁ ନିମନ୍ତ୍ରଣ କରି ଆଜ୍ଞାମାଳ ଆଣିବାର ବିଶ୍ଵାଶନୀୟ ପରମ୍ପରା କାହିଁ କେଉଁ କାଳରୁ ଚଳି ଆସିଛି।

ବର୍ଷର ବିଭିନ୍ନ ମାସରେ ବିଭିନ୍ନ ଦିଗକୁ ଯାତ୍ରା କରି ଭଉଣୀମାନଙ୍କ ସହିତ ଆଧାତ୍ମିକ ସଂପର୍କ ସ୍ଥାପନ ସହିତ ସେମାନଙ୍କ ସହିତ ପର୍ବପର୍ବାଣୀ ଜାନିଯାତ୍ରାରେ ଏକାଠି ହେବା ଏକ ମାନବୀୟ ଲୀଳାର ଏକ ଅନନ୍ୟ ପରମ୍ପରା। ଲଳିତା ସପ୍ତମୀର ଗୋଧୂଳୀ ଲଗ୍ନରେ ମା’ଙ୍କ ଚଳନ୍ତି ପ୍ରତିମା ସ୍ତମ୍ଵେଶ୍ଵରୀ କାଠି ଠାକୁରାଣୀ ନିଜର ସମସ୍ଥ ସେବାୟତଙ୍କ ସହିତ ଘଣ୍ଟ ଛତା କାହାଳୀ ଢ଼ୋଲ ବାଦନରେ ପିତ୍ରାଳୟ ଦକ୍ଷେଶ୍ଵର ମନ୍ଦିରରୁ ବାହାରି ବିରାଟ ଥାଟପଟୁଆର ବାଜା ରୋଷଣୀରେ ଜଗନ୍ନାଥପୁର, ବିଷର ପାଟଣା, ଅନ୍ତର କିଆରୀ, ଅଲାଇଡ଼ିହ, ଗୋପୀନାଥପୁର, ବାଲୁଗାଁ ପାଟଣା ସାହି, ଗୁଣ୍ଡୁରୁପୁର, ସାମନ୍ତରାପୁର ଦେଇ ଚିଲିକା କୂଳରେ ପହଞ୍ଚିବା ପରେ ପୂର୍ବରୁ ପ୍ରସ୍ତୁତ ସୁସଜ୍ଜିତ ନୌକାରେ ମଶାଲତି, ଘଣ୍ଟୁଆ, କାହାଳିଆ, ପାଳିଆ ମାଳି ଓ ପୂଜକ ସାଆନ୍ତ ସହିତ ନିଯୋଗୀ ସେବାୟତଙ୍କୁ ନେଇ ରାତ୍ରିର ଘନ ଅନ୍ଧକାର ଭିତରେ ଚିଲିକାରେ ନୌବିହାର କରିଥିଲେ।

ତେଣେ ଚିଲିକାର ଆରାଧ୍ୟା ମା’ କାଳିଜାଇଙ୍କ ପୀଠରେ ପାରିକୁଦ ରାଜା ସନ୍ତୋଷ ଚନ୍ଦ୍ର ମାନସିଂ ହରିଶ୍ଚନ୍ଦ୍ର ଓ ସେବାୟତମାନେ ମା’ଙ୍କୁ ଆଳତି ବନ୍ଦାପନା କରି ମା’ଙ୍କ ଆଜ୍ଞାମାଳକୁ ଗୋଟିଏ ସୁସଜ୍ଜିତ ଆଟିକାରେ ରଖି ଦୀପ ଲଗାଇ ଚିଲିକା ଜଳରେ ଭସାଇ ଦେଇଥିଲେ। ଚିଲିକା ଢେଉରେ ଆଜ୍ଞାମାଳ ସହ ଆଟିକାଟି ଭାସିଭାସି ଆସୁଥିବାବେଳେ ମା’ଭଗବତୀଙ୍କ ନୌକାର ମଙ୍ଗରେ ପୂଜକ ସାଆନ୍ତ ମଙ୍ଗଳ କଳଶ ଦୀପ ଧୂପ ନୈବେଦ୍ୟ ସ୍ଥାପନ କରି ମା’ କାଳିଜାଇଙ୍କୁ ଆରତି ବନ୍ଦାପନା ସହିତମା’ଙ୍କ ଜୟଧ୍ଵନୀ କରି ଘନ ଅନ୍ଧକାର ଭିତରେ ଚିଲିକା ପାଣିରୁ ବିଶ୍ୱାସର ସହିତ ଆଜ୍ଞାମାଳ ତୋଳି ଧରି କଳା ଶାଢ଼ିରେ ବାନ୍ଧି କୂଳକୁ ଫେରିଥିଲେ।

ଆଜ୍ଞାମାଳକୁ ପାଣିରୁ ତୋଳି ଧରିବା ବା ଉଠାଇ ଆଣିବାର ପରମ୍ପରାକୁ “ପାଣି ତୋଳା”ଯାତ୍ରା ବୋଲି ବିଶ୍ୱାସ କରାଯାଏ। ତତ୍ ପରେ ଦୁଇ ଭଉଣୀ ବାଟରେ ସାମନ୍ତରାପୁରର ବିଭୂତି ସାମନ୍ତରା ଓ ଗ୍ରାମବାସୀଙ୍କ ତରଫରୁ ପ୍ରସ୍ତୁତ ଖେଚଡ଼ି, ମାଛ ପୋଡ଼ା, କାକରା, ଅଟକାଳି ଭୋଗଲାଗି ହୋଇ ବାଟରେ ଦଧିବାମନ ମନ୍ଦିର, ଗୁଣ୍ଡରୁପୁର, ପାଟଣା ସାହି ମଠ, ଏବଂ ଶେଷରେ ଅନ୍ତର କିଆରୀ ଗ୍ରାମବାସୀଙ୍କ ଦ୍ଵାରା ପ୍ରସ୍ତୁତ ଚିତା କର୍ଷକ ସମୁହ ପନ୍ତିଭୋଗ ସେବନ କରିବାପରେ ବାଟରେ ଜଗନ୍ନାଥପୁରର ଶ୍ରଦ୍ଧାଳୁ ଓ ବାପଘର ପରିଚ୍ଛାଙ୍କ ଘରମାନଙ୍କରେ ଭୋଗ ସେବନ ସହିତ ମନ୍ଦିରକୁ ବାହୁଡା ବିଜେ କରି ଶୟନ ଅଷ୍ଟମୀରେ ଶୟନ ବିଧିପାଇଁ ମା’ଙ୍କ ଖଟ ଶେଜ ପଲଙ୍କ ସଜ କରାଯାଇଥିଲା।

ପରେ ପୂଜକ ସାଆନ୍ତ ଓ ପାଳିଆ ମାଳି, କାଠି ନାହାକ କାଠି ଠାକୁରାଣିଙ୍କ ଠାରୁ ପାଟ୍ଟଶାଢି ସଂପୂର୍ଣ୍ଣ ଓ ଲାଗି କରି ଶୟନ ବିଧି କରି ମନ୍ଦିର ପ୍ରତିମା କନକ ଦୁର୍ଗାଙ୍କୁ ପଲଙ୍କ ଉପରେ ଶୟନ କରାଇଥିଲେ। ଜଗତ ଜନନୀ ମା’ଭଗବତୀ ସର୍ବଶେଷରେ ଶୟନ କରିଥିବାରୁ ଏହି ସମୟରେ ମନ୍ଦିରରେ ଧୂପ ଆଳତିରେ ଘଣ୍ଟକାହାଳି ବାଜା ବାଜିବା ସଂପୂର୍ଣ୍ଣମନା।

ଆଶ୍ୱିନ କୃଷ୍ଣ ଅଷ୍ଟମୀ ବା ମୂଳାଷ୍ଟମୀରୁ ସହଶ୍ର କୁମ୍ଭବରଣ କରାଯାଇ ଦେବୀଙ୍କୁ ଶୟନରୁ ଉତଥାନ ପରେ ପର୍ବ ଆରମ୍ଭ ହେବାର ପରମ୍ପରା ଏହି ଶକ୍ତି ପୀଠର ମହାନ ପର୍ବ ଭାବରେ ପରିଚିତ।

ମା’ଙ୍କ ଏହି ଯାତ୍ରାକୁ ଶୁଙ୍ଖଳିତ କରିବାପାଇଁ ସ୍ଥାନୀୟ ବାଣପୁର ବାଲୁଗାଁ ପ୍ରଶାସନ, ମନ୍ଦିର ପରିଚାଳନା କମିଟି, ବାଣପୁର ଓ ବାଲୁଗାଁ ଥାନାଧିକାରୀ, ଦୁଇ ବିଜ୍ଞାପିତ ଅଞ୍ଚଳ ପରିଷଦର କର୍ମକର୍ତ୍ତା, ସମସ୍ତ ଗ୍ରାମବାସୀ ବୃନ୍ଦ ଏବଂ ଦେବୋତ୍ତର କାର୍ଯ୍ୟାଳୟର ସମସ୍ଥ କନିକର୍ଭା ସହଯୋଗ କରିଥିଲେ।

Share This Article