ଯୁବତୀକୁ ଦୁଷ୍କର୍ମ ସହ ହତ୍ୟା ଘଟଣା: ଝିଅର ଶବସତ୍କାର କଲେନି ଗ୍ରାମବାସୀ

Odisha Hot News
2 Min Read

ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନାର ସାହେବି ଗ୍ରାମରେ ଜଣେ ଯୁବତୀକୁ ଦୁଷ୍କର୍ମ ପରେ ହତ୍ୟା ଘଟଣାରେ ମୃତ ଯୁବତୀଙ୍କ ଶବକୁ ପରିବାର ଲୋକେ କି ଗାଁ ଲୋକେ ଦାହ କରିବାକୁ ପ୍ରଶାସନକୁ ରୋକ ଠୋକ ମନା କରିଦେଇଥିଲେ।  ପ୍ରଶାସନ ବାଧ୍ୟ ହୋଇ ରେଢ଼ାଖୋଲରେ ଶବକୁ ଦାହ କରିଥିବା ଜଣା ପଡିଛି।

ଯୋଉ ଝିଅ ପାଇଁ ଦୁଇ ଦିନ ଧରି ରାସ୍ତା ରୋକ କରି ଆନ୍ଦୋଳନ କରୁଥିଲେ ସେଇ ଗ୍ରାମବାସୀ ମାନବିକତା ହରାଇଲେ। ମାନବିକତା ଦୃଷ୍ଟିରୁ ଶବ ଟିକୁ ଦାହ କରିବାର ଆବଶ୍ୟକତା ଥିଲା ହେଲେ ଶେଷରେ ତାଙ୍କ ଶବକୁ ଅସମ୍ମାନ କଲେ।

ସୂଚନା ଥାଉକି, ଶୁକ୍ରବାର ଦିନ ଗାଧୁଆ ତୁଠରେ ଦୁଷ୍କର୍ମର ଶିକାର ହୋଇ ମୃତ ବରଣ କରିଥିଲେ ସାହେବି ଗ୍ରାମର ସୁଭାଷିନୀ ମାଟିଆରୀ (୨୫)। ସେହି ଗ୍ରାମର ଶିଶିର ବେହେରା (ହରି) ଦୁଷ୍କର୍ମ କରି ମାରିଦେଇ ଗ୍ରାମ ନିକଟସ୍ଥ ଜଙ୍ଗଲରେ ପକାଇ ଦେଇଥିବା ବେଳେ ରବିବାର ଦିନ ସୁଭାଷିନୀର ମୃତ ଦେହ ମିଳିଥିଲା। ଏ ନେଇ ଗ୍ରାମବାସୀ ବିଭିନ୍ନ ଦାବି ନେଇ ରାସ୍ତା ରୋକ କରିଥିବା ବେଳେ ରବିବାର ଦିନ ରାତ୍ରିରେ ଶବକୁ ବ୍ୟବଚ୍ଛେଦ ପାଇଁ ବୁର୍ଲା ପଠାଯାଇଥିଲା।

ତେବେ ପ୍ରଶାସନ ବୁର୍ଲାରୁ ଶବକୁ ଆଣି ରେଢ଼ାଖୋଲ ଡାକ୍ତରଖାନାରେ ରଖିଥିଲେ। ଶବ ଗ୍ରାମକୁ ଆସିବା ଜାଣି ଗ୍ରାମବାସୀ ଉତ୍ୟକ୍ତ ହୋଇଥିଲେ। ଏ ନେଇ ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ରଶ୍ମିରଂଜନ ମହନ୍ତ, ଅତିରିକ୍ତ ଏସ ପି ଅଜୟ କୁମାର ମିଶ୍ର, ଆଲବିନୁସ କେରକେଟା, ଏସ ଡି ପି ଓ ପ୍ରଶାନ୍ତ କୁମାର ମେହେର, ନାକଟିଦେଉଳ ବିଡ଼ିଓ ଧନାଇ ଚରଣ ଟୁଡୁ, ତହସିଲଦାର ଅମର ଜେ ଡୁଙ୍ଗଡୁଙ୍ଗ ଙ୍କ ସହ ବିଭିନ୍ନ ଥାନାର ଥାନାଧିକାରୀ, ୨ ପ୍ଲାଟୁନ ପୋଲିସ ଫୋର୍ସ ସାହେବୀ ଗ୍ରାମରେ ଉପସ୍ଥିତ ଥିଲେ। ହେଲେ ଶବକୁ ଦାହ କରିବା ପାଇଁ ଗ୍ରାମ ବାସୀ ରାଜି ହୋଇ ନ ଥିଲେ।

ପ୍ରଥମେ କୁଟାସିଂହା, ଝାରବେଡା ଓ ଶେଷରେ ସାହେବୀ ଗ୍ରାମରେ ଶବ ଦାହ ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ବାରଣ କରାଯାଇଥିଲା। ବାଧ୍ୟ ହୋଇ ରେଢ଼ାଖୋଲ ଏନଏସି ରେ ଥିବା ଶବ ଦାହ ଗୃହରେ ଶବ ଦାହ କରାଗଲା ବୋଲି ଜଣାପଡିଛି।

Share This Article