ରାସ୍ତା ମଝିରେ ଓଲଟିଲା ଚୋରା କେନ୍ଦୁପତ୍ର ବୋଝେଇ ପିକଅପ

Odisha Hot News
2 Min Read

ରେଢ଼ାଖୋଲ (କନ୍ଦର୍ପ ବେହେରା): ରାତି ଅଧରେ ପିକଅପ ଭ୍ୟାନ୍ ଗାଡ଼ିରେ କେନ୍ଦୁପତ୍ର ଚୋରା ଚାଲାଣ କରୁଥିବା ଖବର ପାଇ ବନ ବିଭାଗ ପିଛା କରିଥିଲା। ଯାହା ପରେ ଦ୍ରୁତ ଗତିରେ ପଳାଉ ଥିବା ଚୋରା କେନ୍ଦୁପତ୍ର ବୋଝେଇ ପିକଅପ ଭାରସାମ୍ୟ ହରାଇ ନାକଟିଦେଉଳ ଠାରେ ରାସ୍ତା ପାର୍ଶ୍ୱରେ ଥିବା ଏକ ଗଛରେ ଧକ୍କା ହୋଇ ରାସ୍ତା ଉପରେ ଓଲଟି ପଡ଼ିଥିଲା। ସୂଚନା ଅନୁସାରେ ଏକ ପିକଅପ ଭ୍ୟାନ ଗାଡ଼ିରେ ଚୋରା କେନ୍ଦୁପତ୍ର ରେଢ଼ାଖୋଲ ପଟରୁ ନାକଟିଦେଉଳ ପଟକୁ ଚାଲାଣ ହେଉଥିବା ସମ୍ପର୍କରେ ଖବର ପାଇ ରେଢ଼ାଖୋଲ ବନ ବିଭାଗର କର୍ମଚାରୀ ମାନେ ଗୁରୁବାର ବିଳମ୍ବିତ ରାତ୍ରିରେ ପିଛା କରିଥିଲେ।

ତେବେ ଏହି ଚୋରା ଗାଡିଟି ରେଢ଼ାଖୋଲ- ଦେବଗଡ଼ ରାସ୍ତାରେ ଆସୁଥିବା ବେଳେ ଖବର ପାଇ ନାକଟିଦେଉଳ ବନ ବିଭାଗ ମଧ୍ୟ ତତ୍ପର ହୋଇ ଉଠିଥିଲା। ସମସ୍ତଙ୍କୁ ଚକମା ଦେଇ ଏହି ଚୋରା କେନ୍ଦୁପତ୍ର ବୋଝେଇ ଗାଡି ଦ୍ରୁତ ଗତିରେ ପଳାଉ ଥିବା ବେଳେ ନାକଟିଦେଉଳ ଘାସି ସାହି ନିକଟ ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା ଏକ ଗଛରେ ପିଟି ହୋଇ ଓଲଟି ପଡିଥିଲା। ଗାଡିକୁ ପିଛା କରୁଥିବା ବନ ବିଭାଗ କର୍ମଚାରୀ ମାନେ ତୁରନ୍ତ ସେଠାରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ିରୁ ଏହି ଦୁଇ ଜଣ ଚୋରା ବେପାରୀଙ୍କୁ ଗୁରୁତର ଭାବେ ଉଦ୍ଧାର କରି ସଙ୍ଗେ ସଙ୍ଗେ ନାକଟିଦେଉଳ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ ଆମ୍ବୁଲାନ୍ସ ଯୋଗେ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି।

ଏହି ଦୁର୍ଘଟଣାରେ ଚାଳକ ସମେତ ୨ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଆହତ ଦୁଇ ଜଣ ହେଲେ ପଶ୍ଚିମବଙ୍ଗ ହୁଗୁଳିର ଅଗ୍ନି ମଜୁମଦାର(୨୯) ଏବଂ ସୁମନ ଘୋଷ (୨୨)। ଆହତ ମାନଙ୍କୁ ଚିକିତ୍ସା ପାଇଁ ବୁର୍ଲା ଡାକ୍ତରଖାନା ପଠାଇ ଦିଆଯାଇଥିବା ଜଣାପଡିଛି। ନାକଟିଦେଉଳ ବନ ବିଭାଗ ଦୁର୍ଘଟଣାଗ୍ରସ୍ତ ଚୋରା କେନ୍ଦୁପତ୍ର ବୋଝେଇ ଗାଡି ସହିତ ସମସ୍ତ କେନ୍ଦୁପତ୍ର ଜବତ କରି ଘଟଣାର ତଦନ୍ତ କରୁଥିବା ଜଣାପଡିଛି।

Share This Article