ବାଲୁଗାଁ ଆରପିଏଫ ଏବଂ ବ୍ରହ୍ମପୁର ଜିଆରପିର ମିଳିତ ଚଢ଼ାଉ: ୩ ଲୁଟେରା ଗିରଫ

Odisha Hot News
1 Min Read

ବାଲୁଗାଁ (ସୀତାରାମ ଅଗ୍ରୱାଲ): ବାଲୁଗାଁ ଆରପିଏଫ ଏବଂ ବ୍ରହ୍ମପୁର ଜିଆରପିର ମିଳିତ ଚଢ଼ାଉ କରି ୩ ଲୁଟେରାଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୧୩ ଗୋଟି ଚୋରା ମୋବାଇଲ ଜବତ କରିଛି, ଯାହାର ଆନୁମାନିକ ମୂଲ୍ୟ ଦେଢ଼ ଲକ୍ଷ ଟଙ୍କା ହେବ।

ବାଲୁଗାଁ ଆରପିଏଫ ଆଇଆଇସି ଜିତେନ୍ଦ୍ର ମୌର୍ଯ୍ୟଙ୍କ ସୂଚନା ମୁତାବକ ଚଳିତ ମାସ ୨୩ ତାରିଖ ଦିନ ଖଲିକୋଟ ରେଳ ଷ୍ଟେସନ ପରିସରରୁ ଜଣେ ପାସେଞ୍ଜରଙ୍କ ନିକଟରୁ ୩ ଲୁଟେରା ମୋବାଇଲ ଫୋନ ଲୁଟି ନେଇଥିଲେ। ଏ ନେଇ ବ୍ରହ୍ମପୁର ଜିଆରପି କେସ ନମ୍ବର ୬୫/୨୪ ରେ ଏକ ମାମଲା ରୁଜୁ କରିଥିଲା।

ପରବର୍ତ୍ତୀ ସମୟରେ ବାଲୁଗାଁ ଆରପିଏଫ ଏବଂ ବ୍ରହ୍ମପୁର ଜିଆରପି ମିଳିତ ଭାବେ ଏକ ଟିମ ଗଠନ କରି ୨୪ ତାରିଖ ଦିନ ଖଲିକୋଟ ରେଳ ଷ୍ଟେସନର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ। ଅଭିଯୁକ୍ତମାନେ ହେଲେ ପ୍ରଶାନ୍ତ ଜାଲି (୨୦), କେ. ଲକ୍ଷ୍ମଣ ପାତ୍ର (୨୮) ଏବଂ ଆଲୋକ ପ୍ରଧାନ (୨୦)। ସେମାନଙ୍କ ନିକଟରୁ ୧୩ ଗୋଟି ମୋବାଇଲ ଫୋନ ଜବତ ହୋଇଛି।

ତେବେ ତଦନ୍ତରୁ ଜଣାପଡିଛି ଯେ, ଉକ୍ତ ଅଭିଯୁକ୍ତମାନେ ଖୋର୍ଦ୍ଧାରୁ ବ୍ରହ୍ମପୁର ରେଳ ଷ୍ଟେସନ ମଧ୍ୟରେ ବିଭିନ୍ନ ପାସେଞ୍ଜରଙ୍କ ନିକଟରୁ ମୋବାଇଲ ଫୋନ ଲୁଟ କରୁଥିଲେ। ଅଭିଯୁକ୍ତ ମାନଙ୍କୁ ବ୍ରହ୍ମପୁର ଜିଆରପି ଆଜି କୋର୍ଟଚାଲାଣ କରିଛି।

Share This Article