ସମାଧାନ ହେଲା ସାମ୍ବାଦିକ ଓ ଜିଲ୍ଲାପାଳ ବିବାଦ

Odisha Hot News
2 Min Read

ରଣପୁର: ଗତ ମାସରେ ବ୍ଲକ ସଭାଗୃହରେ ନୟାଗଡ ଜିଲ୍ଲାପାଳଙ୍କ ସାମ୍ବାଦିକଙ୍କୁ ଅସମ୍ମାନ ଘଟଣା ଆଜି ସମାଧାନ ହୋଇଛି। ଆଜି ଅପରାହ୍ନରେ ନୟାଗଡ ଜିଲ୍ଲାପାଳ ସ୍ବେଧାଦେବ ସିଂ ରଣପୁର ବ୍ଲକ ବିଡ଼ିଓଙ୍କ ପ୍ରକୋଷ୍ଠରେ ସାମ୍ବାଦିକମାନଙ୍କୁ ଡାକି ଦୁଃଖ ପ୍ରକାଶ କରିଛନ୍ତି। ତାଙ୍କର କୌଣସି ସେଭଳି ଉଦ୍ଦେଶ୍ୟ ନ ଥିଲା ବୋଲି ସେ ମତ ଦେଇଛନ୍ତି।

ଘଟଣାରୁ ପ୍ରକାଶ ଗତ ମାସରେ ନୟାଗଡ଼ ଜିଲ୍ଲା ଦ୍ଵିତୀୟ ଶ୍ରୀକ୍ଷେତ୍ର ରଣପୁର ରଥଯାତ୍ରା ପରିଚାଳନା ବୈଠକରୁ ଜିଲ୍ଲାପାଳ ସାମ୍ବାଦିକମାନଙ୍କୁ ଅସମ୍ମାନ କରିଥିଲେ। ଏହାକୁ ନେଇ ରଣପୁର ସାମ୍ବାଦିକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା।

ସୂଚନା ଅନୁସାରେ ପ୍ରତ୍ୟେକ ବର୍ଷ ଦ୍ଵିତୀୟ ଶ୍ରୀକ୍ଷେତ୍ର ରଣପୁର ରଥଯାତ୍ରା ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଥାଏ। ଏହି ବୈଠକକୁ ସାମ୍ବାଦିକମାନଙ୍କୁ ଯୋଗ ଦେବା ପାଇଁ ଡକା ଯିବା ସହିତ ପ୍ରଚାର ପ୍ରସାର ଦାୟିତ୍ୱ ସହିତ ଅନ୍ୟାନ୍ୟ ଦାୟିତ୍ୱ ମଧ୍ୟ ପ୍ରଦାନ କରାଯାଇଥାଏ।  ସେହିପରି ଭାବେ ଚଳିତ ବର୍ଷ ରଥଯାତ୍ରା ପରିଚାଳନା ବୈଠକ ରଣପୁର ବ୍ଲକ ସଭାଗୃହରେ ଅନୁଷ୍ଠିତ ହେବାକୁ ଥିବା ବୈଠକକୁ ନୟାଗଡ ସୂଚନା ଲୋକସମ୍ପର୍କ ଅଧିକାରୀଙ୍କ ତରଫରୁ ଏହି ବୈଠକରେ ଯୋଗ ଦେବା ପାଇଁ ଖବର ପ୍ରଦାନ କରାଯାଇଥିଲା। ତେବେ ଜିଲ୍ଲାପାଳ ସଭା ଆରମ୍ଭରୁ ବୈଠକରେ ଉପସ୍ଥିତ ଥିବା ସମସ୍ତଙ୍କର ପରିଚୟ ମାଗି ସାରିଲା ପରେ ଫୋଟୋ ଉଠାଇ ସଭାଗୃହରୁ ସାମ୍ବାଦିକଙ୍କୁ ବାହାରକୁ ଚାଲିଯିବା ପାଇଁ କହିଥିଲେ। ଏହାକୁ ନେଇ ସାମ୍ବାଦିକମାନଙ୍କ ମଧ୍ୟରେ ଘୋର ଅସନ୍ତୋଷ ବ୍ୟକ୍ତ କରିବା ସହିତ ସାମ୍ବାଦିକମାନେ ମଣିନାଗ ପୀଠରେ ଏକ ଜରୁରୀ ବୈଠକ କରି ଜିଲ୍ଲାପାଳଙ୍କ ନାମରେ ଏକ ନିନ୍ଦା ପ୍ରସ୍ତାବ ଆଗତ କରିଥିଲେ। ଏହା ସହିତ ଆଗାମୀ ଦିନରେ ଜିଲ୍ଲା ପ୍ରଶାସନର କୌଣସି ଖବର ପ୍ରସାରଣ କରିବେ ନାହିଁ ବୋଲି ଏକ ପ୍ରସ୍ତାବ ଆଗତ ହୋଇଥିଲା।

ଏ ନେଇ ଜିଲ୍ଲାପାଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଲୋକ ସୂଚନା ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପତ୍ର ପ୍ରଦାନ କରାଯାଇଥିଲା। ଆଜି ଜିଲ୍ଲାପାଳଙ୍କ ଦୁଃଖ ପ୍ରକାଶ ପରେ ଏହି ବିବାଦର ସମାଧାନ ହୋଇଛି। ପରେ ଜିଲ୍ଲାପାଳ ସାମ୍ବାଦିକମାନଙ୍କ ସହିତ ରଥ ଖଳାକୁ ଆସି ରଥ ଦେଖିବା ସହିତ ରଥଯାତ୍ରା ଉପସ୍ଥିତ ରହିବା ପାଇଁ ସାମ୍ବାଦିକମାନଙ୍କୁ ଜିଲ୍ଲାପାଳ ଅନୁରୋଧ କରିଥିଲେ।

Share This Article