ନିର୍ବାଚନ ପରବର୍ତ୍ତୀ ଶାନ୍ତି ଶୃଙ୍ଖଳା ପାଇଁ ରଣପୁର ପୋଲିସର ସଚେତନତା କାର୍ଯ୍ୟକ୍ରମ

Odisha Hot News
1 Min Read

ରଣପୁର: ନୟାଗଡ ଜିଲ୍ଲାର ଚାରିଗୋଟି ନିର୍ବାଚନ ମଣ୍ଡଳୀରେ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ଶେଷ ହୋଇଛି। ଆସନ୍ତା ୪ ତାରିଖ ଦିନ ଭୋଟ ଗଣତି କରାଯିବ। ଭୋଟ ଗଣତି କାର୍ଯ୍ୟକ୍ରମକୁ ଶାନ୍ତି ଶୃଙ୍ଖଳାର ସହ ପରିଚାଳିତ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନେକ ପଦକ୍ଷେପ ନିଆ ଯାଇଛି। ଭୋଟ ଗଣତି ଦିନ ଯେପରି କୌଣସି ବିଶୃଙ୍ଖଳା ସୃଷ୍ଟି ନ ହୁଏ, ସେଥି ପ୍ରତି ନଜର ରଖି ନୟାଗଡ ଜିଲ୍ଲାପାଳ ସ୍ୱଧାଦେବ ସିଂ ସମଗ୍ର ଜିଲ୍ଲାରେ ୧୪୪ ଧାରା ଜାରି କରିଛନ୍ତି। ଏହା ସହ ଜିଲ୍ଲାର ଶାନ୍ତି ଶୃଙ୍ଖଳା କିପରି ବଜାୟ ରହିବ ସେଥିପ୍ରତି ନୟାଗଡ ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷ ରାହୁଲ ଜୈନଙ୍କ ନିର୍ଦ୍ଦେଶରେ ବିଭିନ୍ନ ଥାନାର ଅଧିକାରୀ ଓ ପୋଲିସ କର୍ମଚାରୀମାନେ ବିଭିନ୍ନ ଗାଁ, ପଞ୍ଚାୟତ, ବଜାର, ହାଟ ବୁଲି ଲୋକଙ୍କୁ ସଚେତନ କରୁଛନ୍ତି, ଯେପରି ନିର୍ବାଚନ ପରବର୍ତ୍ତୀ ସମୟରେ କୌଣସି ଅପ୍ରୀତିକର ପରିସ୍ଥିତି ଦେଖା ନ ଯିବ।

ଏହି ପରିପ୍ରେକ୍ଷୀରେ ଜିଲ୍ଲା ଆରକ୍ଷୀ ଅଧିକାରୀଙ୍କ ନିର୍ଦ୍ଦେଶରେ ଆଜି ରଣପୁର ଥାନା ଅଧିକାରୀ ନିହାର ରଞ୍ଜନ ମହାନ୍ତି ଓ ଥାନାର କର୍ମଚାରୀମାନେ ନରସିଂହପୁର, ନାଟିମି, ହଂସରା, ଲୋଧାଚୁଆ, ଲେଖନପୁର, ପିମ୍ପଲ, କଙ୍କିଆ, ବାଉଁଶଗଡ଼, ବଜ୍ରକୋଟ ଗ୍ରାମପଂଚାୟତର ବିଭିନ୍ନ ଗ୍ରାମକୁ ଗ୍ରାମ ବୁଲି ଲୋକମାନଙ୍କୁ ସଚେତନ କରାଇଥିଲେ।

ଏହା ସହ ଦର୍ପନାରାୟଣପୁର ଓ ରଜସୁନାଖଳା ଫାଣ୍ଡିର ଅଧିକାରୀମାନେ ମଧ୍ୟ ନିଜ ନିଜ ଅଧୀନରେ ଥିବା ବିଭିନ୍ନ ସ୍ଥାନକୁ ଯାଇ ଶାନ୍ତି ଶୃଙ୍ଖଳା ବଜାଇ ରଖିବା ପାଇଁ ଲୋକମାନଙ୍କୁ ସଚେତନ କରିଥିଲେ।

Share This Article