ସଚିତ୍ର ବିଜୟାର ସଂପାଦକ ତଥା କବି ସୁନୀଲ ପୃଷ୍ଟିଙ୍କର ପରଲୋକ

Odisha Hot News
1 Min Read

ଭୁବନେଶ୍ବର: ଏକଦା ଓଡିଶାରେ ଚହଳ ସୃଷ୍ଟି କରିଥିବା ଫିଚର ପତ୍ରିକା ‘ସଚିତ୍ର ବିଜୟା’ର ପୂର୍ବତନ ସଂପାଦକ ତଥା କବି ସୁନୀଲ ପୃଷ୍ଟିଙ୍କର ଆଜି ଦେହାନ୍ତ ହୋଇଯାଇଛି। ସେ ହଠାତ ଅସୁସ୍ଥ ହୋଇପଡିବାରୁ ତାଙ୍କୁ କ୍ୟାପିଟଲା ହସପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ହୃଦଘାତ ଯୋଗୁଁ ତାଙ୍କର ପରଲୋକ ହୋଇଥିବାର ଜଣାପଡିଛି। ମୃତ୍ୟୁ ବେଳକୁ ତାଙ୍କୁ 62 ବର୍ଷ ବୟସ ହୋଇଥିଲା।

ସୁନୀଲ ପୃଷ୍ଟି ଓଡିଶାର ଲୋକପ୍ରିୟ ପତ୍ରିକା ସଚିତ୍ର ବିଜୟାରେ ସଂପାଦକ ଭାବେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିଥିଲେ। ଏହି ସମୟରେ ସେ ଜହ୍ନମାମୁଁ ର ଓଡିଆ ଅନୁବାଦ ମଧ୍ୟ କରୁଥିଲେ। ଏଥିସହିତ ସେ ସାହିତ୍ୟ ପୃଥିବୀ, ନବଲିପି ଏବଂ ଶିଶିର ପରି ସାହିତ୍ୟ ପତ୍ରିକାର ସଂପାଦକ ଥିଲେ। ସେହିପରି କବି ଭାବେ ସେ ମଧ୍ୟ ବେଶ ପରିଚିତ। ତାଙ୍କ ଲିଖିତ ତନୁଲତାର କବିତା ବେଶ ଆଦୃତ ହୋଇପାରିଛି। ସେହିପରି ଚିହ୍ନା ଚିହ୍ନା ନିର୍ଜନତା, ଅସଫଳ କବିତା, ଦେହ ଦେଉଳ, ପୁଅ ପାଇଁ ପ୍ରାର୍ଥନା ପ୍ରଭୃତି କବିତା ପୁସ୍ତକ ରହିଛି।

ତାଙ୍କର କବିତା ପାଇଁ ସେ ପୁସ୍ତକ ମେଳା ପୁରସ୍କାର, ସାହିତ୍ୟ ଏକାଡେମୀ ପୁରସ୍କାର, ଝଙ୍କାର ବିଷୁବ ପୁରସ୍କାର ପ୍ରଭୃତି ହାସଲ କରିଛନ୍ତି। ମୃତ୍ୟୁ ସମୟରେ ତାଙ୍କର ପତ୍ନୀ ଅଧ୍ୟାପିକା ଗୀତା ଦୀକ୍ଷିତ, ଏକମାତ୍ର ପୁତ୍ର ସୃଜନ ସାରସ୍ବତ ଉପସ୍ଥିତ ଥିଲେ। ତାଙ୍କର ମୃତ୍ୟୁଖବର ପ୍ରସାରିତ ହେବା ପରେ କ୍ୟାପିଟାଲ ହଲପିଟାଲରେ ତାଙ୍କର ବହୁ ପ୍ରସଂଶକଙ୍କର ଭିଡ ହୋଇଥିଲା। ସେହିପରି ସତ୍ୟନଗର ମଶାଣୀରେ ମଧ୍ୟ ତାଙ୍କୁ ଶେଷ ଦର୍ଶନ କରିବା ପାଇଁ ବହୁ ସାହିତ୍ୟିକ ଓ କବି ଉପସ୍ଥିତ ଥିଲେ। ତାଙ୍କ ବିୟୋଗରେ ଓଡିଆ ସାହିତ୍ୟ ତଥା ସାମ୍ବାଦିକ ଜଗତରେ ଶୋକର ଛାୟା ଖେଳିଯାଇଛି।

Share This Article