ଆଜି କମ୍ପିବ ଓଡିଶାର ନିର୍ବାଚନ ପ୍ରଚାର, ମୁହାଁମୁହିଁ ହେବେ ରାହୁଳ ଗାନ୍ଧୀ, ଅମିତ ଶାହ, ଜେପି ନଡ୍ଡା

Odisha Hot News
2 Min Read

ଭୁବନେଶ୍ବର: ଆଜି ଓଡିଶା ନିର୍ବାଚନ ପ୍ରଚାର କମ୍ପମାନ ହେବ। କାରଣ ଆଜି ଦୁଇ ଜାତୀୟ ଦଳ ବିଜେପି ଓ କଂଗ୍ରେସର ତୁଙ୍ଗ ନେତାମାନେ ଓଡିଶା ପ୍ରଚାରରେ ଆସୁଛନ୍ତି। ଫଳରେ ଉଭୟ ଶିବିରରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଛି। ଦିନରେ କଂଗ୍ରେସ ନେତା ରାହୁଳ ଗାନ୍ଧୀ ଏବଂ ବିଜେପି ନେତା ଅମିତ ଶାହା ଆସୁଥିବା ବେଳେ ସଂଧ୍ୟାରେ ଆସୁଛନ୍ତି ନଡ୍ଡା।

କଂଗ୍ରେସ କାର୍ଯ୍ୟାଳୟ ଅନୁସାରେ ରାହୁଳ ଆଜି ଦିନ ୧୧ ଟା ବେଳେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ସିଧା ବଲାଙ୍ଗିର ଯିବେ। ସେଠାରୁ ସେ ଏକ ରୋଡ ସୋ କରି ବିଶାଳ ଜନସମାଗମକୁ ଉଦବୋଧନ ଦେବେ। ପ୍ରଚାର ଶେଷ ହେବା ପରେ ଭୁବନେଶ୍ବର ଆସି ନୂଆଦିଲ୍ଲୀ ଫେରିଯିବେ। ସେହିପରି ଗୁରୁବାର ଦିନ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ଓଡିଶା ପ୍ରଚାରରେ ଆସିବେ। ସେ କନ୍ଧମାଳରେ ଦଳ ପାଇଁ ପ୍ରଚାର କରିବେ।

ସେହିପରି ବିଜେପି ନେତା ତଥା ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଓଡିଶା ଆସୁଛନ୍ତି। ରାଜ୍ୟ ବିଜେପି କାର୍ଯ୍ୟାଳୟ ଅନୁସାରେ ଅମିତ ଶାହ ଆଜି ଦିନ ୧୨ଟା ୩୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ। ସେଠାରୁ ସ୍ୱତନ୍ତ୍ର ବିମାନ ଯୋଗେ ସୋରଡା ଯିବେ । ଦିନ ୧.୩୦ରେ ସେ ସୋରଡାରେ ଜନସଭାରେ ସାମିଲ ହୋଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବେ। ଏହା ପରେ ସେ ସନ୍ଧ୍ୟା ୫ଟା ୩୦ରେ କଟକ ଆସି ଏକ ରୋଡ୍ ସୋ ରେ ଯୋଗଦେବେ।

ସେ ଯିବା ପରେ ସଂଧ୍ୟାରେ ଓଡିଶା ଆସିବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା। ସେ ଭୁବନେଶ୍ବର ବିଜେପି କାର୍ଯ୍ୟାଳୟରେ ଦଳୀୟ ନେତାଙ୍କ ସହିତ ଗୁରୁତ୍ବପୂର୍ଣ୍ଣ ବୈଠକରେ ଯୋଗଦେବେ। ସେ ଭୁବନେଶ୍ବରରେ ରାତ୍ରୀ ଯାପନ କରିବା ପରେ ସକାଳୁ ବରଗଡ ଜିଲ୍ଲା ପଦ୍ମପୁର ଏବଂ ସୁନ୍ଦରରଗଡଠାରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ। ଓଡିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅପେକ୍ଷା ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ବେଶ ସରଗରମ ହେବାରେ ଲାଗିଛି।

Share This Article