ଚିଲିକା ବିଧାନସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେପି ପ୍ରାର୍ଥୀ ପୃଥ୍ଵୀରାଜ ହରିଚନ୍ଦନ

Odisha Hot News
1 Min Read

ଚିଲିକା (ସୀତାରାମ ଅଗ୍ରୱାଲ): ଆଜି ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ପ୍ରାର୍ଥୀ ପୃଥ୍ଵୀରାଜ ହରିଚନ୍ଦନ ଏକ ବିରାଟ ଶୋଭାଯାତ୍ରାରେ ଆସି ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ତଥା ଚିଲିକା ନିର୍ବାଚନମଣ୍ଡଳୀର ରିଟର୍ନିଂ ଅଧିକାରୀଙ୍କ ନିକଟରେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ଆଜି ମଧ୍ୟାହ୍ନରେ ଖୋର୍ଦ୍ଧା ନୁଆ ବସ ଷ୍ଟାଣ୍ଡ ଛକରୁ ହଜାର ହଜାର ସମର୍ଥକଙ୍କ ସହ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲେ ଶ୍ରୀ ହରିଚନ୍ଦନ। ଏହାପରେ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ। ତେବେ ଗତକାଲିର ଘଟଣା ପରେ ପୋଲିସ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ସୁରକ୍ଷା ବ୍ୟବସ୍ଥା ଆହୁରି କଡ଼ାକଡି କରିଥିବା ବେଳେ ଭାଜପା କର୍ମୀ ମାନେ ନିଜ ନେତାଙ୍କ ନାମାଙ୍କନ ପତ୍ର କାର୍ଯ୍ୟକ୍ରମରେ ସାମିଲ ହେବାଲାଗି ଅତ୍ୟଧିକ ଉତ୍ସହିତ ହୋଇ ଫାଟକ ମଧ୍ୟକୁ ଧସେଇ ପଶିଥିଲେ।

ତେବେ ପୋଲିସ ସଙ୍ଗେସଙ୍ଗେ ଘଟଣାକୁ ଆୟତ୍ତ କରିବା ସହ ଭାଜପା କର୍ମୀଙ୍କୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ବାହାର କରିଥିଲେ। ତେବେ ବିଶାଳ ଶୋଭାଯାତ୍ରାରେ ଜୟ ଶ୍ରୀରାମ, ଭାରତ ମାତାକି ଜୟ, ପୃଥ୍ୱୀରାଜ ହରିଚନ୍ଦନ ଜିନ୍ଦାବାଦ, ନରେନ୍ଦ୍ର ମୋଦି ଜିନ୍ଦାବାଦ ଆଦି ସ୍ଲୋଗାନରେ କମ୍ପି ଉଠିଥିଲା ଖୋର୍ଦ୍ଧା ସହର।

ଉକ୍ତ ନାମାଙ୍କନ ଶୋଭାଯାତ୍ରାରେ ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ଚିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋସ୍ନା ବେହେରା, ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ସଂଗଠକ ଜିତେନ୍ଦ୍ର କୁମାର ଭୋଳ ଓ ସମସ୍ତ ନିର୍ବାଚିତ ଜନପ୍ରତିନିଧି ପ୍ରମୁଖ ସାମିଲ ଥିଲେ।

Share This Article