ଚିଲିକାରେ ବଳ ଗୋଟାଉଛନ୍ତି ବିଜେଡି ପ୍ରାର୍ଥୀ ରଘୁନାଥ ସାହୁ, ଅସନ୍ତୁଷ୍ଠ ନେତାଙ୍କ କଲେ ମାନଭଞ୍ଜନ

Odisha Hot News
1 Min Read

ବାଲୁଗାଁ( ସୀତାରାମ ଅଗ୍ରୱାଲ): ଚିଲିକା ନିର୍ବାଚନ ମଣ୍ଡଳିର ସମସ୍ତ ଅସନ୍ତୁଷ୍ଠ ନେତାଙ୍କୁ ଏକାଠି କରିବାରେ ଲାଗିଛନ୍ତି ବିଜେଡି ପ୍ରାର୍ଥୀ ରଘୁନାଥ ସାହୁ। ତାଙ୍କ ନାମ ଘୋଷଣା ହେବା ପରେ ସେ ନିଜର ଶକ୍ତି ବଢାଇବା ପାଇଁ ଲାଗିପଡିଛନ୍ତି। ଇତି ମଧ୍ୟରେ ତାଙ୍କୁ ଦୃଢ ବିରୋଧ କରୁଥିବା ବିଜେଡି ନେତାଙ୍କ ମାନଭଂଜନ କରିଛନ୍ତି। ବର୍ତ୍ତମାନ ଚିଲିକାର ପ୍ରାୟ ବିଜେଡି ନେତା ରଘୁନାଥଙ୍କୁ ସମର୍ଥନ କରିବା ଆରମ୍ଭ କରିଛନ୍ତି।

ଗତ ପୌର ଓ ପଞ୍ଚାୟତ ନିର୍ବାଚନରେ ରଘୁନାଥ ବିଜେଡି ପ୍ରାର୍ଥୀଙ୍କୁ ସମର୍ଥନ କରି ନ ଥିଲେ। ଫଳରେ ସବୁ ନେତା ସେବେଠାରୁ ରଘୁନାଥଙ୍କ ଉପରେ ଖପ୍ପା ହୋଇ ରହିଥିଲେ। ହେଲେ ବର୍ତ୍ତମାନ ଦଳର ଚାପ ତଥା ରଘୁନାଥଙ୍କ କ୍ଷମା ପ୍ରାର୍ଥନା ପରେ ସମସ୍ତଙ୍କ ମାନଭଂଜନ କରିବାରେ ରଘୁନାଥ ସକ୍ଷମ ହୋଇପାରିଛନ୍ତି।

ଗତ ଶୁକ୍ରବାର ଦିନ ରଘୁନାଥ ବାଲୁଗାଁ ଏନଏସି ର ଦୃଢ ସଂଗଠକ ଶଙ୍କର ପାଇକରାୟଙ୍କୁ ନିଜ ସପକ୍ଷରେ ଆଣିପାରିଛନ୍ତି। ରଘୁନାଥ ତାଙ୍କ ବାସଭବନକୁ ଯାଇ ପୂର୍ବର ଭୁଲ ପାଇଁ କ୍ଷମା ପ୍ରାର୍ଥନା କରିବା ସହିତ ବିଜେଡିକୁ ଶକ୍ତିଶାଳି କରିବା ପାଇଁ ଅନୁରୋଧ କରିଛନ୍ତି। ବିଜେଡି ନେତା ଶ୍ରୀ ପାଇକରାୟଙ୍କର ଚିଲିକା ନିର୍ବାଚନ ମଣ୍ଡଳିରେ ବେଶ ଦବଦବା ରହିଛି। ତାଙ୍କର ଧର୍ମପତ୍ନୀ ସୁକାନ୍ତି ପାଇକରାୟ ବର୍ତ୍ତମାନ ବାଲୁଗାଁ ଏନଏସି ଅଧ୍ୟକ୍ଷା ଅଛନ୍ତି। ରଘୁନାଥଙ୍କ ଅନୁରୋଧ ପରେ ସେ ବର୍ତ୍ତମାନ ତାଙ୍କୁ ସମର୍ଥନ କରିବେ ବୋଲି ଘୋଷଣା କରିଛନ୍ତି।

ସେହିପରି ଚିଲିକା ନିର୍ବାଚନ ମଣ୍ଡଳୀର ସମସ୍ତ ଅସନ୍ତୁଷ୍ଠ ବିଜେଡି ନିର୍ବାଚିତ ପ୍ରତିନିଧିମାନଙ୍କ ଘରକୁ ଘର ବୁଲି ରଘୁନାଥ କ୍ଷମା ପ୍ରାର୍ଥନା କରି ଦଳକୁ ସୁଦୃଢ କରିବା ପାଇଁ ଅନୁରୋଧ କରିବାରେ ଲାଗିଛନ୍ତି। ଅସନ୍ତୁଷ୍ଠ ନେତାମାନେ ବର୍ତ୍ତମାନ ରଘୁନାଥଙ୍କ ଅନୁରୋଧରେ ସମର୍ଥନ କରି ପ୍ରଚାର ଆରମ୍ଭ କରି ଦେଲେଣି। ଫଳରେ ଧିରେ ଧିରେ ଚିଲିକା ନିର୍ବାଚନ ମଣ୍ଡଳିରେ ରଘୁନାଥଙ୍କ ପଲ୍ଲା ଭାରି ହେବାରେ ଲାଗିଛି।

Share This Article