ବିଜେଡିର ନୂଆ ପ୍ରାର୍ଥୀ ତାଲିକାରେ ପାଞ୍ଚ ଜଣ ବିଧାୟକଙ୍କ କଟିଲା ଟିକେଟ, ଚାରି ମହିଳା

Odisha Hot News
2 Min Read

ଭୁବନେଶ୍ବର: ଆଜି ବିଜେଡିର ଘୋଷଣା ହୋଇଥିବା ନଅ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ଦଳ ଛଅ ଜଣଙ୍କର ଟିକେଟ କାଟିଛି। ସେହିପରି ଏହି ପ୍ରାର୍ଥୀ ତାଲିକାରେ ଦଳ ଚାରି ଜଣ ମହିଳାଙ୍କୁ ପ୍ରାର୍ଥୀ କରିଛି। ଆଜି ଘୋଷିତ ପ୍ରାର୍ଥୀ ତାଲିକାରେ ଯେଉଁ ବିଧାୟକଙ୍କର ଟିକେଟ କଟିଛି ସେମାନେ ହେଲେ ବଡଚଣାରୁ ଅମର ଶତପଥୀ। ଛଅ ଥର ବିଧାୟକ ଥିବା ଅମର ତାଙ୍କ ବଦଳରେ ପୁଅଙ୍କୁ ଟିକେଟ ଦେବା ପାଇଁ ଚେଷ୍ଠା କରିଥିଲେ। ହେଲେ ଦଳ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଟିକେଟ ଦେଇଛି।

ସେହିପରି କେନ୍ଦ୍ରାପଡାର ବିଧାୟକ ଶଶୀଭୂଷଣ ବେହେରାଙ୍କର ମଧ୍ୟ ଟିକେଟ କଟିଛି। ତାଙ୍କୁ ଦଳ ଭରସା କରି ନାହିଁ। ଅନ୍ୟପକ୍ଷରେ ସେଠାରେ କଂଗ୍ରେସରୁ ଆସି ବିଜେଡିରେ ଯୋଗ ଦେଇଥିବା ଗଣେଶ୍ବର ବେହେରାଙ୍କୁ ଦଳ ଟିକେଟ ଦେଇଛି। ଶଶୀଭୂଷଣ ଦଳର ଜଣେ ବରିଷ୍ଠ ନେତା ହୋଇଥିଲେ ମଧ୍ୟ ଦଳ ତାଙ୍କ ଉପରେ ଭରସା କରି ନାହିଁ। ଏପରିକି ସେ ପୂର୍ବରୁ ଲଢିଥିବା ଜୟଦେବ ଆସନ ପାଇଁ ମଧ୍ୟ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଛି।

ଅନ୍ୟପକ୍ଷରେ ପୂର୍ବତନ ମନ୍ତ୍ରୀ ତଥା ସିମୁଳିଆ ବିଧାୟକ ଜ୍ୟୋତି ପାଣିଗ୍ରାହୀଙ୍କର ମଧ୍ୟ ଟିକେଟ କଟିଛି। ସେ ଏଥର ଟିକେଟ ପାଇବେ କି ନାହିଁ ଦ୍ବନ୍ଦରେ ଥିଲେ। ହେଲେ ଦଳ ତାଙ୍କ ଉପରେ ଭରସା ନ କରି ସୁଭାସିନୀ ସାହୁଙ୍କୁ ଟିକେଟ ଦେଇଛି। ସେହିପରି ଚମ୍ପୁଆରୁ ମିନାକ୍ଷୀ ମହନ୍ତଙ୍କ ଟିକେଟ କଟିଛି। ତାଙ୍କ ବଦଳରେ ଦଳ ପୂର୍ବତନ ବିଧାୟକ ସନାତନ ମହାକୁଡଙ୍କୁ ଟିକେଟ ଦେଇଛି। ଆନନ୍ଦପୁରର ବିଧାୟକ ଭାଗୀରଥି ସେଠୀଙ୍କର ମଧ୍ୟ ଟିକେଟ କଟିଛି। ସେଠାରେ ଦଶ ଅଭିମନ୍ୟୁ ସେଠୀଙ୍କୁ ପ୍ରାର୍ଥୀ କରିଛି।

ଏଥର ନଅ ଜଣିଆ ତାଲିକାରେ ଦଳ ମହିଳାଙ୍କୁ ମଧ୍ୟ ଗୁରୁତ୍ବ ଦେଇଛି। ଏହି ନଅ ଜଣଙ୍କ ମଧ୍ୟରୁ ଚାରି ଜଣ ମହିଳା ପ୍ରାର୍ଥୀ ଅଛନ୍ତି। ସେମାନେ ହେଲେ ବାସନ୍ତି ହେମ୍ବ୍ରମ, ବିଦୂସ୍ମିତା ମହାଲିକ, ସୁଭାଶିନୀ ସାହୁ, ବର୍ଷା ପ୍ରିୟଦର୍ଶିନୀ। ମହିଳା ସଂରକ୍ଷଣ ନେଇ ଦଳ ଯେଉଁ ଆଭିମୁଖ୍ୟ ରଖିଛି ତାହା କାର୍ଯ୍ୟକାରୀ କରିବାରେ ଲାଗିଛି।

Share This Article