ତାମିଲନାଡୁରେ ଦୁର୍ଘଟଣା ଯୋଗୁଁ ଓଡିଶା କନଷ୍ଟେବଳଙ୍କ ମୃତ୍ୟୁ: ଶୋକ ବ୍ୟକ୍ତ କଲେ ଆରକ୍ଷୀ ମହାନିର୍ଦ୍ଦେଶକ

Odisha Hot News
1 Min Read

କଟକ: ତାମିଲନାଡୁ ରାଜ୍ୟର ତ୍ରିଚୀ ଠାରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିବା କନଷ୍ଟେବଳ ପ୍ରମୋଦ କୁମାର ମାଝୀ ( C/222)ଙ୍କ ଅକାଳ ବିୟୋଗ ଘଟିଛି। ତ୍ରିଚୀଠାରେ ନିଜର କର୍ତ୍ତବ୍ୟ ସମ୍ପାଦନ କରୁଥିବା ବେଳେ ଦୁର୍ଘଟଣାରେ ଶିକାର ହୋଇ ତାଙ୍କର ମୃତ୍ୟୁ ଘଟିଛି। ସେ 5ମ IRBN ବାଟାଲିୟନ, ବୌଦ୍ଧଠାରେ କାର୍ଯ୍ୟରତ ଥିଲେ। ତାଙ୍କର ନିଜ ଘର ନୂଆପଡା ଜିଲ୍ଲା ଧର୍ମବନ୍ଧା ଗାଁରେ। ସେ 2009 ମସିହାରେ ରାଜ୍ୟ ପୋଲିସ ବିଭାଗରେ ଯୋଗ ଦେଇଥିଲେ।

ଉଲ୍ଲେଖଯୋଗ୍ୟ ଯେ, ଆଗକୁ ତାମିଲନାଡୁରେ ସାଧାରଣ ନିର୍ବାଚନ ରହିଛି। ଏହାର ସୁପରିଚାଳନା ନିମନ୍ତେ ରାଜ୍ୟ ପୋଲିସର 30ଟି କମ୍ପାନୀ ତାମିଲନାଡୁ ଗସ୍ତରେ ଯାଇଛନ୍ତି। ଗତ 4 ତାରିଖରେ ଶ୍ରୀ ମାଝୀ ନିଜର କର୍ତ୍ତବ୍ୟ ସମ୍ପାଦନ କରୁଥିବା ବେଳେ ଏକ ଗାଡି ତାଙ୍କୁ ପଛ ପଟୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ସେଠାରେ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଗତ କାଲି ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା।

ତାଙ୍କର ମୃତ୍ୟୁ ଖବର ଶୁଣି ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀଗଣ ଶୋକ ବ୍ୟକ୍ତ କରିଛନ୍ତି। ଏହା ସହ ଶ୍ରୀ ମାଝୀଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି।

Share This Article