ଖୋର୍ଦ୍ଧା ଜିଲ୍ଲା ପୋଲିସ ପକ୍ଷରୁ ୮୯ ତମ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ

Odisha Hot News
1 Min Read

ଖୋର୍ଦ୍ଧା: ଜିଲ୍ଲା ପୋଲିସ ପକ୍ଷରୁ ଆଜି ୮୯ ତମ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ସ୍ଥାନୀୟ ପୋଲିସ ରିଜର୍ଭ ପଡିଆରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବି ଯୁଗଳ କିଶୋର କୁମାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମ୍ମିଳିତ ପରେଡରେ ଅଭିଭାଦନ ଗ୍ରହଣ କରିଥିଲେ।

ଏହି ଅବସରରେ ଏସପି ଶ୍ରୀ କିଶୋର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପାଠ କରିଥିଲେ। ନିଜ ଅଭିଭାଷଣରେ ଏସପି କହିଥିଲେ କି, ପୋଲିସ କେବଳ ଜନତାର ବନ୍ଧୁ କହିଲେ ହେବନି, ବାସ୍ତବରେ ଏହାକୁ ପ୍ରତିପାଦନ କର। ନିଜ ଦାୟିତ୍ବ ଓ କର୍ତ୍ତବ୍ୟ ସୂଚାରୁ ରୁପେ ପାଳନ କର। ସେବା ଓ ସମର୍ପଣ ଭାବ ନେଇ କାର୍ଯ୍ୟ କର। ନାଗରିକଙ୍କ ସହ ଉତ୍ତମ ବ୍ୟବହାର ଏବଂ ବନ୍ଧୁତ୍ଵପୂର୍ଣ୍ଣ ବାତାବରଣ ରହିଲେ ହୃଦୟ ଜିଣିପାରିବ ବୋଲି ଏସପି କହିଥିଲେ।

ପୋଲିସ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ସିକୋ ଫାଣ୍ଡି ଅଧିକାରୀ ଏସଆଈ ପ୍ରସନ୍ନ ଜେନା, ସଦର ଥାନା ଏଏସଆଈ ସୁବାସ ନାୟକ, ଆରଓ ହାବିଲଦାର ସଞ୍ଜୟ କୁମାର ଦାସ, କନଷ୍ଟେବଳ କବିତାଞ୍ଜଳି ବେହେରା, ବାବୁଲି ବେହେରା ଓ ଅର୍ଜୁନ ସେଠି ଆଦି ୬ ଜଣ ପୋଲିସ କର୍ମଚାରୀଙ୍କୁ ଏସପି ପୁରସ୍କୃତ କରିଥିଲେ।

ଅତିରିକ୍ତ ଏସପି ସୁରେନ୍ଦ୍ର ନାଥ ମୁର୍ମୁ ଓ ଶ୍ରୀନିବାସ ମହାନ୍ତିଙ୍କ ସମେତ ଖୋର୍ଦ୍ଧା ଏସଡିପିଓ ଦିଲ୍ଲୀପ ଦାସ , ସମସ୍ତ ଡ଼ିଏସପି, ଥାନାଧିକାରୀ, ଅବସର ପ୍ରାପ୍ତ ବରିଷ୍ଠ ପୋଲିସ ଓ ସେନାଧିକାରୀମାନେ ମଧ୍ୟ ଉକ୍ତ ସମାରୋହରେ ଉପସ୍ଥିତ ଥିଲେ।

Share This Article