ପୁରୀରେ କେରଳ ପର୍ଯ୍ୟଟକଙ୍କ ଠାରୁ ଲୁଟ୍: ଦେଢ ବର୍ଷ ପରେ ଅଭିଯୁକ୍ତ ଠାରୁ ଟଙ୍କା ଜବତ କଲା ପୋଲିସ

Odisha Hot News
2 Min Read

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଦେଶ ବିଦେଶରୁ ବହୁ ପର୍ଯ୍ୟଟକ ପୁରୀ ଆସିଥାନ୍ତି। ଏହା ଏକ ପବିତ୍ର ସ୍ଥାନ। ଚାରି ଧାମ ମଧ୍ୟରେ ଜଗନ୍ନାଥ ଧାମ ଅନ୍ୟତମ। ପ୍ରତ୍ୟେକ ଦିନ ହଜାର ହଜାର ଶ୍ରଦ୍ଧାଳୁ ଏଠାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଥାନ୍ତି।

ସମଗ୍ର ବିଶ୍ଵରେ ପୁରୀ ଏକ ପ୍ରସିଦ୍ଧ ସ୍ଥାନ। କିନ୍ତୁ କିଛି ଅସମାଜିକ ଯୁବକମାନଙ୍କ ଯୋଗୁଁ ଏହି ସ୍ଥାନ ବଦନାମ ହେଉଥିବା ଦେଖିବାକୁ ମିଳିଛି। ବିଦେଶ କିମ୍ବା ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକମାନେ ବେଳେବେଳେ ସେଠାରେ ଲୁଟ୍ ର ଶିକାର ହେଉଥିବା ଅଭିଯୋଗ ହେଉଛି। ଏଭଳି ଏକ ଘଟଣା ପ୍ରାୟ ଦେଢ ବର୍ଷ ତଳେ ଘଟିଥିଲା।

କେରଳର ଶ୍ରୀଜୀଥ ଆର ପଳାଇ ନାମକ ଜଣେ ଯୁବକ ପୁରୀ ବୁଲିବାକୁ ଆସି ଦେଢ ବର୍ଷ ତଳେ ଠକାମିର ଶିକାର ହୋଇଥିଲେ। ସେ ଜଣେ ଠକ ହାବୁଡରେ ପଡି ୪୫ ହଜାର ଟଙ୍କା ହରାଇଥିଲେ। ବାଲେଶ୍ବର ଜିଲ୍ଲା ସୋରୋ ଥାନା ଅନ୍ତର୍ଗତ ହରିହର ପଣ୍ଡା ନାମକ ବ୍ୟକ୍ତି ଶ୍ରୀଜୀଥଙ୍କୁ ଠକି ୪୫ ହଜାର ଟଙ୍କା ଲୁଟିନେଇଥିଲେ। ଅଭିଯୁକ୍ତ ହରିହର କେରଳର ଏହି ପର୍ଯ୍ୟଟକଙ୍କୁ ଜଣେ ହୋଟେଲର ମ୍ୟାନେଜର କହି ଉକ୍ତ ରାଶି ବୁକିଙ୍ଗ ନିମନ୍ତେ କହି ଠକି ନେଇଥିଲା। ଯେତେବେଳେ ସେ ଏକଥା ଜାଣିଲେ, ତୁରନ୍ତ ପୁରୀ ଥାନାରେ ଏନେଇ ଅଭିଯୋଗ କରିବାରୁ ପୁରୀ ପୋଲିସ ତଦନ୍ତ ଆରମ୍ଭ କରିଥିଲା।

ତେବେ ପୁରୀ ଟାଉନ ଥାନା ଭାରପ୍ରାପ୍ତ ଅଧିକାରୀ ସୁନୀଲ କୁମାର ପ୍ରଧାନ ଅଭିଯୁକ୍ତଙ୍କୁ ଧରିବା ସହ ତା’ ଠାରୁ ୪୫ ହଜାର ଟଙ୍କା ଜବତ କରିଥିଲେ। ଏବଂ ଉକ୍ତ ଜବତ ରାଶିକୁ ଫେରାଇବା ପାଇଁ ଶ୍ରୀ ପ୍ରଧାନ ଖବର ଦେଇଥିଲେ।

କିନ୍ତୁ କେରଳ ରାଜ୍ୟରୁ ସେହି ସମୟରେ ସେ ଆସିପାରିନଥିଲେ। କିନ୍ତୁ ସେ ଶୁକ୍ରବାର ଦିନ ଆସି ନିଜର ଅର୍ଥ ରାଶିକୁ ଥାନା ଅଧିକାରୀଙ୍କ ଠାରୁ ଗ୍ରହଣ କରିଥିଲେ। ଯାହାକୁ ନେଇ ସେ ଖୁସିବ୍ୟକ୍ତ କରିବା ସହ ପୁରୀ ପୋଲିସକୁ ଧନ୍ୟବାଦ ଜଣାଇଥିଲେ।

Share This Article