ଓଟିଡିସି ପକ୍ଷରୁ ଅନ୍ତର୍ଜାତିକ ମହିଳା ଦିବସ ପାଳିତ

Odisha Hot News
1 Min Read

ଭୁବନେଶ୍ୱର: ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ପକ୍ଷରୁ ଭୁବନେଶ୍ୱରସ୍ଥିତ ଏହାର ମୁଖ୍ୟ କାର୍ଯ୍ୟାଳୟରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଓଟିଡିସି ଅଧ୍ୟକ୍ଷ ଡ. ଲେନିନ୍‌ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହିଳା ଦିବସ ପାଳନ ସଂପର୍କରେ ଆଲୋକପାତ କରିଥିଲେ।

ମହିଳାମାନେ ସମାଜର ପ୍ରତ୍ୟେକ କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରତିପାଦିତ କରିପାରିବା ସହ ସମାଜ ପରିବର୍ତ୍ତନ କ୍ଷେତ୍ରରେ ନିଜର ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବାରେ ସକ୍ଷମ ହେଉଥିବା ଡ. ମହାନ୍ତି ଉଲ୍ଲେଖ କରିଥିଲେ।

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏବଂ ୫-‘ଟି’ ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ୍‌ଙ୍କ ପରାମର୍ଶରେ ରାଜ୍ୟ ସରକାର ମହିଳା ସଶକ୍ତିକରଣ କ୍ଷେତ୍ରରେ ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି। ବର୍ତ୍ତମାନ ପ୍ରତିଟି କ୍ଷେତ୍ରରେ ମହିଳାମାନଙ୍କ ଅବଦାନ ଅବିସ୍ମରଣୀୟ ବୋଲି ସେ ପ୍ରକାଶ କରିଥିଲେ।

ସମ୍ମାନିତ ଅତିଥି ଭାବେ ଯୋଗଦେଇ ଓଟିଡିସି ଜେନେରାଲ ମ୍ୟାନେଜର ଡ. ଲଲାଟେନ୍ଦୁ ସାହୁ କହିଲେ ଯେ ବର୍ତ୍ତମାନ ପରିବର୍ତ୍ତିତ ସମୟରେ ମହିଳାମାନେ ନିଜର ବ୍ୟକ୍ତିଗତ ଏବଂ ପେଶାଗତ ଜୀବନ ମଧ୍ୟରେ ସନ୍ତୁଳନ ରକ୍ଷା କରି ପ୍ରଗତିର ବାହକ ଭାବେ କାର୍ଯ୍ୟ କରୁଛନ୍ତି। ମହିଳାମାନଙ୍କ ନେତୃତ୍ୱ ନେବା ଓ କାର୍ଯ୍ୟ କରିବାର ଶୈଳୀ ବର୍ତ୍ତମାନ ପ୍ରେରଣାଦାୟୀ ରହିଥିବା ସେ କହିଥିଲେ।

ଏହି ଅବସରରେ ଓଟିଡିସିରେ କାର୍ଯ୍ୟରତ ମହିଳାମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଓଟିଡିସିର ବରିଷ୍ଠ ଅଧିକାରୀ ଏବଂ ଅନ୍ୟାନ୍ୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Share This Article