ବିଶ୍ୱ ଦକ୍ଷତା କେନ୍ଦ୍ରରେ ସିଙ୍ଗାପୁର ଆଇଟିଇଇଏସ୍‌ର ସିଇଓ ବ୍ରୁସ୍ ପୋହ

Odisha Hot News
2 Min Read

ଭୁବନେଶ୍ୱର: ସିଙ୍ଗାପୁରସ୍ଥିତ ଆଇଟିଇ ଏଜୁକେସନ ସର୍ଭିସେସର (ଆଇଟିଇଇଏସ୍‌) ସିଇଓ ବ୍ରୁସ୍ ପୋହ ଏବଂ ଏକ ପ୍ରତିନିଧି ଦଳ ବିଶ୍ୱ ଦକ୍ଷତା କେନ୍ଦ୍ର ପରିଦର୍ଶନରେ ଆସିଛନ୍ତି । ସେଠାରେ ସୋମବାର ଦିନ ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ ସେମାନେ ଯୋଗଦେଇ ରାଜ୍ୟର ଯୁବପିଢ଼ିଙ୍କ ଦକ୍ଷତା ବିକାଶ କ୍ଷେତ୍ରରେ ବିଭିନ୍ନ ସରକାରୀ ଆଇଟିଆଇ ଓ ପଲିଟେକନିକ୍ କଲେଜଗୁଡ଼ିକ କିପରି ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି ସେନେଇ ମତାମତ ଗ୍ରହଣ କରିଥିଲେ।

ଆଇଟିଇଇଏସର ସିଇଓ ବ୍ରୁସ୍ ପୋହ ଏବଂ ପ୍ରତିନିଧି ଦଳଙ୍କୁ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧୀକରଣର ଅଧ୍ୟକ୍ଷା ତଥା ବିଶ୍ୱ ଦକ୍ଷତା କେନ୍ଦ୍ରର ସିଇଓ ଅଳକା ମିଶ୍ର ସ୍ୱାଗତ କରିଥିଲେ। ଓଡ଼ିଶାରେ ଦକ୍ଷତା ବିକାଶ କ୍ଷେତ୍ରକୁ ଆଗକୁ ନେବାକୁ ହେଲେ ଅତ୍ୟାଧୁନିକ ଜ୍ଞାନକୌଶଳକୁ ଆପଣାଇବା ସହ ନୂଆ ନୂଆ ଦିଗ ପ୍ରତି ଧ୍ୟାନ ଦେବାକେୁ ପଡ଼ିବ ବୋଲି ଏହି ଅବସରରେ ସେ କହିଥିଲେ।

ବିଶ୍ୱ ଦକ୍ଷତା କେନ୍ଦ୍ରରେ ଆୟୋଜିତ କାର୍ଯ୍ୟକ୍ରମରେ ବିଭିନ୍ନ ସରକାରୀ ଆଇଟିଆଇ ଓ ପଲିଟେକନିକ୍ କଲେଜର ଅଧ୍ୟକ୍ଷ, ପ୍ରଶିକ୍ଷକ ଏବଂ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ । ବିଶ୍ୱ ଦକ୍ଷତା କେନ୍ଦ୍ରର ସହଯୋଗିତାରେ ସରକାରୀ ଆଇଟିଆଇ ଓ ପଲିଟେକନିକ୍ କଲେଜଗୁଡ଼ିକରେ ଯୁବପିଢ଼ିଙ୍କ ଦକ୍ଷତା ବିକାଶ ଲାଗି ଦିଆଯାଉଥିବା ଅତ୍ୟାଧୁନିକ ପାଠ୍ୟକ୍ରମ ବିଷୟରେ ସେମାନେ ବିସ୍ତୃତ ଭାବେ କହିଥିଲେ।

ଶିଳ୍ପ ତାଲିମ ଓ ବୈଷୟିକ ଶିକ୍ଷା କ୍ଷେତ୍ରକୁ ଆସୁଥିବା ଯୁବପିଢ଼ିଙ୍କୁ ଅତ୍ୟାଧୁନିକ ଢାଞ୍ଚାରେ କିପରି ତାଲିମ ଦିଆଯିବ ସେନେଇ ୨୦୧୮ରେ ସିଙ୍ଗାପୁରରେ ଏକ ସ୍ୱତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରାଯାଇଥିଲା । ସାମାଜିକ ଅନୁଷ୍ଠାନ ଟେମାସେକ୍ ସହଭାଗିତାରେ ଆୟୋଜିତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ରାଜ୍ୟର ସରକାରୀ ଆଇଟିଆଇ ଓ ପଲିଟେକନିକ୍ କଲେଜର ଅଧ୍ୟକ୍ଷ, ପ୍ରଶିକ୍ଷକ ଏବଂ ବରିଷ୍ଠ ଅଧିକାରୀମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା । ଏହି ଅତ୍ୟାଧୁନିକ ପ୍ରଶିକ୍ଷଣ ଫଳରେ ଆଇଟିଆଇ ଓ ପଲିଟେକନିକ୍ କଲେଜରେ ଶିକ୍ଷାଦାନର ଧାରାରେ କିପରି ବିଶେଷ ପରିବର୍ତ୍ତନ ଆସିପାରିଛି ସେ ବିଷୟରେ ପ୍ରଶିକ୍ଷକମାନେ ଉପସ୍ଥାପନ କରିଥିଲେ । ଏହାକୁ ଆଇଟିଇଇଏସର ସିଇଓ ପ୍ରଶଂସା କରିଥିଲେ ।

ଏହି କାର୍ଯ୍ୟକ୍ରମ ବେଳେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଊଷା ପାଢ଼ୀ ଭର୍ଚୁଆଲ ମାଧ୍ୟମରେ ଯୋଡ଼ି ହୋଇଥିଲେ । ଏହାସହ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧୀକରଣର ସିଇଓ ରେଘୁ ଜି, ବିଶ୍ୱ ଦକ୍ଷତା କେନ୍ଦ୍ରର ସିଓଓ ପିନାକୀ ପଟ୍ଟନାୟକ, ଅଧ୍ୟକ୍ଷ ସଙ୍ଗରଣ ଗୋପାଳ, ଉପାଧ୍ୟକ୍ଷ ଡକ୍ଟର ଶୁଭଙ୍ଗ କିଶୋର ଦାସ ପ୍ରମୁଖ ଯୋଗ ଦେଇଥିଲେ ।

ଓଡ଼ିଶାର ଯୁବପିଢ଼ିଙ୍କ ଦକ୍ଷତାକୁ ଆଉ ଏକ ନୂଆ ଉଚ୍ଚତାକୁ ନେବା ଲାଗି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ \”ସ୍କିଲ୍ଡ ଇନ୍ ଓଡ଼ିଶା\’ କାର୍ଯ୍ୟକ୍ରମ ଅଧୀନରେ ବିଶ୍ୱ ଦକ୍ଷତା କେନ୍ଦ୍ର ସ୍ଥାପନ କରାଯାଇଛି । ଏଠାରେ ସ୍କୁଲ ଅଫ୍ ଇଞ୍ଜିନିୟରିଂ ଏବଂ ସ୍କୁଲ ଅଫ୍ ସର୍ଭିସେସ୍ ବିଭାଗ ଅଧୀନରେ ମୋଟ ୭ଟି ଅତ୍ୟାଧୁନିକ ବିଷୟରେ ତାଲିମ ଦିଆଯାଉଛି । ସିଙ୍ଗାପୁରର ଆଇଟିଇଇଏସ୍ ସଂସ୍ଥାର ସହଯୋଗରେ ଏହି ଅତ୍ୟାଧୁନିକ ତାଲିମ ପାଠ୍ୟକ୍ରମ ପରିଚାଳନା କରାଯାଉଛି ।

Share This Article