ବିଧାୟକ ସୁରେଶ ରାଉତରାୟଙ୍କ ସାନପୁଅ ମନ୍ମଥ ଧରିବେ ପଦ୍ମ, ସେପଟେ କଂଗ୍ରେସରେ ବଡ ପୁଅ

Odisha Hot News
2 Min Read

ଭୁବନେଶ୍ବର: ପଦ୍ମ ପୋଖରୀରେ ପଶିବେ ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ। ଅର୍ଥାତ ସେ ବିଜେପିରେ ସାମିଲ ହୋଇ ଜଟଣୀ ପାଇଁ ବିଧାୟକ ପ୍ରାର୍ଥୀ ହେବେ। ଏ ନେଇ ବିଜେପି ତରଫରୁ ସବୁଜ ସଙ୍କେତ ମଧ୍ୟ ମିଳି ସାରିଛି। ସେଥିପାଇଁ ତାଙ୍କ ମିଶ୍ରଣ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିଛନ୍ତି ମନ୍ମଥ।

ପୂର୍ବରୁ ସେ କଂଗ୍ରେସରୁ ନିର୍ବାଚନ ଲଢିବେ ନାହିଁ ବୋଲି ଘୋଷଣା କରିଥିଲେ। ଯାହାକୁ ନେଇ ନିଜେ ସୁରେଶ ରାଉତରାୟ ଅସନ୍ତୋଷ ପ୍ରକାଶ କରିଥିଲେ। ଏପରି ମନ୍ତବ୍ୟ ନେଇ ମନ୍ମଥଙ୍କୁ କଂଗ୍ରେସ ନିଳମ୍ବନ କଲା। ପରବର୍ତ୍ତି ସମୟରେ ତାଙ୍କୁ ଜଟଣୀ ଟିକେଟ ନେବା ପାଇଁ କଂଗ୍ରେସ ତରଫରୁ ବୁଝାଯାଇଥିଲା। ହେଲେ ସେ କଂଗ୍ରେସରୁ ନିର୍ବାଚନ ଲଢିବେ ନାହିଁ ବୋଲି ରୋକଠୋକ ମନା କରିଦେଲେ।

ଏହାପରେ ସେ ବିଜେପି ସହିତ ଯୋଗାଯୋଗ କରି ସେଥିରେ ସାମିଲ ହେବେ ବୋଲି ନିଷ୍ପତି ଗ୍ରହଣ କରିଛନ୍ତି। ଯାହାକୁ ନେଇ ସୁରେଶ ରାଉତରାୟ କଣ କରିବେ କିଛି ଚିନ୍ତା କରିପାରୁ ନାହାଁନ୍ତି।

ପ୍ରଥମେ ସେ ସାନ ପୁଅ ମନ୍ମଥ ଏଥର ନିର୍ବାଚନରେ ଛିଡା ହେବ ବୋଲି ଘୋଷଣା କରିଥିଲେ। ସେଥିପାଇଁ ସେ ପାଇଲଟ ଚାକିରୀ ଛାଡିଛି ବୋଲି ସମସ୍ତଙ୍କ ଆଗରେ କହିଲେ। ହେଲେ ପରବର୍ତ୍ତି ସମୟରେ ମନ୍ମଥ କଂଗ୍ରେସରୁ ଲଢେଇ କରିବେ ନାହିଁ ବୋଲି ଘୋଷଣା କରିବା ପରେ ସୁର ରାଉତରାୟଙ୍କ ଚିନ୍ତା ବଢିଗଲା।

ଏହାପରେ ବଡ ପୁଅ ସିଦ୍ଧାର୍ଥ ରାଉତରାୟ ନିର୍ବାଚନ ଲଢିବେ ବୋଲି ପୁଣି ସୁର ରାଉତରାୟ ପରୋକ୍ଷରେ କହି ବୁଲିଲେ। ତେବେ ସେ ଜଟଣୀରୁ ଛିଡା ନ ହୋଇ ନିମାପଡାରୁ କଂଗ୍ରେସରୁ ଛିଡା ହେବ ବୋଲି କହିଲେ।

ସାରା ଜୀବନ କଂଗ୍ରେସ ଦଳ ପାଇଁ ସମର୍ପି ଦେଇଥିବା ସୁରେଶ ରାଉତରାୟଙ୍କ ଉତ୍ତରାଧିକାରୀକୁ ନେଇ ସମସ୍ୟାରେ ପଡିଛନ୍ତି। ବର୍ତ୍ତମାନ ଯାହା ଜଣାପଡିଛି ତାଙ୍କର ସାନ ପୁଅ ଜଟଣୀରୁ ବିଜେପି ପ୍ରାର୍ଥୀ ଏବଂ ବଡ ପୁଅ ନିମାପଡାରୁ କଂଗ୍ରେସ ପ୍ରାର୍ଥୀ ହୋଇ ଲଢେଇ କରିବେ।

ତେବେ ଗୋଟିଏ ପରିବାରରୁ ଗୋଟିଏ ଭାଇ କଂଗ୍ରେସ ଏବଂ ଆଉ ଗୋଟିଏ ଭାଇ ବିଜେପିରୁ ଲଢେଇ କଲେ ଲୋକେ କେତେ ଦୂର ଗ୍ରହଣ କରିବେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

Share This Article