ନବୀନ କଣ ପୁରୀରୁ ଛିଡା ହେବେ କି? ଦୁଇ ଟାଣୁଆ ନେତାଙ୍କ ଥଇଥାନ ପରେ ପୁରୀବାସୀଙ୍କ ବଢୁଛି ଆଶା

Odisha Hot News
2 Min Read

ଭୁବନେଶ୍ବର: ନବୀନ ପଟ୍ଟନାୟକ କଣ ଏଥର ପୁରୀ ନିର୍ବାଚନ ମଣ୍ଡଳିରୁ ଛିଡା ହେବେ କି? ଏହିପରି ଏକ ବଡ ପ୍ରଶ୍ନ ବର୍ତ୍ତମାନ ପୁରୀ ନିର୍ବାଚନ ମଣ୍ଡଳୀରେ ଘୁରି ବୁଲୁଛି। କାରଣ ହେଲା ଗତକାଲି ନବୀନ ବିଜେଡିର ଦୁଇଜଣ ଟାଣୁଆ ନେତାଙ୍କୁ ଥଇଥାନ କରିଦେଲେ। ଯେଉଁମାନେ ପୁରୀରେ ପ୍ରାର୍ଥୀ ହେବା ପାଇଁ ବଡ ଦାବୀଦାର ଥିଲେ।

ଗତକାଲି ବିଜୁ ଯୁବ ଜନତାର ଉପସଭାପତି ଶୁଭାଶିଷ ଖୁଣ୍ଟିଆଙ୍କୁ ରାଜ୍ୟସଭା ପ୍ରାର୍ଥୀ ପାଇଁ ଘୋଷଣା କରାଯାଇଛି। ତା ପୂର୍ବରୁ ବିଜେଡି ପୁରୀ ସଦର ପଞ୍ଚାୟତ ସମିତ ଅଧ୍ୟକ୍ଷ ଦିବାକାର ପାତ୍ରଙ୍କୁ ପୁରୀ ଜିଲ୍ଲା ସଭାପତି ଭାବେ ଘୋଷଣା କରିଛନ୍ତି। ଏହି ଦୁଇ ନେତାଙ୍କର ପୁରୀ ନିର୍ବାଚନ ମଣ୍ଡଳିରେ ଭଲ ସଂଗଠନ ରହିଛି। ଆଉ ଉଭୟ ମଧ୍ୟ ଏଥର ଟିକେଟ ଆଶାୟୀ ଥିଲେ। ଏହି ଦୁଇ ନେତାଙ୍କ ଥଇଥାନ ପରେ ବର୍ତ୍ତମାନ ପ୍ରଶ୍ନ ଉଠିଛି ଯେ, ପୁରୀ ପରି ଐତିହ୍ୟ ନିର୍ବାଚନ ମଣ୍ଡଳିରେ କିଏ ହେବ ବିଜେଡିର ବିଧାୟକ ପ୍ରାର୍ଥୀ।

ପୁରୀର ବିଜେଡି ନେତା ମହେଶ୍ବର ମହାନ୍ତିଙ୍କର ବିୟୋଗ ପରେ ତାଙ୍କ ପୁତ୍ର ସୁନୀଲ ମହାନ୍ତି ଟିକେଟ ଲବିରେ ଅଛନ୍ତି। ସେ ବାପାଙ୍କ ସଂଗଠନକୁ ପୁଣି ଆଗକୁ ନେବେ ବୋଲି ଆଶା ରଖିଛନ୍ତି। ଅନ୍ୟପଟେ ପୁରୀର ଜୟନ୍ତ ଷଡଙ୍ଗୀ ମଧ୍ୟ ବିଜେଡିରେ ମିଶିବା ନେଇ ଚର୍ଚ୍ଚା ଚାଲିଛି। କାରଣ ସେ ବିଜେପି ସଂଗଠନ ପ୍ରତି ଆଉ ନଜର ଦେଉ ନାହାଁନ୍ତି। ଯଦି ଜୟନ୍ତ ବିଜେଡିକୁ ଆସିବେ ତେବେ ପୁରୀର ବିଜେପି ଭୋଟ ନିଶ୍ଚିତ ଭାଗଭାଗ ହୋଇଯିବ। ଫଳରେ ବିଜେଡି ଏଥର ପୁରୀକୁ ଅକ୍ତିୟାର କରିନେବ ବୋଲି ଆଶା ରଖିଛି।

ଅନ୍ୟପଟେ ପୁରୀରେ ଏପରି ଗୋଳିଆ ପରିସ୍ଥିତିକୁ ଦୃଷ୍ଟିରେ ରଖି ବହୁ ସଂଗଠନ ଓ ଅନେକ ପୁରୀବାସିନ୍ଧା ଖୋଦ ନବୀନ ପଟ୍ଟନାୟକ ପ୍ରତିଦ୍ବନ୍ଦିତା କରନ୍ତୁ ବୋଲି ଦାବୀ କରୁଛନ୍ତି। କେତେକ ସେବକ ଗୋଷ୍ଠୀ ଏ ନେଇ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଅନୁରୋଧ ମଧ୍ୟ କରିଥିବାର ଜଣାପଡିଛି। ଅନ୍ୟପଟେ ନବୀନ ପୁରୀ ସହରକୁ ଯେପରି ବିଶ୍ବ ସ୍ତରୀୟ କରିଛନ୍ତି ଏଥିରେ ପୁରୀବାସୀ ବେଶୀ ଖୁସି ଅଛନ୍ତି। ସେହିପରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପୁରୀବାସୀଙ୍କୁ ଏକ ନୂଆ ପରିଚୟ ଦେଇଛି। ସେଥିପାଇଁ ପୁରୀବାସୀ ନବୀନଙ୍କର ଋଣ ଶୁଝାଇବା ପାଇଁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରାଇବେ ବୋଲି ଚିନ୍ତା କରିଛନ୍ତି।

ତେବେ ପୁରୀର ଦୁଇ ନେତା ଶୁଭାଶିଷ ଏବଂ ଦିବାକରଙ୍କୁ ଦଳ ସନ୍ତୁଷ୍ଠ କରାଇବା ପରେ ବର୍ତ୍ତମାନ ସେଠାକାର ବିଜେଡି କନ୍ଦଳ ସମାପ୍ତ ହୋଇଯାଇଛି। ବର୍ତ୍ତମାନ ଦଳ ଯାହାକୁ ଛିଡା କଲେ ମଧ୍ୟ ଏହି ଦୁଇ ଟାଣୁଆ ନେତାଙ୍କର ସମର୍ଥନ ରହିବ। ଯଦି କୌଣସି କାରଣରୁ ନବୀନ ପଟ୍ଟନାୟକ ଛିଡା ନ ହୁଅନ୍ତି ତେବେ ସୁନୀଲ ମହାନ୍ତିଙ୍କ ପାଇଁ ସମସ୍ତ ରାସ୍ତା ଖୋଲିଯିବ।ଏପରିକି ଦଳ ଯଦି ମହିଳ କାର୍ଡ ଖେଳିବା ପାଇଁ ଚାହେଁ, ତେବେ ସୁନୀଲଙ୍କ ଧର୍ମପତ୍ନୀଙ୍କୁ ଛିଡା କରିବା କିଛି ଅସମ୍ଭବ ନୁହେଁ ବୋଲି ମଧ୍ୟ ଚର୍ଚ୍ଚା ଚାଲିଛି।

Share This Article